ଜୋହାନ୍ସବର୍ଗ: ଦକ୍ଷିଣ ଆଫ୍ରିକାର ୱିକେଟ୍ କିପର ବ୍ୟାଟର କ୍ୱିଣ୍ଟନ ଡି’କକ୍ ଅବସର ନିଷ୍ପତ୍ତି ବଦଳାଇଛନ୍ତି । ସେ ଖୁବଶୀଘ୍ର ସୀମିତ ଓଭର ଫର୍ମାଟ୍କୁ ଫେରିବାକୁ ଯାଉଛନ୍ତି । ଆଗାମୀ ନାମିବିୟା ଏବଂ ପାକିସ୍ତାନ ଗସ୍ତ ପାଇଁ ଘୋଷିତ ଦିନିକିଆ ଓ ଟି-ଟ୍ୱେଣ୍ଟି ଦଳରେ ତାଙ୍କୁ ସାମିଲ କରାଯାଇଛି ।

୨୦୨୩ ଦିନିକିଆ ବିଶ୍ୱକପ୍ ଶେଷ ହେବା ପରେ ସେ ଅବସର ଘୋଷଣା କରିଥିଲେ । ସେହିପରି ୨୦୨୪ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଫାଇନାଲ୍ ପରଠୁ ସେ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିନାହାନ୍ତି । ଡି’କକ୍ ୨୦୨୧ରେ ଟେଷ୍ଟ କ୍ରିକେଟ୍ରୁ ଅବସର ଘୋଷଣା କରିଥିଲେ । ଆସନ୍ତା ଅକ୍ଟୋବର ୧୧ ତାରିଖରେ ଦକ୍ଷିଣ ଆଫ୍ରିକା ଓ ଘରୋଇ ନାମିବିୟା ମଧ୍ୟରେ ଏକ ଟି-ଟ୍ୱେଣ୍ଟି ଖେଳାଯିବ । ଡି’କକ୍ ଏହି ମ୍ୟାଚ୍ ଜରିଆରେ ପ୍ରତ୍ୟାବର୍ତ୍ତନ କରିବେ । ଏହାପରେ ଦଳ ପାକିସ୍ତାନ ଗସ୍ତ କରି ଏକ ପୂର୍ଣ୍ଣାଙ୍ଗ ସିରିଜ ଖେଳିବ । ଉଭୟ ଦଳ ମଧ୍ୟରେ ୨ଟି ଟେଷ୍ଟ, ୩ଟି ଟି-ଟ୍ୱେଣ୍ଟି ଏବଂ ୩ଟି ଦିନିକିଆ ଖେଳାଯିବ । ଟେଷ୍ଟ ଦଳର ନିୟମିତ ଅଧିନାୟକ ତେମ୍ବା ବଭୁମା ବାଦ୍ ପଡ଼ିଥିବାବେଳେ ତାଙ୍କ ସ୍ଥାନରେ ଆଡେନ ମାରକ୍ରମ ନେତୃତ୍ୱ ନେବେ ।
