ବାଲେଶ୍ୱର: ବହୁଚର୍ଚ୍ଚିତ ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମାହୁତି ଘଟଣାରେ କ୍ରାଇମବ୍ରାଞ୍ଚ ଟିମ୍ ଶନିବାର ଦ୍ୱିତୀୟ ଚାର୍ଜସିଟ୍ ଦାଖଲ କରିଛି । ତଦନ୍ତକାରୀ ଅଧିକାରୀ ଇମାନ କଲ୍ୟାଣ ନାୟକଙ୍କ ଓ ଅନ୍ୟ ଜଣେ ଅଧିକାରୀ ଏସ୍ଡିଜେଏମ୍ଙ୍କ କୋର୍ଟରେ ଅପରାହ୍ଣରେ ପହଞ୍ଚି ୧୬୬ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଥିଲେ । ସେଥିରେ ଛାତ୍ରୀଙ୍କ ଆତ୍ମହତ୍ୟାରେ ଗିରଫ ଏବିଭିପିର କର୍ମକର୍ତ୍ତା ଶୁଭ୍ର ସମ୍ବିତ ନାୟକ, ଜ୍ୟୋତିପ୍ରକାଶ ବିଶ୍ୱାଳଙ୍କ ସମ୍ପୃକ୍ତି ଅଛି କି ନାହିଁ ତାର ତଥ୍ୟ ପ୍ରମାଣ ଅଛି । ସହଦେବଖୁଣ୍ଟା ପୁଲିସ୍ ଏଚ୍ଓଡି ସମୀର କୁମାର ସାହୁ, ଅଧ୍ୟକ୍ଷ ଦିଲ୍ଲୀପ କୁମାର ଘୋଷଙ୍କୁ ଗିରଫ କରିଥିଲା । ପରେ କ୍ରାଇମବ୍ରାଞ୍ଚ ଶୁଭ୍ରସମ୍ବିତ ଓ ଜ୍ୟୋତିପ୍ରକାଶଙ୍କୁ ଗିରଫ କରିଥିଲା । ଏହି ଦୁଇ ଛାତ୍ର ନେତାଙ୍କୁ ଆତ୍ମହତ୍ୟା କରିବାକୁ ଉସୁକାଇଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ ଅଭିଯୋଗ କରାଯାଇ ସେହି ଅନୁସାରେ ଦଫା ଲଗାଯାଇଥିଲା ।

ସୂଚନାଯୋଗ୍ୟ, ଗତ ୯ ତାରିଖରେ କ୍ରାଇମବ୍ରାଞ୍ଚ ଏଚ୍ଓଡି ଶ୍ରୀ ସାହୁ, ଅଧ୍ୟକ୍ଷ ଶ୍ରୀ ଘୋଷଙ୍କ ବିରୋଧରେ ୫୦୩ ପୃଷ୍ଟାର ଚାର୍ଜସିଟ୍ ଦାଖଲ କରିଥିଲା । ସହଦେବଖୁଣ୍ଟା ଥାନାରେ ଏନେଇ ମାମଲା ପଞ୍ଜୀକୃତ ହେବାର ୫୭ ଦିନରେ ଏହି ଚାର୍ଜସିଟ୍ ଦାଖଲ କରାଯାଇଥିଲା ।
