ଆଜି ସୃଷ୍ଟି ହୋଇପାରେ ଲଘୁଚାପ

0 83

ଭୁବନେଶ୍ୱର: ଦକ୍ଷିଣ ଆଣ୍ଡାମାନ ସାଗର ନିକଟବର୍ତ୍ତୀ ଅଞ୍ଚଳରେ ରହିଥିବା ଘୂର୍ଣ୍ଣିବଳୟ ମଙ୍ଗଳବାର ଲଘୁଚାପ ରୂପ ନେବ। ଏହା ଅଧିକ ଘନୀଭୂତ ହେବ କି ନାହିଁ ଏଯାଏ ସ୍ପଷ୍ଟ ହୋଇ ନ ଥିବାବେଳେ ସାମୁଦ୍ରିକ ଓ ବାୟୁମଣ୍ଡଳୀୟ ପରିସ୍ଥିତି ଅଧିକ ଅନୁକୂଳ ନ ଥିବାରୁ ଏହା ଲଘୁଚାପ କିମ୍ବା ସୁଦୃଶ ଲଘୁଚାପ କ୍ଷେତ୍ର ମଧ୍ୟରେ ସୀମିତ ରହିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଅନ୍ୟପକ୍ଷରେ ସୋମବାର ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାର ଆଉ କିଛି ଅଞ୍ଚଳରୁ ଅପସରି ଯାଇଛି। ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଦେଶର ଅବଶିଷ୍ଟ ଅଞ୍ଚଳରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସମ୍ପୂର୍ଣ୍ଣ ପ୍ରତ୍ୟାବର୍ତ୍ତନ କରିବା ସହ ଦକ୍ଷିଣ ଉପଦ୍ୱୀପୀୟ ଭାରତରେ ଉତ୍ତର-ପୂର୍ବ ମୌସୁମୀ ବର୍ଷା ଆରମ୍ଭ ହେବା ପାଇଁ ପାଗ ଅନୁକୂଳ ହେଉଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନା ମୁତାବକ, ଗତ ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନର ତାପମାତ୍ରାରେ ସାମାନ୍ୟ ହ୍ରାସ ଘଟିଛି। ୫ଟି ସହରର ତାପମାତ୍ରା ୩୪ ଡିଗ୍ରୀ ଉପରେ ରହିଥିବାବେଳେ ଝାରସୁଗୁଡ଼ା ଓ ମାଲକାନଗିରିରେ ସର୍ବାଧିକ ୩୪.୪ ଡିଗ୍ରୀ ରେକର୍ଡ ହୋଇଛି। ସେହିପରି ପାରଳାଖେମୁଣ୍ଡିରେ ୩୪.୨, ତାଳଚେର ଓ ଛତ୍ରପୁରରେ ୩୪ ଡିଗ୍ରୀ ତାପମାତ୍ରା ରହିଥିଲା। ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ଦିନ ଓ ରାତି ତାପମାତ୍ରାରେ ବିଶେଷ କିଛି ପରିବର୍ତ୍ତନ ନାହିଁ। ସେହିପରି ରାଜ୍ୟର କେତେକ ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ତେବେ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ବର୍ଷାକୁ ନେଇ କୌଣସି ସତର୍କ ସୂଚନା ନ ଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

hiranchal ad1
Leave A Reply

Your email address will not be published.

one × two =