ଆଇପିଏଲ୍ ପାଇଁ ବିସିସିଆଇ ଓ ଇସିବିର ପ୍ରସ୍ତୁତି ଆରମ୍ଭ

0 74

ଦୁବାଇ : ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଚଳିତ ବର୍ଷର ଆଇପିଏଲ୍ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ଚୂଡ଼ାନ୍ତ ହୋଇଯିବା ପରେ ଏ ନେଇ ଏମିରେଟ୍ସ କ୍ରିକେଟ୍ ବୋଡର଼୍ (ଇସିବି) ଓ ବିସିସିଆଇ ସେମାନଙ୍କର କାର୍ଯ୍ୟକୁ ତ୍ୱରାନ୍ୱିତ କରିଛନ୍ତି । ଇତିମଧ୍ୟରେ ବିସିସିଆଇ ସ୍ୱୀକାରପ୍ରାପ୍ତି ଚିଠି ଇସିବି ନିକଟକୁ ପଠାଇ ଦେଇଛି । ଦୁଇ ଦେଶ ବର୍ତ୍ତମାନ ଆଇପିଏଲ୍ର ସଫଳ ଆୟୋଜନ କାର୍ଯ୍ୟରେ ଲାଗିପଡ଼ିଛନ୍ତି ବୋଲି ଆଇପିଏଲ୍ ଗଭର୍ଣ୍ଣିଂ କାଉନସିଲର ମୁଖ୍ୟ ବ୍ରିଜେଶ ପଟେଲ ସୂଚନା ଦେଇଛନ୍ତି । ଏମିରେଟ୍ସରେ ଆଇପିଏଲ୍ର ଆୟୋଜନ ପାଇଁ ପିସିବି ଗତ ଅପ୍ରେଲ୍ ମାସରେ ବିସିସିଆଇ ନିକଟକୁ ଏକ ଚିଠି ଲେଖିଥିଲା । ଏହି ଚିଠି ପାଇବା ପରେ ବିସିସିଆଇ ବିଚାର ଆଲୋଚନା ଆରମ୍ଭ କରିଥିଲା । ତେବେ ଟି-୨୦ ବିଶ୍ୱକପ୍ ଯୋଗୁଁ ଅଡୁଆ ସୃଷ୍ଟି ହେବାରୁ ଚଳିତ ବର୍ଷ ଆଇପିଏଲ୍ ଆୟୋଜନ ନେଇ ସମସ୍ୟା ଦେଖାଦେଇଥିଲା । ତେବେ ଆଇସିସି ଟି-୨୦ ବିଶ୍ୱକପ୍କୁ ଚଳିତ ବର୍ଷ ବାତିଲ୍ କରିଦେଇଥିବାରୁ ଆଇପିଏଲ୍ ଖେଳାଯିବାର ବାଟ ପରିସ୍କାର ହୋଇଯାଇଥିଲା । ଆଉ କିଛି ଦିନ ମଧ୍ୟରେ ଆଇପିଏଲ ଗଭର୍ଣ୍ଣିଂ କାଉନ୍ସିଲ (ଜିସି) ବୈଠକ ବସିଲେ ଏହି ଦୁଇଟି ଆଲୋଚନାର ମୁଖ୍ୟ ପ୍ରସଙ୍ଗ ହେବ ବୋଲି ବିସିସିଆଇର ଜଣେ ବରିଷ୍ଠ କର୍ମକର୍ତ୍ତା ପ୍ରକାଶ କରିଛନ୍ତି । ଆଇପିଏଲ ଜିସି ବୈଠକରେ ମୁଖ୍ୟତଃ ୩ଟି ପ୍ରସଙ୍ଗ ଉପରେ ଅଧିକ ଗୁରୁତ୍ୱ ଦିଆଯିବ । ସେଗୁଡିକ ମଧ୍ୟରୁ ପ୍ରଥମଟି ହେଲା, ୟୁଏଇକୁ ସ୍ଥାନାନ୍ତର, ତାରିଖ, ଭେନ୍ୟୁ ଓ ମ୍ୟାଚ୍ ଆୟୋଜନ । ଦ୍ୱିତୀୟରେ ଟିମ୍ ଗୁଡିକ ଲାଗି ଏସ୍ଓପି, ବାୟୋ ସୁରକ୍ଷା ପରିବେଶ ଓ ଟ୍ରେନିଂ ଲାଗି ସୁବିଧା ସୁଯୋଗ । ସେହିପରି ତୃତୀୟ ତଥା ଶେଷ କଥାଟି ହେଉଛି ପ୍ରସାରଣକାରୀ ସଂସ୍ଥାର ଦାବି ଉପରେ ନିଷ୍ପତ୍ତି । ଏହି ୩ଟି ବିଭାଗରେ ଆଇପିଏଲ୍ ଜିସି ବୈଠକରେ ଆଲୋଚନା ହେବ । ଏହା ମଧ୍ୟରୁ ପ୍ରଥମରେ ବିସିସିଆଇ ସରକାରଙ୍କଠାରୁ ଆନୁଷ୍ଠାନିକ ଅନୁମତି ପାଇବା ପରେ ଏମିରେଟ୍ସ କ୍ରିକେଟ ବୋର୍ଡକୁ ବିଧିବଦ୍ଧ ଭାବେ ଅବଗତ କରିବ । ଟୁର୍ଣ୍ଣାମେଣ୍ଟ ପୁରୁଣା ଫର୍ମାଟରେ ଆୟୋଜିତ ହେବାର କାର୍ଯ୍ୟକ୍ରମ ଥିବାରୁ ପ୍ରତ୍ୟେକ ଟିମ୍ ୧୪ଟି ଲେଖାଏଁ ଲିଗ୍ ପର୍ଯ୍ୟାୟ ମ୍ୟାଚ୍ ଖେଳିବେ । ଦ୍ୱିତୀୟରେ ୟୁଏଇରେ ୩ଟି ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ୍ ଯଥା ଦୁବାଇରେ ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍, ଆବୁଧାବିରେ ଶେଖ ଜାୟେଦ୍ ଷ୍ଟାଡିୟମ୍ ଓ ଶାରଜାରେ ଶାରଜା ଷ୍ଟାଡିୟମ୍ ରହିଛି ।

hiranchal ad1
Leave A Reply

Your email address will not be published.

15 − 4 =