ଲଣ୍ଡନ୍‌ରେ ପହଞ୍ଚିଲେ ରାଷ୍ଟ୍ରପତି ମୁର୍ମୁ

0 44

ନୂଆଦିଲ୍ଲୀ: ବ୍ରିଟେନ୍‌ର ରାଣୀ ଦ୍ୱିତୀୟ ଏଲିଜାବେଥ୍‌ଙ୍କ ରାଷ୍ଟ୍ରୀୟ ଶେଷକୃତ୍ୟରେ ଯୋଗଦାନ ଏବଂ ଭାରତ ସରକାରଙ୍କ ପକ୍ଷରୁ ଶୋକବାର୍ତ୍ତା ପ୍ରଦାନ କରିବା ଲାଗି ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଶନିବାର ସନ୍ଧ୍ୟାରେ ଲଣ୍ଡନ୍‌ରେ ପହଞ୍ଚିଛନ୍ତି । ସେପ୍ଟେମ୍ବର ୮ ତାରିଖରେ ଗ୍ରୀଷ୍ମକାଳୀନ ନିବାସ ବାଲ୍‌ମୋରାଲ୍‌ କ୍ୟାସେଲ୍‌ରେ (ଦୁର୍ଗ) ୯୬ ବର୍ଷ ବୟସରେ ପରଲୋକ ଗମନ କରିଥିବା ରାଣୀ ଦ୍ୱିତୀୟ ଏଲିଜାବେଥ୍‌ଙ୍କ ଶବ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ୱେଷ୍ଟ୍‌ମିନିଷ୍ଟର୍‌ ହଲ୍‌ରେ ରଖାଯାଇଛି । ସେପ୍‌ଟେମ୍ବର ୧୯ ତାରିଖ ସକାଳେ ୱେଷ୍ଟ୍‌ମିନ୍‌ଷ୍ଟର୍‌ ଆବେରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ । ଏଥିପାଇଁ ରାଷ୍ଟ୍ରପତି ମୁର୍ମୁ ୩ଦିନିଆ ବ୍ରିଟେନ୍‌ ଗସ୍ତରେ ଯାଇଛନ୍ତି । ସୋମବାର ଦିନ ସେ ରାଣୀଙ୍କ ଶେଷକୃତ୍ୟରେ ଯୋଗଦେବେ । ଏହାଛଡା, ରବିବାର ସନ୍ଧ୍ୟାବେଳେ ବକିଙ୍ଗ୍‌ହାମ୍‌ ପ୍ରାସାଦରେ ରାଜା ତୃତୀୟ ଚାର୍ଲସ୍‌ ବିଶ୍ୱ ନେତାଙ୍କ ପାଇଁ ଆୟୋଜନ କରିଥିବା ଅଭ୍ୟର୍ଥନାକୁ ମଧ୍ୟ ତାଙ୍କୁ ଆମନ୍ତ୍ରଣ କରାଯାଇଛି । ରାଣୀଙ୍କ ଶେଷକୃତ୍ୟରେ ଯୋଗ ଦେବାକୁ ବିଶ୍ୱର ୨୦୦ ଦେଶ ଓ ଅଞ୍ଚଳରୁ ୫୦୦ ଅତିଥି ପ୍ରତିନିଧିତ୍ୱ କରିବେ । ସେମାନଙ୍କ ମଧ୍ୟରେ ଅଛନ୍ତି ବିଭିନ୍ନ ଦେଶର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜା, ରାଣୀ ଓ ସୁଲ୍‌ତାନ୍‌ମାନେ । ଏହା ପୂର୍ବରୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌.ଜୟଶଙ୍କର ଭାରତର ଶୋକବାର୍ତ୍ତା ଜଣାଇବା ଲାଗି ସେପ୍‌ଟେମ୍ବର ୧୨ ତାରିଖ ଦିନ ନୂଆଦିଲ୍ଲୀସ୍ଥିତ ବ୍ରିଟିସ୍‌ ହାଇକମିସନ୍‌ ଯାଇଥିଲେ । ଏହା ପୂର୍ବ ଦିନ ଭାରତ ରାଣୀ ଦ୍ୱିତୀୟ ଏଲିଜାବେଥ୍‌ଙ୍କ ମୃତ୍ୟୁରେ ରାଷ୍ଟ୍ରୀୟ ଶୋକ ପାଳନ କରିଥିଲା ।

hiranchal ad1
Leave A Reply

Your email address will not be published.

four × 5 =