ବେଆଇନ ଭାବେ ନଦୀରୁ ହେଉଛି ବାଲି ଚୋରା ଚାଲାଣ

0 71

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକରେ ଦୁଇଟି ପ୍ରମୁଖ ନଦୀ ରହିଛି । ଗୋଟିଏ ହେଲା ଇଦ୍ରାବତୀ ନଦୀ ଆଉ ଗୋଟିଏ ହେଲା ଭାସ୍କେଲ ନଦୀ । ରାଜସ୍ୱ ବିଭାଗ ପକ୍ଷରୁ ଏହି ଦୁଇଟି ନଦୀର ବାଲି ଉଠାଣ ପାଇଁ ଟେଣ୍ଡର ଦେଇଛନ୍ତି ଓ ଆଉ କିଛି ଘାଟରେ ଟେଣ୍ଡର ହୋଇନାହିଁ । ସରକାରଙ୍କ ନିର୍ଦ୍ଦେଶ ରହିଛି କି ବାଲି ଟେଣ୍ଡର ହୋଇଥିବା ସ୍ଥାନରେ କେବଳ ଶ୍ରମିକ ଲଗାଇ ବାଲି ଉଠାଣ କରାଯିବ ବୋଲି, କିନ୍ତୁ ବାଲି ଟେଣ୍ଡର ନେଇଥିବା ଲିଜଧାରୀମାନେ ଶ୍ରମିକ ବଦଳରେ ଜେସିବି ମେସିନ ଦ୍ୱାରା ବାଲି ବିଭିନ୍ନ ଗାଡ଼ିରେ ଲୋଡ଼ କରାଉଛନ୍ତି । ସେହିଭଳି ବାଲି ଟେଣ୍ଡର ହୋଇନଥିବା ଘାଟରୁ ବାଲି ଚୋରା ଚାଲାଣ କରାଯାଉଛି ।
ସ୍ଥାନୀୟ ରାଜସ୍ୱ ବିଭାଗ ପାଖରେ ଏହି ଖବର ଥିଲେ ମଧ୍ୟ ବାଲି ଚୋରା ଚାଲାଣକାରୀଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବା ସାଧାରଣ ଅଭିଯୋଗ ହୋଇଛି । ଯଦିବା ଅଭିଯୋଗ କରାଗଲେ ନାମକୁ ମାତ୍ର କିଛି ଜରିମାନା ଆଦାୟ କରି ପ୍ରଶାସନ ଚୁପ ହୋଇ ଯାଉଥିବା ଅଭିଯୋଗ ହୋଇଛି । ସେହିପରି ବାଲି ଲିଜ ନେଇଥିବା ଲିଜଧାରୀ ମାନେ ଯେଉଁ ସ୍ଥାନରେ ବାଲି ଉଠାଇବା ପାଇଁ ନିର୍ଦ୍ଦେଶ ରହିଥିଲେ ତାହା ପାଳନ ନକରି ମନଇଚ୍ଛା ବାଲି ଉଠାଉଥିବା ଅଭିଯୋଗ ହୋଇଛି । ଗୋଟିଏ ରୋୟଲଟି କାଟି ଅନେକ ଗାଡ଼ିରେ ବାଲି ଚାଲାଣ ହେଉଛି ।
ଏହାକୁ ନେଇ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଉନଥିବା ଅଭିଯୋଗ ହୋଇଛି । ବର୍ତ୍ତମାନ ଖରା ଦିନ ନଦୀରେ ପାଣି କମ ରହିଥିବାର ସୁଯୋଗ ନେଇ କିଛି ବାଲି ମାଫିଆ ମାନେ ବିଭିନ୍ନ ସ୍ଥାନରେ ବାଲି ସବୁ ଗଛିତ ରଖିଥିବା ଦେଖାଯାଉଛି, ଯାହା କି ସମ୍ପୂର୍ଣ୍ଣ ବେନିୟମ କାର୍ଯ୍ୟ, ଏଥିପ୍ରତି କାହାର ଦୃଷ୍ଟି ପଡୁନାହିଁ । ଏଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇ ବାଲି ମାଫିଆଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କୋଷାଗୁମୁଡା ବ୍ଲକବାସୀ ଦାବି କରିଛନ୍ତି । ଏନେଇ କୋଡ଼ିଙ୍ଗା ତହସିଲଦାରଙ୍କୁ ପଚାରିବାରୁ ଅଭିଯୋଗ ଆସିଲେ ନିଶ୍ଚିତ ଭାବେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

hiranchal ad1
Leave A Reply

Your email address will not be published.

14 − 4 =