ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ କୋଷରଡ଼ା ଗ୍ରାମରେ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାର କର୍ମଚାରୀଙ୍କ ଠାରୁ ବନ୍ଧୁକ ମୁନରେ ଲୁଟ୍ । କିଛି ଦୁର୍ବୃତ୍ତ ଭାରତ ଫାଇନାନ୍ସ କମ୍ପାନୀରେ କାର୍ଯ୍ୟରତ ଦୁଇ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ତାଙ୍କୁ ଠାରୁ ୧ ଲକ୍ଷ ୯୦ ହଜାର ଟଙ୍କା ଲୁଟି ନେଇ ଚମ୍ପଟ ମାରିଥିବାର ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ, ଭାରତ ଫାଇନାନ୍ସର କର୍ମଚାରୀ ଆନନ୍ଦ ଜେନା ଏବଂ ମାମା ସାହୁ ଏକ ସ୍କୁଟି ଦ୍ୱାରା କୋଷରଡ଼ା ଗ୍ରାମକୁ ଟଙ୍କା ଆଦାୟ ପାଇଁ ଯାଇଥିଲେ । ସେଠାରୁ ମିଟିଂ ସାରି ୧ ଲକ୍ଷ ୯୦ ହଜାର ଟଙ୍କା ଆଦାୟ କରି ଭବାନୀପୁର ପଞ୍ଚାୟତ ମିଟିଂ ପାଇଁ ଯାଉଥିଲେ । ଏତିକି ବେଳେ କୋଷରଡ଼ା ଗ୍ରାମର କିଛି ଦୂରରେ ଚାରି ଜଣ ଯୁବକ ପୂର୍ବରୁ ରୋଡ଼ର ଉଭୟ ପାର୍ଶ୍ୱରେ ସାଧାରଣ ଲୋକଙ୍କ ପରି ବାଇକ ରଖି କରି ଠିଆ ହୋଇଥିଲେ ।ହଠାତ୍ ସେମାନେ ଉଭୟ ଫାଇନାନ୍ସ କର୍ମଚାରୀଙ୍କୁ ଆକ୍ରମଣ କରିବା ସହ ବନ୍ଧୁକ ଦେଖାଇ ଭୟଭୀତ କରାଇ ଟଙ୍କା ଥିବା ବ୍ୟାଗ ଏବଂ ମହିଳା କର୍ମଚାରୀଙ୍କ ମୋବାଇଲ ଲୁଟି କୋଷରଡ଼ା ଗ୍ରାମ ଅଭିମୁଖେ ବାଇକରେ ଫେରାର ହୋଇଯାଇଥିଲେ । ଏନେଇ ଅଭିଯୋଗ ପରେ ପୋଲିସ ତଦନ୍ତ ଜାରି ରଖିଛି ।