ନରହରି ସେଠୀ ହେଲେ କଟକର ନୂଆ ଜିଲ୍ଲାପାଳ

0 67

କଟକ: ରାଜ୍ୟସରକାର ପକ୍ଷରୁ ବରିଷ୍ଠ ଓଏଏସ ତଥା ପଦୋନ୍ନତି ଆଇଏଏସସ୍ତରରେ କିଛି ଅଧିକାରୀଙ୍କୁ ଅଦଳ ବଦଳ କରାଯାଇଥିବା ଜଣାପଡ଼ିଛି । ଏ ନେଇ ରାଜ୍ୟସରକାରଙ୍କ ଜି.ଏ. ଆଣ୍ଡ ପି.ଜି. ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ କଟକ ଜିଲ୍ଲାପାଳ ଡକ୍ଟର ଭବାନୀ ଶଙ୍କର ଚୟନୀଙ୍କର ବଦଳି ହୋଇଯାଇଛି । ତାଙ୍କୁ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ଭାବେ ନୂଆ ଦାୟିତ୍ୱ ଦିଆଯାଇଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ଏହି ନିର୍ଦ୍ଦେଶ ଜାରି କରାଯାଇଛି । ଅନ୍ୟପକ୍ଷରେ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ଥିବା ନରହରି ସେଠୀଙ୍କୁ କଟକ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ସେହିଭଳି ସୁବର୍ଣ୍ଣପୁର ପୂର୍ବତନ ଡେପୁଟି କଲେକ୍ଟର ସଞ୍ଜୟ କୁମାର ପ୍ରତିହାରୀଙ୍କୁ ଇଡକୋ ଲ୍ୟାଣ୍ଡ ଅଫିସର ଭାବେ ବଦଳି କରାଯାଇଥିବାବେଳେ ବିରମହାରାଜପୁର ତହସିଲଦାର ବିବୁଧ ଗଡ଼ନାୟକଙ୍କୁ ଜଗତସିଂହପୁର ଅତିରିକ୍ତ ସବ କଲେକ୍ଟର ଭାବେ ବଦଳି କରାଯାଇଛି । ପୁନଶ୍ଚ ବାଙ୍କୀ ଡମପଡ଼ା ବିଡିଓ ଶ୍ୟାମଳ କୁମାର ରାୟଙ୍କୁ ଭଦ୍ରକ ଅତିରିକ୍ତ ଉପ ଜିଲ୍ଲାପାଳ, ଇଡ଼କୋ ଅତିରିକ୍ତ ଲ୍ୟାଣ୍ଡ ଅଫିସର ଅରୁଣ ତ୍ରିପାଠୀଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଉପ ସଚିବ, କେ.ନୂଆଗାଁ ପୂର୍ବତନ ବିଡିଓ ଜୟଦେବ ଦାସଙ୍କୁ କଳାହାଣ୍ଡି ଭବାନୀ ପାଟଣା ଅତିରକ୍ତ ଉପଜିଲ୍ଲାପାଳ ଭାବେ ବଦଳି କରାଯାଇଥିବା ବିଜ୍ଞପ୍ତିରେ ପ୍ରକାଶ ପାଇଛି ।ସୂଚନା ଯୋଗ୍ୟ ଯେ, ତେବେ ଡକ୍ଟର ଚୟନୀ କଟକରେ ଜିଲ୍ଲାପାଳ ଭାବେ ଯୋଗଦେବା ପର ଠାରୁ କଟକ ଅଞ୍ଚଳର ବହୁବିଧ ଉନ୍ନତି ହୋଇ ପାରିଛି । କଟକ ସହରର ସମସ୍ୟାର ସମାଧାନ ପାଇଁ ଗୋପଦ ଅଭିଯାନ ଠାରୁ ଆରମ୍ଭ କରି ବାଲିଯାତ୍ରା ପଡ଼ିଆର ଉନ୍ନତିକରଣ, କାଗଜ ଡଙ୍ଗା ପ୍ରସ୍ତୁତ କରି କଟକକୁ ଗିନିଜ ବୁକ୍ ଅଫ ରେକର୍ଡ଼ରେ ସ୍ଥାନ ଦିଆଇବା, ବସ୍ତି ଉଚ୍ଛେଦ ଓ ସେମାନଙ୍କୁ ଅନ୍ୟତ୍ର ଥଇଥାନ ସହ ରାଜ୍ୟସରକାରଙ୍କ ପ୍ରତ୍ୟେକ ପ୍ରକଳ୍ପର ସଫଳ ରୂପାୟନ କ୍ଷେତ୍ରରେ ସେ ସ୍ୱତନ୍ତ୍ର ଛାପ ଛାଡିଛନ୍ତି ।

hiranchal ad1
Leave A Reply

Your email address will not be published.

16 + six =