ବୌଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

0 392

ବୌଦ୍ଧ,୧୭ା୫: ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଆଗାମୀ ରଥଯାତ୍ରାକୁ ମହାସମାରୋହରେ ପାଳନ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ଆଜି ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାପାଳ ଶ୍ରୀ ମିଶ୍ର ସମସ୍ତଙ୍କୁ ସ୍ୱାଗତ କରିଥିବାବେଳେ ବିଗତ ବର୍ଷର ଆୟ ବ୍ୟୟର ହିସାବ ଦିଆଯାଇଥିଲା । ଦୁଇବର୍ଷ ହେଲା କରୋନା କଟକଣା ପାଇଁ ନିରାଡମ୍ବର ଭାବରେ ରଥଯାତ୍ରା ଉତ୍ସବକୁ କେବଳ ମନ୍ଦିର ଭିତରେ ପାଳନ କରାଯାଇଥିବାବେଳେ ଚଳିତବର୍ଷ ଏହାକୁ ଧୁମଧାମ୍‌ରେ ପାଳନ କରିବାପାଇଁ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଥିଲା । ରଥଯାତ୍ରା ସମୟରେ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ଆବଶ୍ୟକୀୟ ଶାନ୍ତି ଶୃଙ୍ଖଳା ରକ୍ଷାକୁ ଗୁରୁତ୍ୱ ଦେବାକୁ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଥିଲା । ଆରକ୍ଷୀ ଅଧୀକ୍ଷକ ଜ୍ଞାନ ରଞ୍ଜନ ମହାନ୍ତି ବୈଠକରେ ଯୋଗଦେଇ ଜିଲ୍ଲା ପୋଲିସ ପକ୍ଷରୁ ରଥଯାତ୍ରା ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷାପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବାକୁ ପ୍ରତିଶୃତି ଦେଇଥିଲେ । ରଥ ମରାମତି ତଦାରଖ ପାଇଁ ପୂର୍ତ୍ତ ବିଭାଗ, ମହାରଣା, ମେକାନିକାଲ ଇଂଜିନିୟର, ନିଜାରତ ଅଧିକାରୀ, ଏମଭିଆଇ ଓ ବନଖଣ୍ଡ ଅଧିକାରୀଙ୍କୁ ନେଇ ଏକ କମିଟି ଗଠନ କରାଯିବା ସହିତ ଏହି କମିଟି ପୁରୁଣା ରଥର ଅନୁଧ୍ୟାନ କରି ଏକ ସପ୍ତାହ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । କମିଟି ରିପୋର୍ଟ ପ୍ରଦାନ ପରେ ରଥ ମରାମତି ପାଇଁ ଗଛିତ କାଠ ଅନୁଧ୍ୟାନ କରାଯିବା ପରେ ଆବଶ୍ୟକୀୟ କାଠ ବନ ବିଭାଗ ପକ୍ଷରୁ ଯୋଗାଇଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ରଥଯାତ୍ରା ପରିଚାଳନା ପାଇଁ ଆବଶ୍ୟକୀୟ ପାଣ୍ଠି ସଂଗ୍ରହ ପାଇଁ ଆଲୋଚନା କରାଯିବା ସହିତ ମୀନାବଜାର ପକାଇ ପାଣ୍ଠି ଯୋଗାଡ କରିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା । ଠାକୁରମାନଙ୍କ ଆଭୂଷଣ ଅଳଙ୍କାର ତଦାରଖ ଓ ମରାମତି ଓ ରଥରେ ନୂତନ କପଡା ଲଗାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା । ପୂର୍ତ୍ତବିଭାଗ ଓ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବଡଦାଣ୍ଡର ସ୍ଥିତି ଅନୁଧ୍ୟାନ କରାଯିବା ସହିତ ଆବଶ୍ୟକୀୟ ମରାମତି କରାଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ମାଉସୀ ମା ମନ୍ଦିରରେ ଠାକୁରମାନଙ୍କ ରୋଷଶାଳା ନିର୍ମାଣ, ମାଉସୀ ମା ମନ୍ଦିର ସମ୍ମୁଖରେ ସିଂହଦ୍ୱାର ନିର୍ମାଣ କରାଯିବାକୁ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଥିଲା । ରଥଯାତ୍ରା ଓ ବାହୁଡା ଯାତ୍ରା ସମୟରେ ଧାରାବିବରଣୀ ପ୍ରଦାନ କରାଯିବାକୁ ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗକୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ସେହିପରି ବ୍ରାହ୍ମଣ ସମାଜ ପକ୍ଷରୁ ସଂପାଦକ ଦେବାଶିଷ ପୁରୋହିତ ଦେବସ୍ନାନ ପୂର୍ଣ୍ଣିମା ଠାରୁ ନିଳାଦ୍ରି ବିଜେ ପର୍ଯ୍ୟନ୍ତ ଠାକୁରମାନଙ୍କ ନିତିକାନ୍ତି ପାଳନ ନେଇ ଲଗ୍ନ ପ୍ରଦାନ କରିଥିଲେ । ଠିକ୍‌ ସମୟରେ ଠାକୁରମାନଙ୍କ ନିତିକାନ୍ତି ପାଳନ କରାଯିବାକୁ ବୈଠକରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା, ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅଶ୍ୱିନୀ କୁମାର ମେହେର, ଉପଜିଲ୍ଲାପାଳ ସନତ କୁମାର ନାଏକ, ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର, ବୌଦ୍ଧ ବନଖଣ୍ଡ ଅଧିକାରୀ,ଏନଏସି ନିର୍ବାହୀ ଅଧିକାରୀ ଇଂ ମନୋରଞ୍ଜନ ପଣ୍ଡା, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ଜନସ୍ୱାସ୍ଥ୍ୟ ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆରସିଂ, ରଥଯାତ୍ରା ପରିଚାଳନା କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

seventeen − 8 =