କଣ୍ଟାମାଳ,୨୯/୯- ପୁଅ ମାନଙ୍କ ମଙ୍ଗଳ କାମନା କରି ମା ମାନେ ପାଳନ କରୁଥିବା ବ୍ରତ ପୁଅଜୀଉଁତିଆ ଯାହା ପଶ୍ଚିମ ଓଡିଶାର ଏକ ପ୍ରମୁଖ ବ୍ରତ ଭାବେ ପରିଚିତ । ଏହି ବ୍ରତ ଆଧୁନିକତାର ସ୍ପର୍ଶ ପାଇ ସୁଦ୍ଧା ଏବେବି ତାର ସ୍ୱତନ୍ତ୍ର ମର୍ଯ୍ୟାଦା ବଜାୟ ରଖିପାରିଛି । ରାଜ୍ୟର କେତେକ ସ୍ଥାନରେ ଏହା ଦୁତୀବାହାନ ଓଷା ଭାବେ ପରିଚିତ । ଏହି ପର୍ବ ଉଭୟ ଧାର୍ମୀକ ଏବଂ ଆଧ୍ୟାତ୍ମିକ ଭାବନା ବହନ କରି ମା ଓ ପୁଅ ମଧ୍ୟରେ ରହିଥିବା ସଂପର୍କକୁ ଦୃଢ କରିବା ସହ ସାମାଜିକ ବନ୍ଧନକୁ ଅତୁଟ ରଖିବାରେ ସହାୟକ ହୋଇଥାଏ । କରୋନା କଟକଣା ସତ୍ତେ୍ୱ ଆଜି ଏହି ବ୍ରତ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ବିଭିନ୍ନ ଗ୍ରାମରେ ନିଷ୍ଠା ଓ କାଷ୍ଠାରେ ପାଳିତ ହୋଇଯାଇଛି । ସାଧାରଣତଃ ମହିଳା ମାନଙ୍କ ଦ୍ୱାରା ପାଳନ ହେଉଥିବା ଏହିବ୍ରତ ଆଶ୍ୱିନ କୃଷ୍ଣପକ୍ଷ ଅଷ୍ଟମୀ ତିଥୀରେ ପାଳନ କରାଯାଇଥାଏ । ଏହି ଦିନ ବ୍ରତଧାରୀ ମା ମାନେ ଦିନ ତମାମ ନିର୍ଜଳା ଉପବାସ ରହି ସନ୍ଧ୍ୟା ସମୟରେ ଗାଁର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ମଣ୍ଡପ ସ୍ଥାପନ କରି ମା ଦୁତିବାହାନଙ୍କୁ ପୂଜା କରିଥାନ୍ତି । ପୂଜା ସାମଗ୍ରୀ ଭାବେ ପ୍ରତିଟି ପୁଅ ପାଇଁ ୧୦୮ଟି ଦୁବ ସହ କଷିଭେଣ୍ଡି,କାକୁଡି, ଆତ(ବଢଲ),ବେଲ, ଅଁଳା ଡାଳ, ବିଭିନ୍ନ ଫୁଲ ସହ ୧୦୮ଟି ଅକ୍ଷତ ଅରୁଆ ଚାଉଳ ଆଦି ବ୍ୟବହାର କରିଥାନ୍ତି । ବ୍ରତଧାରୀ ମାନେ ପୂଜାସ୍ଥଳୀକୁ ନେଇ ଯାଉଥିବା ପୂଜା ପରାତରେ ଲିଆର ତିଆରି ଜୁଗାର ଓ ଜାଗର ବେଶ ଆକର୍ଷଣୀୟ ଦିଶୁଥାଏ । ପୂର୍ବେ ଗ୍ରାମର ସମସ୍ତ ମହିଳା ଗ୍ରାମ୍ୟ ମୁଖିଆଙ୍କ ଘର ସମ୍ମୁଖରେ ନିର୍ମିତ ପୂଜା ମଣ୍ଡପରେ ପୂଜା କରୁଥିବା ବେଳେ ସମୟକ୍ରମେ ଏହି ବ୍ୟବସ୍ଥାର ପରିବର୍ତନ ହୋଇ ଗ୍ରାମର ପ୍ରତ୍ୟେକ ସାହି ଏବଂ ଘରେ ଘରେ ମଣ୍ଡପ ତିଆରି ହେବା ସହ ବ୍ରତଧାରୀ ମହିଳାମାନେ ଭାଗ ଭାଗ ହୋଇ ପୂଜା କରୁଥିବା ଦେଖିବାକୁ ମିଳୁଛି । ଏହି ପୂଜା ଅବସରରେ ପୁରୋହିତ ମା ଦୁ୍ତିବାହାନଙ୍କୁ ପୂଜା କରିବା ସହ ବ୍ରତାଧାରୀ ମାନଙ୍କୁ ପୁଅ ଜୀଉଁତିଆର ମହାତ୍ମ୍ୟ ସଂପର୍କରେ ରହିଥିବା ଗୀତକୁ ଗାଇ ଶୁଣାଇଥାନ୍ତି ।
ଏହି ବ୍ରତର ପରବର୍ତୀ ଦିନ ମା ମାନେ ପ୍ରାତଃ ସମୟରୁ ଉଠି ଦଳଗତ ହୋଇ ଗ୍ରାମ ପୋଖରୀ,ନଦୀକୁ ଯାଇ ସ୍ନାନ କରିବା ସହ ଗାଧୁଆ ତୁଠରେ ବାଲି ବେଦି ପ୍ରତିଷ୍ଠା କରି ଶାଳକାଠି ପୋତିବା ପରେ ଚଣା ଗିଳି ଘରକୁ ଫେରିଥାନ୍ତି । ଘରକୁ ଆସିବା ପରେ ମା ମାନେ ପୁଅ ମାନଙ୍କୁ ଜୀଉଁତିଆ ଉତାରି କଲ୍ୟାଣ କରିବା ସହ ସେମାନଙ୍କ ଦୀର୍ଘ ଜୀବନ କାମନା କରିଥାନ୍ତି । ଏଥିପାଇଁ ପ୍ରତ୍ୟେକ ମା ପୂର୍ବରୁ ପୂଜା କରି ରଖିଥିବା ୧୦୮ଦୁବ,ଚାଉଳ ଓ ଜିଉଁତିଆରେ ବନ୍ଧା ବିଡାକୁ ପୁଅର ଦେହରେ ସାତଥର ଛୁଆଁଇବାର ବିଧି ରହିଛି । ଏହି ବ୍ରତ ପୁତ୍ର ଦାତ୍ରୀ ମହିଳାଙ୍କ ସମେତ ଅପୁତ୍ରିକ ନାରୀମାନେ କରିଥାନ୍ତି । ପୁଅ ଜୀଉଁତିଆକୁ ଆଖି ଆଗରେ ରଖି ଦୂରଦୂରାନ୍ତରେ ଥିବା ପୁଅମାନେ ଘରକୁ ଆସି ମା ଠାରୁ ଆଶିର୍ବାଦ ନେଇ ଫେରିଥାନ୍ତି ।
Sign in
Sign in
Recover your password.
A password will be e-mailed to you.
Prev Post