ଖପ୍ରାଖୋଲ : ବଲାଙ୍ଗୀର ଜିଲ୍ଲା ଲାଠୋର ଥାନା ସଦର ଗ୍ରାମ ହରିଶଙ୍କର ରେଳଷ୍ଟେସନ ନିକଟରୁ ମଙ୍ଗଳବାର ମଧ୍ୟରାତ୍ରୀରେ ୧୧ ଜଣ ମହିଳା ପୁରୁଷ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିବା ନେଇ ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି । ସୂଚନା ଅନୁସାରେ ମଙ୍ଗଳବାର ସଂଧ୍ୟାରେ କୌଣସି ବିଶ୍ୱସ୍ତ ସୂତ୍ରରୁ ଲଠୋର ପୋଲିସ ଖବର ପାଇଲେ ଯେ ମଧ୍ୟାରାତ୍ରିରେ ହରିଶଙ୍କର ରୋଡ଼ ରେଳ ଷ୍ଟେସନରୁ ପିପଲବାହାଲ ଗ୍ରାମର ଦାଦନ ସର୍ଦ୍ଦାର ସୁମନ ଭୋଇ ଦାଦନ ଶ୍ରମିକମାନଙ୍କୁ ବାହାର ରାଜ୍ୟକୁ ଟ୍ରେନ ଯୋଗେ ଚାଲାଣ କରିବ । ଏହି ଖବର ଜାଣିବା ପରେ ପୋଲିସ ତତ୍ପରତା ଦେଖାଇ ଉକ୍ତ ଦାଦନ ଶ୍ରମିକ ମାନଙ୍କୁ ରେଳ ଷ୍ଟେସନ ନିକଟରୁ ଏକ ନୀଳ ରଙ୍ଗର ଟାଟା ପିକଅପ ଭ୍ୟାନ ଗାଡ଼ି ନଂ ଓଡ଼ି ୧୭ ଡି ୯୧୯୨ ରୁ ଉଦ୍ଧାର କରିବା ସହ ଚାଲାଣ କାରୀ ଦାଦନ ସର୍ଦ୍ଦାର ସୁମନ ଭୋଇକୁ ମଧ୍ୟ ଗିରଫ କରାଯାଇଥିଲା । ଥାନାକୁ ଆଣି ପଚରା ଉଚରା କରିବାରୁ ଉକ୍ତ ଉଦ୍ଧାର ଦାଦନ ଶ୍ରମିକ ମାନେ ବରଗଡ଼ ଜିଲ୍ଲା ପାଇକମାଲ ଥାନା ସାଲେପାଲି ଗ୍ରାମର ସେମାନଙ୍କୁ ନିଜ ଗ୍ରାମକୁ ନେଇ ଛାଡି ଦେଇଥିବା ପୋଲିସ ପକ୍ଷରୁ କୁହାଯାଉଛି । ଏନେଇ ଲଠୋର ଥାନା କେଶ ନଂ ୧୧୯ ରେ ଏକ ମାମଲା ରୁଜୁ କରି ଗିରଫ ଦାଦନ ସର୍ଦ୍ଦାରକୁ କୋର୍ଟ ଚାଲାଣ କରାଯାଇ ଥିବା ଥାନା ଅଧିକାରୀ ଝସ କେତନ ଭୋଇ ପ୍ରକାଶ କରିଛନ୍ତି ।