ପ୍ରବାସୀ ଓଡ଼ିଆଙ୍କ ଦୁଃଖ ମୁଖ୍ୟମନ୍ତ୍ରୀଙ୍କୁ କରୁଛି ବ୍ୟଥିତ

0 95

ଭୁବନେଶ୍ୱର : ଲକ୍‌ଡାଉନ୍ ଯୋଗୁଁ ଦେଶର ବାହାର ରାଜ୍ୟଗୁଡ଼ିକରେ ଫଶି ରହିଥିବା ପ୍ରବାସୀ ଓଡ଼ିଆଙ୍କ ଦୁଃଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅତ୍ୟନ୍ତ ବ୍ୟଥିତ କରିଛି ବୋଲି କୋଭିଡ୍‌-୧୯ର ସରକାରୀ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ଆମକୁ କହିଛନ୍ତି । ସେ କହିଛନ୍ତି, କେନ୍ଦ୍ର ସରକାରଙ୍କର ଲକ୍‌ଡାଉନ୍ ଗାଇଡଲାଇନ୍‌କୁ ନେଇ ଆନ୍ତଃରାଜ୍ୟ ଯୋଗାଯୋଗ ବନ୍ଦ ହୋଇଥିବାରୁ ଏ ନେଇ ପଦକ୍ଷେପ ନିଆଯାଇ ପାରୁନାହିଁ । ଏହା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଚିଠି ଲେଖି ପ୍ରବାସୀ ଓଡ଼ିଆମାନଙ୍କର ଖାଇବା, ରହିବା ସୁବନ୍ଦୋବସ୍ତ କରିବା ପାଇଁ ଅନୁରୋଧ କରିଛନ୍ତି । ଏ ନେଇ ଯାହା ଖର୍ଚ୍ଚ ହେବ ତାହା ମଧ୍ୟ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଭରଣା କରିବାର ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି । କେବଳ ସେତିକି ନୁହେଁ, କେନ୍ଦ୍ର ସରକାରଙ୍କୁ ମଧ୍ୟ ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅବଗତ କରାଇଛନ୍ତି । କୋଭିଡ୍‌-୧୯ର ଭୟାବହତା ଜାଣିବା ଏବଂ ଏହା ମଧ୍ୟରେ ପ୍ରବେଶ କରିବା ଅତ୍ୟନ୍ତ କଠିନତର ହୋଇଥିବାରୁ ଲକ୍‌ଡାଉନ୍‌, ସଟ୍‌ଡାଉନ୍‌, କଣ୍ଟେନମେଣ୍ଟ, ହଟସ୍ପଟ୍ ଭଳି କଠୋର ନିଷ୍ପତ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନେଇଛନ୍ତି । ଶ୍ରୀ ବାଗ୍‌ଚୀ କହିଛନ୍ତି ଯେ, ଆମ ରାଜ୍ୟର ଶ୍ରମିକ ଯେ, କେବଳ ବାହାରେ ଫଶି ରହିଛନ୍ତି ତାହା ନୁହେଁ, ବାହାର ରାଜ୍ୟର ୭୦ ହଜାରରୁ ଅଧିକ ଶ୍ରମିକ ଆମ ରାଜ୍ୟରେ ମଧ୍ୟ ଫଶି ରହିଛନ୍ତି । ଆମେ ସେମାନଙ୍କୁ ଶ୍ରମଗୃହରେ ଆରାମରେ ରଖିବା ସହିତ ଖାଦ୍ୟପେୟ ଓ ରହଣୀର ବ୍ୟବସ୍ଥା କରିଛୁ । ଓଡ଼ିଶା ଏଭଳି ଏକ ରାଜ୍ୟ, ଯିଏକି ବହୁ ପୂର୍ବରୁ ବିପତ୍ତି ମୁକାବିଲା କରି ବହୁ ଅଭିଜ୍ଞତା ଅର୍ଜନ କରିଛି । ସେଥିପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କରୋନା ମହାମାରୀ ବିପତ୍ତି ସମୟରେ ଆଗୁଆ ପଦକ୍ଷେପ ନେଇ ରାଜ୍ୟରେ ଏହାକୁ ନିୟନ୍ତ୍ରଣାଧିନ ରଖିପାରିଛନ୍ତି । କିନ୍ତୁ ଅନ୍ୟ ରାଜ୍ୟ କ୍ଷେତ୍ରରେ ଏଭଳି ଅଭିଜ୍ଞତା ନଥିବାରୁ ସେଠାରେ ବିଶେଷ କରି ମହାରାଷ୍ଟ୍ର ଭଳି ରାଜ୍ୟରେ ଏହା ଅଧିକ ସଂକ୍ରମିତ ହୋଇଛି । ତେଣୁ ଏହାକୁ ନେଇ ଆମ ରାଜ୍ୟର କେତେକ ଗଣମାଧ୍ୟମରେ ରାଜ୍ୟ ସରକାର ରାଜ୍ୟର କରୋନା ସ୍ଥିତି ନେଇ ଭ୍ରମାତ୍ମକ ତଥ୍ୟ ତଥା ତଥା ସମାେଲୋଚନା ନେଇ ସରକାରଙ୍କ ନଜରକୁ ଆସିଛି । କିନ୍ତୁ ତାଙ୍କ ଜାଣିବାରେ ସେ ଏ ସମ୍ପର୍କରେ କୌଣସି ତଥ୍ୟ ଭ୍ରମାତ୍ମକ କିମ୍ବା ତୃଟିପୂର୍ଣ୍ଣ ଭାବରେ ପ୍ରଦାନ କରୁନାହାଁନ୍ତି । ସେ କୌଣସି ଭୁଲ୍ ତଥ୍ୟ ଓଡ଼ିଶାବାସୀଙ୍କୁ ଦେଉଥିଲେ ଦାୟିତ୍ୱରୁ ଓହରିଯିବେ । ଶ୍ରୀ ବାଗ୍‌ଚୀ କହିଥିଲେ ଯେ, ମୁଁ କୌଣସି ରାଜନେତା ନୁହେଁ କିମ୍ବା ପ୍ରଶାସକ ନୁହେଁ । ଗତ ଚାରି ବର୍ଷ ଧରି ସରକାରଙ୍କ ସହିତ କାର୍ଯ୍ୟ କରୁଛି । ମୋତେ ଏହି ଦାୟିତ୍ୱ ଦେଇଥିବାରୁ ଏହାକୁ ମୁଁ ସୁଚାରୁରୂପେ ତୁଲାଉଛି । ଏଥିପାଇଁ ଏକ ବଡ଼ ଟିମ୍ କାର୍ଯ୍ୟ କରୁଛି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହାର ନେତୃତ୍ୱ ନେଉଛନ୍ତି । ତେଣୁ ପ୍ରକୃତ କରୋନା ଯୋଦ୍ଧାର ସେନାପତି ହେଉଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ । ଭଗବାନ ନକରନ୍ତୁ ଆମ ରାଜ୍ୟ ସଂକ୍ରମଣର ସଙ୍ଗୀନ୍ ଅବସ୍ଥା ନଦେଖୁ । ଆମେ ଖୁବ୍‌ଶୀଘ୍ର ଏହି ସ୍ଥିତିରୁ ମୁକୁଳିଯିବା ବୋଲି ଶ୍ରୀ ବାଗ୍‌ଚୀ କହିଥିଲେ ।

hiranchal ad1
Leave A Reply

Your email address will not be published.

14 + sixteen =