ଜେଇଙ୍କ ଘରେ ଭିଜିଲାନ୍ସ ଚଢାଉ

0 197

ଦେବଗଡ,୧୧/୧୦- ଦେବଗଡ ଜିଲ୍ଲା ତିଲେଇବଣୀ ବ୍ଲକରେ କାର୍ଯ୍ୟରତ ଠିକା କନିଷ୍ଠ ଯନ୍ତ୍ରୀ ବିକାଶ କୁମାର ବେହେରାଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛନ୍ତି । ସୋମବାର ସକାଳୁ ଏନେଇ ଏକକାଳୀନ ତିନୋଟି ଯାଗାରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ବିକାଶଙ୍କ ବଳମ ଗ୍ରାମ ସ୍ଥିତ ପୈତୃକ ବାସଭବନ, କଣ୍ଢଳ ଗ୍ରାମରେ ଥିବା ଶଶୁର ଡିଲେଶ୍ୱର ସାହୁଙ୍କ ବାସଭବନ ଓ ତିଲେଇବଣୀ ବ୍ଲକ କାର୍ଯ୍ୟାଳୟରେ ତାଙ୍କ ଅଫିସ୍‌ ରୁମରେ ଚଢାଉ କରାଯାଇଛି । ବଳମ ଗ୍ରାମରେ ରାଉରକେଲା ଭିଜିଲାନ୍ସ ଡିଏସପି ବିରେନ୍ଦ୍ର କୁମାର ନାୟକ, ଦେବଗଡ ଭିଜିଲାନ୍ସ ଡିଏସପି ଯୋଗେଶ ପ୍ରସାଦ ପଟେଲ ନେତୃତ୍ୱରେ ଚଢାଉ କରାଯାଇଥିବା ବେଳେ କଣ୍ଢଳ ଗ୍ରାମ ସ୍ଥିତ ଶ୍ୱଶୁର ଡିଲେଶ୍ୱର ସାହୁଙ୍କ ବାସଭବନରେ ଝାରସୁଗୁଡା ଭିଜିଲାନ୍ସ ଡିଏସପି ପ୍ରଦୀପ କୁମାର ଆଇନ୍ଦଙ୍କ ନେତୃତ୍ୱରେ ଚଢାଉ କରାଯାଇଥିଲା । ତିଲେଇବଣୀ ବ୍ଲକ କାର୍ଯ୍ୟାଳୟରେ ରାଉରକେଲା ଭିଜିଲାନ୍ସ ଡିଏସପି କାଦମ୍ବିନୀ ସାମଲଙ୍କ ନେତୃତ୍ୱରେ ଚଢାଉ କରାଯାଇଛି । ଜେଇ ବିକାଶ କୁମାର ବେହେରା ୨୦୧୫ ମସିହା ନଭେମ୍ବର ୪ ତାରିଖରେ ସରକାରୀ ଚାକିରୀରେ ଠିକା କର୍ମଚାରୀ ଭାବରେ ଯୋଗ ଦେଇଥିଲେ । ଏପର୍ଯ୍ୟନ୍ତ ତାଙ୍କ ଚାକିରୀ ନିୟମିତ ହୋଇନଥିବାବେଳେ ସେ ଖୁବ କମ୍‌ଦିନ ମଧ୍ୟରେ ବିପୁଳ ପରିମାଣର ଟଙ୍କା ଅର୍ଜନ କରିଥିବା ଅଭିଯୋଗ ହୋଇଛି । ଭିଜିଲାନ୍ସ ବିଭାଗ ପକ୍ଷରୁ ତାଙ୍କ ଘରେ ଚଢାଉ ସମୟରେ ନଗଦ ତିନି ଲକ୍ଷ ଟଙ୍କା ସହ ସୁନା ଅଳଙ୍କାର, ବିଭିନ୍ନ ବ୍ୟାଙ୍କର ପାସବୁକ ଜବତ କରାଯାଇଛି । ତାଙ୍କ ନାମରେ ଗୋଟିଏ ବଲେରୋ ରହିଥିବା ବେଳେ ବାପାଙ୍କ ନାମରେ ଇଣ୍ଡିକା କାର ଓ ଭିଣୋଇଙ୍କ ନାମରେ ଗୋଟିଏ ନୂତନ ହୁଣ୍ଡାଇ କ୍ରେଟା ଗାଡି କିଣାଯାଇଥିବା ଭିଜିଲାନ୍ସ ଅନୁସନ୍ଧାନରୁ ଜଣାପଡିଛି । ସେହିଭଳି ସମ୍ବଲପୁରରେ ଗୋଟିଏ ପ୍ଲଟ, ଦେବଗଡ ସହରରେ ଦୁଇଟି ପ୍ଲଟ ଓ ତାଙ୍କ ଗ୍ରାମ ନିକଟରେ ୫୭ ଟି ପ୍ଲଟ ସହ ମୋଟ ଷାଠିଏଟି ପ୍ଲଟ ସେ କିଣିଥିବା ତଦନ୍ତରୁ ଜଣାପଡିଛି । ବିକାଶ ତିଲେଇବଣୀ ବ୍ଲକ ଅନ୍ତର୍ଗତ ବଣିଆକିଲିଣ୍ଡା, ବଡଛାପଲ ଓ ଛେପଲିପାଲି ଗ୍ରାମ ପଞ୍ଚାୟତ ଦାୟିତ୍ୱରେ ରହିଥିବା ବିଭିନ୍ନ ଠିକା କାମର ବିଭାଗୀୟ କାର୍ଯ୍ୟାଦେଶ ନିଜ ନାମରେ ରଖିଥିଲେ । ତାଙ୍କ ଘରେ ଗୋଟିଏ ରୁମ ମଧ୍ୟରୁ ସରକାରୀ ଫାଇଲ ଓ ବିଲ ବୁକ ମଧ୍ୟ ମିଳିଥିବା ସୂଚନା ମିଳିଛି । ବିକାଶ ତାଙ୍କ ପୈତୃକ ବାସଭବନର ପୁନରୁଦ୍ଧାର ପାଇଁ ବିପୁଳ ଅର୍ଥ ଖର୍ଚ୍ଚ କରିଥିବାର ପ୍ରମାଣ ଭିଜିଲାନ୍ସ ହାତରେ ଲାଗିଛି । ବିକାଶଙ୍କ ଘରକୁ କିଏ ଆସୁଛି ଓ ଯାଉଛି ତାର ତଦାରଖ ପାଇଁ ଘରର ବିଭିନ୍ନ ସ୍ଥାନରେ ସିସି ଟିଭି କ୍ୟାମେରା ଲଗାଯାଇଥିବା ଦେଖିବାକୁ ମିଳିଛି । ବିକାଶ ଦୂର୍ନୀତି କରି ବିପୁଳ ଅର୍ଥ ରୋଜଗାର କରିଥିବା ଅଭିଯୋଗ ହୋଇଛି । ଅପରପକ୍ଷରେ ଏସବୁ ଅଭିଯୋଗକୁ ବିକାଶ ଖଣ୍ଡନ କରିଛନ୍ତି । ତାଙ୍କ କହିବା କଥା ତାଙ୍କ ବାପା ଓ ତାଙ୍କ ନାମରେ କୋଟିଏ ଟଙ୍କାରୁ ଉର୍ଦ୍ଧ୍ୱ ବ୍ୟାଙ୍କ ଋଣ ରହିଛି । ସେହିଭଳି ସେ ଚାକିରୀ ପୂର୍ବରୁ ବ୍ୟବସାୟ କରି ଅର୍ଥ ରୋଜଗାର କରିଥିଲେ । ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ବିକାଶଙ୍କ ସମସ୍ତ ବ୍ୟାଙ୍କ ଆକାଉଣ୍ଟ ର ବିବରଣୀ ମିଳିନଥିବା ବେଳେ ଆଗକୁ ତାଙ୍କ ସମ୍ପତ୍ତି ତାଲିକା ବଢିବା ସମ୍ଭାବନା ରହିଛି ।

hiranchal ad1
Leave A Reply

Your email address will not be published.

2 × 1 =