ନଦୀ ମଝିର ଗାଁ, ସଂସ୍କୃତି ତା’ର ଅତି ନିଆରା

0 4,339

ବୈାଦ୍ଧ:ସମୁଦ୍ର ମଧ୍ୟରେ ହଜାର ଦ୍ୱୀପପୁଞ୍ଜ ରହିଛି ଓ ସେଠାରେ ଲୋକେ ବସବାସ କରୁଥିବା ଜାଣିଛୁ ମାତ୍ର ନଦୀମଝିରେ ଗାଆଁଟିଏ ଓ ସେଥିରେ ହଜାରେରୁ ଅଧିକ ଲୋକ ବସବାସ କରିବା କଥା ଅନେକ ଲୋକ ଜାଣିନଥିବେ । ନଦୀମଝିରେ ଥିବା ଏପରି ଏକ ଭୂଖଣ୍ଡ ମର୍ଜାକୁଦ ଓ ତାହା ବୌଦ୍ଧଜିଲ୍ଲାରେ ବଉଦ ସହର ମଧ୍ୟରେ ରହିଛି ଭାରତ କାହିଁକି ଓଡିଶାର ଅନେକ ଲୋକ ଜାଣିନାହାନ୍ତି ।


ବୌଦ୍ଧ ଏନଏସି ଅନ୍ତର୍ଗତ ୱାର୍ଡ ନଂ ୧୩ ଓ ୧୪ ମର୍ଜାକୁଦକୁ ନେଇ ଗଠିତ । ଭୋଟର ସଂଖ୍ୟା ହଜାରେରୁ ଅଧିକ ଓ ପ୍ରାୟ ୧୫ଶହ ଜନସଂଖ୍ୟା ବାସକରୁଥିବା ଦ୍ୱୀପ ହେଉଛି ମର୍ଜାକୁଦ । ଗ୍ରାମରେ ମୁଖ୍ୟତଃ କେଉଟ, ଭୁଲିଆ, ଶୁଦ ଓ ହରିଜନ ସଂପ୍ରଦାୟର ଲୋକ ବାସକରନ୍ତି । କେଉଟମାନଙ୍କ ବୃତ୍ଥି ନଦୀରୁ ମାଛମାରିବା, ଭୁଲିଆମାନଙ୍କ ବୃତ୍ତି ତନ୍ତ ଚାଳନା ଓ ଶୁଦମାନେ ଚାଷବାସକୁ ଆଦରି ଜୀବନଜୀବିକା ନିର୍ବାହକରି ଆସିଥାନ୍ତି । କିମ୍ବଦନ୍ତୀ ଅନୁଯାୟୀ ମହାନଦୀ ଜଳକୁ ବୌଦ୍ଧସହରପଟକୁ ଆଣିବାପାଇଁ ବୌଦ୍ଧର କୌଣସି ଏକ ରାଜା ଏପଟେ ମହାନଦୀର ଏକ ଧାର ଖୋଳାଇଥିଲେ । କାଳକ୍ରମେ ଏ ଧାରଟି ବଢିବାରେ ଲାଗିଲା ଓ ମର୍ଜାକୁଦ ମହାନଦୀ ମଝିରେ ରହିଯାଇଥିଲା । ଏପଟେ ଏତେଛୋଟ ଜଳଧାର ପ୍ରବାହିତ ହେଉଥିଲା ଯେ ବିଲେଇମାନେ ଧାରକୁ କୁଦାମାରି ଡେଇଁ ମର୍ଜାକୁଦ ଯାଉଥିଲେ ଓ ଆସୁଥିଲେ । ବିଲେଇକୁ ମାର୍ଜାର କୁହାଯାଉଥିବାରୁ ଓ ଜଳାଧାରକୁ ଡେଇଁ ବା କୁଦାମାରି ଯାଉଥିବାରୁ ଏ ଅଞ୍ଚଳର ନାମ ମାର୍ଜାରକୁଦ ବା କାଳକ୍ରମେ ଅପଭ୍ରଂଶ ହୋଇ ମର୍ଜାକୁଦ ନାମରେ ନାମିତ ହୋଇଅଛି ।

hiring


ବୌଦ୍ଧ ସହରର ପୂର୍ବଦିଗରେ ପ୍ରାୟ ୧କି.ମି ଦୂରରେ ମର୍ଜାକୁଦ ରହିଛି । ମହାନଦୀ ବୌଦ୍ଧସହର ନିକଟରେ ଦୁଇଭାଗ ହୋଇ ତଳେ ପୁଣି ଉଭୟ ଧାରର ମିଳନ ହୋଇଛି । ଏହି ଉଭୟ ଧାରାର ମଧ୍ୟବର୍ତ୍ତୀ ସ୍ଥଳଭାଗ ହେଉଛି ମର୍ଜାକୁଦ । ମର୍ଜାକୁଦବାସୀ ସମସ୍ତ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ର ପାଇଁ ବୌଦ୍ଧସହର ଉପରେ ନିର୍ଭର କରନ୍ତି । ଯାତାୟାତର ମାଧ୍ୟମ କେବଳ ଡଙ୍ଗା । ଅପରପାଶ୍ୱର୍ରେ ଆଠମଲ୍ଲିକ ଉପଖଣ୍ଡର ଘୋଡାଗାଡି ଗ୍ରାମ ।

ମର୍ଜାକୁଦର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା ପିତାବଳୀ । ଗ୍ରାମ ମଧ୍ୟରେ ରହିଛି ପିତାବଳୀଙ୍କ ଏକ ମନ୍ଦିର । ଦେବୀ ପିତାବଳୀଙ୍କ ବ୍ୟତୀତ ଶ୍ରୀଜଗନ୍ନାଥ ମଧ୍ୟ ପୂଜା ପାଉଛନ୍ତି । ଏକ ଶିବମନ୍ଦିର ମଧ୍ୟ ରହିଛି । ମୁକ୍ତାକାଶ ତଳେ ଦେବୀ ସତୀକନ୍ୟା, ହନୁମାନ, ଗ୍ରାମ ଦେବତୀ ଓ ନଦୀଘାଟରେ ପିତାବଳୀଙ୍କ ଅନ୍ୟ ଏକ ପିଠ ମଧ୍ୟ ରହିଛି । ମାର୍ଗଶୀର ମାସ ପୂର୍ଣ୍ଣିମାରେ ଦେବୀ ପିତାବଳୀ ଓ ସତୀକନ୍ୟାଙ୍କ ପୀଠରେ ଅନନ୍ୟ ପର୍ବ ଚୁଡାଖାଇ ଗ୍ରାମବାସୀ ପାଳନ କରିଥାନ୍ତି । ଅଶ୍ଲିଳ ବୋଲି ଗାନ କରିକରି ଢୋଲ, ନିଶାଣ ଓ ମହୁରୀର ତାଳେ ତାଳେ ଆବାଳ ବୃଦ୍ଧ ବନିତା ଦେବୀଙ୍କ ଆରାଧନା କରିବାର ବିରଳ ପରଂପରା ରହିଛି । ଏହାର ଠିକ୍ ଆଠଦିନ ପରେ ପୁନର୍ବାର ସେହି ଧାରାରେ ନଦୀକୂଳ ଡଙ୍ଗାଘାଟରେ ଥିବା ଦେବୀ ପିତାବଳୀଙ୍କ ପିଠରେ ଆଠମଙ୍ଗଳା ଯାତ୍ରା ମହାସମାରୋହରେ ପାଳିତ ହୋଇଥାଏ । ଆଷାଢ ମାସରେ ରଥଯାତ୍ରା ଓ ବାହୁଡାଯାତ୍ରା ମଧ୍ୟ ପାଳନ କରାଯାଏ । ମର୍ଜାକୁଦ ନିକଟରେ ମହାନଦୀର ତଳମୁଣ୍ଡରେ ଆଉ ଏକ ଛୋଟ ଦ୍ୱୀପ କୁଲାରୀକୁଦ ରହିଛି । ଏଠାରେ କୌଣସି ଜନମାନବ ବାସ କରନ୍ତି ନାହିଁ । ଏଠାରେ ମଧ୍ୟ ଦୁଇଟି ଶିବଲିଙ୍ଗ ଓଗୋଟିଏ ଦେବୀଙ୍କ ବିଗ୍ରହ ପୃଥକ ପୃଥକ ପିଠ ମନ୍ଦିରରେ ପୂଜା ପାଉଛନ୍ତି । ବିଶେଷ ପର୍ବପର୍ବାଣୀରେ କେବଳ କୁଲାରୀକୁଦରେ ପୂଜାର୍ଚ୍ଚନା କରାଯାଇଥାଏ ।
ମର୍ଜାକୁଦବାସୀ ଲୁଗାବୁଣା, ମାଛମରା ଓ କୃଷିକାର୍ଯ୍ୟକୁ ଆଧାର କରି ଜୀବନଜୀବିକା ନିର୍ବାହ କରିଆସୁଛନ୍ତି । ମର୍ଜାକୁଦରେ ଏକ ପ୍ରାଥମିକ ବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟ ରହିଛି । ଉଚ୍ଚଶିକ୍ଷା ପାଇଁ ଡଙ୍ଗା ପାର ହୋଇ ବୌଦ୍ଧ ସହରକୁ ଛାତ୍ରଛାତ୍ରୀମାନେ ଦୈନନ୍ଦିନ ଆସିଥାନ୍ତି । ମହାନଦୀରେ ଯେତେ ବଢି ଆସିଲେ ମଧ୍ୟ ମାଁ ପିତାବଳୀ ଦେବୀଙ୍କ ଦୟାରୁ ମର୍ଜାକୁଦ ମଧ୍ୟକୁ ବନ୍ୟା ଜଳ ପ୍ରବେଶ କରିପାରେନାହିଁ ବୋଲି ସେମାନଙ୍କର ବିଶ୍ୱାସ ରହିଛି । ମହାନଦୀର ଉଭୟ ଶାଖାରୁ ଉଠାଜଳସେଚନ ମାଧ୍ୟମରେ ଜଳସେଚନ କରି ଧାନଚାଷ ସହ ରବି ଫସଲ କରିଥାନ୍ତି କୃଷକମାନେ । ବର୍ତ୍ତମାନ ବୌଦ୍ଧ ସହରର ମାଷ୍ଟରଲାଇନଠାରୁ ମର୍ଜାକୁଦକୁ ସରକାର ଏକ ପୋଲ ନିର୍ମାଣ ପାଇଁ କାର୍ଯ୍ୟ ଆରମ୍ଭ କରିଛନ୍ତି ।
ମର୍ଜାକୁଦର ପ୍ରାକୃତିକ ପରିବେଶ ପର୍ଯଟଙ୍କ ବିଶେଷ ଆକର୍ଷଣ କରିଥାଏ ମହାନଦୀରେ ନୌକାବିହାର ଦର୍ଶକଙ୍କୁ ଆମୋଦି କରିବା ସହ ପ୍ରତିବର୍ଷ ଅନେକ ଲୋକ ବଣଭୋଜି ପାଇଁ ଏଠାକୁ ଆସିଥାନ୍ତି ।

hiranchal ad1
Leave A Reply

Your email address will not be published.

19 + twenty =