ପାରୁଆ ପଞ୍ଚାୟତରେ ପ୍ରସ୍ତାବିତ ବିଦେଶୀ ମଦ ଦୋକାନକୁ ବିରୋଧ

0 74

ନବରଙ୍ଗପୁର,୫/୧୦- ଜିଲ୍ଳାର ରାଇଘର ବ୍ଲକ ଅନ୍ତର୍ଗତ ପାରୁଆ ପଞ୍ଚାୟତରେ ଏକ ଠିପି ଖୋଲା ବିଦେଶୀ ମଦ ଦୋକାନ ଖୋଲିବାକୁ ବିରୋଧ କରି ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି । ଆଜି ପାରୁଆ ଅଞ୍ଚଳର ମହିଳା ଓ ପୁରୁଷମାନେ ନବରଂଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଏହି ଦାବିପତ୍ର ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଡେପୁଟି ଜିଲ୍ଲାପାଳଙ୍କୁ ହସ୍ତାନ୍ତର କରିଥିଲେ । ଦାବିପତ୍ର ଅନୁଯାୟୀ ନିକଟରେ ପାରୁଆ ପଞ୍ଚାୟତର ୱାର୍ଡମେମ୍ବର ୭ ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ଏକ ଠିପି ଖୋଲା ବିଦେଶୀ ମଦ ଦୋକାନ (ବାର) ଖୋଲିବା ପାଇଁ ପ୍ରସ୍ତାବ ଗ୍ରହଣ କରି ଏକ ସ୍ଥାନ ନିରୂପଣ କରାଯାଇଛି । ଏହି ସ୍ଥାନରେ ବାର ପାଇଁ ଘର କାମ ଚାଲୁ ରହିଛି । ସୂଚନା ଥାଉକି ପାରୁଆ ପଞ୍ଚାୟତର ଜନସଂଖ୍ୟା ସାତ ହଜାର । ଏଥିରୁ ପାଞ୍ଚ ହଜାରରୁ ଉର୍ଦ୍ଧ୍ୱ ଅନୁସୂଚିତ ଜାତି ଓ ଜନଜାତିର ଲୋକେ ବାସ କରନ୍ତି । ଯେଉଁମାନେ ସମସ୍ତେ ବି ପି ଏଲ ଶ୍ରେଣୀରେ ଓ ଆୟ କହିଲେ ଦିନ ମଜୁରିଆ ଓ ଚାଷୀ ଅଟନ୍ତି । ଏହି ପ୍ରସ୍ତାବିତ ସ୍ଥାନ ନିକଟରେ ଏକ ଗାଧୁଆ ତୁଠ ରହିଛି । ଏଠାରେ ପ୍ରସିଦ୍ଧ ପରୁଆ ଶୈବ ପୀଠ ଅବସ୍ଥିତ । ଏହି ପ୍ରସ୍ତାବିତ ବାର ଯଦି ଖୋଲି ଦିଆଯାଏ ଧର୍ମପରାୟଣ ବ୍ୟକ୍ତି ଓ ଶ୍ରଦ୍ଧାଳୁଙ୍କ ହୃଦୟରେ କୁଠାରାଘାତ ହେବ ବୋଲି ଅଭିଯୋଗକାରୀମାନେ ବ୍ୟକ୍ତ କରିଛନ୍ତି । ଏହି ପ୍ରସ୍ତାବିତ ଠିପି ଖୋଲା ବିଦେଶୀ ମଦ ଦୋକାନ ପାରୁଆ ପଞ୍ଚାୟତର କୌଣସି ୱାର୍ଡରେ ମଧ୍ୟ ଖୋଲା ନ ଯିବା ପାଇଁ ଅନୁରୋଧ କରିଛନ୍ତି । ମାନ୍ୟବର ଜିଲ୍ଲାପାଳ ଏହାର ବିଚାର କରି ପ୍ରସ୍ତାବିତ ବାରଟିକୁ ବନ୍ଦ ନକଲେ ମହିଳା ଓ ପୁରୁଷମାନେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବେ ଓ ଦୋକାନଟିକୁ ଭାଙ୍ଗିବେ ବୋଲି ଅଭିଯୋଗରେ କହିଛନ୍ତି । କୌଣସି ସାମାଜିକ ଓ ଆକସ୍ମିକ ବିଶୃଙ୍ଖଳା ଘଟିବା ପୂର୍ବରୁ ଏହି ପ୍ରସ୍ତାବଟିକୁ ନାମଞ୍ଜୁର କାରିବା ପାଇଁ ଅନୁରୋଧ କରିଛନ୍ତି । ଏହି ଅଭିଯୋଗ ପତ୍ରଟିକୁ ପରୁଆ ପଞ୍ଚାୟତର ୬୦ରୁ ଅଧିକ ପୁରୁଷ ଓ ମହିଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଉପସ୍ଥିତ ରହି ଡେପୁଟି ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ ଓ ଏଥିରେ ଟିକେଶ୍ୱରୀ ରାଜଗଣ୍ଡ, ବାଲେଶ୍ୱର ଗଣ୍ଡ, ଶ୍ରୀରାମ ଗୌଡ, ମେଘନାଦ ରାଜଗଣ୍ଡ, ଉର୍ମିଳା କଲାର, ସୁଲେ ପୂଜାରୀ, ଜୟ ମାଁ ଦୁର୍ଗା ସ୍ୱଂୟ ସହାୟକ ଗୋଷ୍ଠୀର ସଭାପତି ଜୟମଲା ହରିଜନ, ସମ୍ପାଦିକା ସରିତା ହରିଜନ ଓ ଦୁଇଶହରୁ ଉର୍ଦ୍ଧ୍ୱ ମହିଳା ଓ ପୁରୁଷ ଦସ୍ତଖତ କରିଛନ୍ତି ।

hiranchal ad1
Leave A Reply

Your email address will not be published.

15 − 7 =