ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାରେ ଏଏସଆଇର ସତ୍ୟପାଠ : ନିର୍ମାଣ ପାଇଁ ଆମେ ଅନୁମତି ଦେଇନୁ

0 76

କଟକ,୯/୫ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପରିସରରେ ନିର୍ମାଣ କାର୍ଯ୍ୟ ପାଇଁ ଆମେ କୌଣସି ପ୍ରକାର ଅନୁମତି ଦେଇ ନାହୁଁ । ଆଜି ହାଇକୋର୍ଟଙ୍କୁ ରୋକଠୋକ ଜଣାଇଦେଇଛି ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ(ଏଏସଆଇ) । ପୁର୍ବ ନିର୍ଦ୍ଦେଶ ଅନୁଯାୟୀ,ଆଜି ଏଏସଆଇ କୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ ଏହା ଜଣାଇ ଦେଇଛି । ତେବେ ନିର୍ମାଣ କାର୍ଯ୍ୟ ଯୋଗୁ ଶ୍ରୀମନ୍ଦିରର କ’ଣସବୁ କ୍ଷତି ଘଟିଛି ବା ମନ୍ଦିର ଉପରେ ନିର୍ମାଣର ପ୍ରଭାବ କ’ଣ ରହିବ,ସେ ନେଇ ଏଏସଆଇ ସେଥିରେ କିଛି ବି ଉଲ୍ଲେଖ କରି ନାହିଁ । ତେଣୁ ହାଇକୋର୍ଟ ପୁଣି ଥରେ ଏକ ବିସ୍ତୃତ ରିପୋର୍ଟ ତିଆରି କରି ଦାଖଲ କରିବାକୁ ଏଏସ୍‌ଆଇକୁ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ ମାମଲାର ପରବର୍ତ୍ତୀ ଶୁଣାଣି ମେ’ ୨୦ ତାରିଖରେ କରିବେ ବୋଲି କହିଛନ୍ତି । ଶ୍ରୀମନ୍ଦିର ନିକଟରେ ଏବେ ଟଏଲେଟ୍‌ ଆଦି ନିର୍ମାଣ ହେଉଥିବା ବେଳେ ସେଗୁଡିକର କାମ ପାଖାପାଖି ୭୦-୭୫ ଭାଗ ଶେଷ ହୋଇଗଲାଣି । ତେଣୁ ଆବେଦନକାରୀ ପକ୍ଷରୁ ନିର୍ମାଣ କାର୍ଯ୍ୟ ଉପରେ ସ୍ଥଗିତାଦେଶ ଜାରି କରିବାକୁ ହାଇକୋର୍ଟଙ୍କୁ ନିବେଦନ କରିଥିଲେ । ତେବେ ହାଇକୋର୍ଟ ଏହା ଉପରେ ସ୍ଥଗିତାଦେଶ ଜାରି କରି ନାହାନ୍ତି । ସରକାରଙ୍କ ପକ୍ଷରୁ ଦୃଢ ଯୁକ୍ତି ଉପସ୍ଥାପନ କରାଯାଇଥିଲା ଯେ ଯାହାସବୁ ହେଉଛି ସୁପ୍ରିମ୍‌କୋର୍ଟଙ୍କ ଗାଇଡ୍‌ଲାଇନ୍‌ ଭିତରେ ହେଉଛି । ଆଜି ଶୁଣାଣି ବେଳେ ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ ଶ୍ରୀମନ୍ଦିର ଚାରିପାଖେ ଏବେ ଯେଉଁ ନିର୍ମାଣ କାର୍ଯ୍ୟ ଚାଲିଛି,ସେଥିପାଇଁ କୌଣସି ଅନୁମତି ଆବଶ୍ୟକ ନାହିଁ । ଅନ୍ୟପକ୍ଷରେ ଏଏସ୍‌ଆଇ ପକ୍ଷରୁ କୁହାଯାଇଥିଲା ଯେ ପ୍ରତ୍ୟେକ ନିର୍ମାଣ କାର୍ଯ୍ୟ ପାଇଁ ଅନୁମତିର ଆବଶ୍ୟକତା ରହିଛି । ବରିଷ୍ଠ ଆଇନଜୀବୀ ଶରତ ରାୟଗୁରୁ କହିଛନ୍ତି, ଏଏସ୍‌ଆଇ ଆଇନ ଅନୁସାରେ ବି ଏ ପ୍ରକାର ନିର୍ମାଣ ପାଇଁ ଅନୁମତି ଦେଇପାରିବନି । ତେଣୁ ଆଜି ସତ୍ୟପାଠ ଦାଖଲ କରି କହିଦେଲେ ଯେ ସେମାନେ କିଛି ଅନୁମତି ଦେଇ ନାହାନ୍ତି । ଶ୍ରୀମନ୍ଦିରରୁ ୭୫ ମିଟର ଭିତରେ ଏହି ନିର୍ମାଣ କାର୍ଯ୍ୟ ଚାଲିଛି । ଏହା ବେଆଇନ । ଯଦି ଏଏସ୍‌ଆଇ ଅନୁମତି ଦେଇ ନଥିଲା, ତା’ହେଲେ ବେଆଇନ ନିର୍ମାଣ କାମ ଚାଲିଥିବା ବେଳେ କାହିଁକି ମାମଲା ରୁଜୁ କରି ନଥିଲା । ଆଇନ ଅନୁଯାୟୀ ଏଏସ୍‌ଆଇ ଏତଲା ଦେଇପାରିବ । କିନ୍ତୁ ତାହା ଏଏସ୍‌ଆଇ କରି ନଥିଲା । ସତ୍ୟପାଠ ଦାଖଲ କରି ଅନୁମତି ଦେଇ ନାହାନ୍ତି ବୋଲି କହିଲେ । କିନ୍ତୁ ଏହି ନିର୍ମାଣର ପ୍ରଭାବ ଶ୍ରୀମନ୍ଦିର ଉପରେ କ’ଣ ରହିବ,ତାହା କାହିଁକି ଜଣାଇଲେ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି ।

hiranchal ad1
Leave A Reply

Your email address will not be published.

6 − 4 =