ଜାଣନ୍ତୁ,ଏଥର ରାଷ୍ଟ୍ରପତି ନିର୍ବାଚନରେ କେତେ ରହିବ ସାଂସଦଙ୍କ ଭୋଟ୍‌ ମୂଲ୍ୟ

0 88

ନୂଆଦିଲ୍ଲୀ,୯/୫ : ଆଉ ମାତ୍ର ଦୁଇ ମାସ ପରେ ଆସନ୍ତା ଜୁଲାଇରେ ଦେଶରେ ରାଷ୍ଟ୍ରପତି ନିର୍ବାଚନ ହେବ । ନୂଆ ରାଷ୍ଟ୍ରପତି କିଏ ହେବେ,ତାହାକୁ ନେଇ ଏବେଠୁ କଳ୍ପଜଳ୍ପନା ଆରମ୍ଭ ହୋଇଗଲାଣି । ଦେଶର ଏହି ପ୍ରଥମ ନାଗରିକ ପଦ ପାଇଁ କେତେଜଣଙ୍କ ନାମ ଇତିମଧ୍ୟରେ ଚର୍ଚ୍ଚାକୁ ମଧ୍ୟ ଆସିଲାଣି । ଏଭଳି ରାଜନୈତିକ ଚର୍ଚ୍ଚା ଲାଗି ରହିଥିବା ବେଳେ ଏବେ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି । ତାହା ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଧାୟକ ତଥା ସାଂସଦଙ୍କ ଭୋଟ୍‌ ମୂଲ୍ୟକୁ ନେଇ । ଜୁଲାଇରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ସାଂସଦଙ୍କ ଭୋଟ୍‌ର ମୂଲ୍ୟ ୭୦୮ରୁ ୭୦୦କୁ ହ୍ରାସ ପାଇବ । ଏହାର କାରଣ ହେଉଛି ଜାମ୍ମୁ-କାଶ୍ମୀର ବିଧାନସଭା ଭଙ୍ଗ । ବାସ୍ତବରେ,ରାଜ୍ୟର ବିଧାୟକଙ୍କ ଭୋଟର ମୂଲ୍ୟ ଆଧାରରେ ସାଂସଦଙ୍କ ଭୋଟର ମୂଲ୍ୟ ନିର୍ଦ୍ଧାରିତ ହୋଇଥାଏ । ୮୭ ସଦସ୍ୟ ବିଶିଷ୍ଟ ଜାମ୍ମୁ କାଶ୍ମୀର ବିଧାନସଭା ବର୍ତ୍ତମାନ ଭଙ୍ଗ ସ୍ଥିତିରେ ରହିଛି । ପ୍ରତ୍ୟେକ ରାଜ୍ୟର ବିଧାୟକଙ୍କ ଭୋଟର ମୂଲ୍ୟ ଜନସଂଖ୍ୟା ଅନୁଯାୟୀ ଭିନ୍ନ ଅଟେ । ଜାମ୍ମୁ-କାଶ୍ମୀରର ବିଧାୟକଙ୍କ ଭୋଟ୍‌ ମୂଲ୍ୟ ୭୨ । ଏହିପରି ରାଷ୍ଟ୍ରପତି ନିର୍ବାଚନ ପାଇଁ ୮୭ ବିଧାୟକଙ୍କ ଭୋଟ୍‌ ମୂଲ୍ୟ ମୋଟ ୬,୨୬୪ କରିଥାଏ । ଦେଶର ସମସ୍ତ ବିଧାନସଭା ସଭାର ଭୋଟ୍‌ର ମୋଟ ମୂଲ୍ୟ ହେଉଛି ୫,୪୯,୪୯୫, କିନ୍ତୁ ଏଥିରେ ଜାମ୍ମୁ କାଶ୍ମୀର ବିଧାନସଭାର ଭୋଟ୍‌ ମୂଲ୍ୟ ୬,୨୬୪ ହ୍ରାସ ପାଇବ । ଏଥର ବିଧାନସଭାର ଭୋଟ୍‌ର ମୋଟ ମୂଲ୍ୟ ୫,୪୩,୨୩୧ ରହିବ । ସାଂସଦମାନଙ୍କର ଭୋଟ୍‌ ମୂଲ୍ୟ ବିଧାନସଭାର ମୋଟ ଭୋଟ୍‌ ମୂଲ୍ୟରୁ ଗଣନା କରାଯାଇଥାଏ । ଉଦାହରଣ ସ୍ୱରୂପ,ଗତ ରାଷ୍ଟ୍ରପତି ନିର୍ବାଚନରେ ବିଧାୟକଙ୍କ ମୋଟ ଭୋଟ୍‌ ମୂଲ୍ୟ ୫,୪୯,୪୯୫ ଥିଲା,ଯାହାକୁ କି ଲୋକସଭା ଏବଂ ରାଜ୍ୟସଭାର ମୋଟ ୭୭୬ ସାଂସଦଙ୍କ ଦ୍ୱାରା ବିଭକ୍ତ କଲେ ସାଂସଦଙ୍କ ଭୋଟ ମୂଲ୍ୟ ୭୦୮ ହେଉଛି । କିନ୍ତୁ ଏଥର ବିଧାୟକଙ୍କ ମୋଟ ଭୋଟ୍‌ ମୂଲ୍ୟ ୫,୪୩,୨୩୧ ରହୁଛି । ତେଣୁ ଏହାକୁ ୭୭୬ ସାଂସଦଙ୍କ ଦ୍ୱାରା ଭାଗ କଲେ ଜଣେ ସାଂସଦଙ୍କ ଭୋଟ୍‌ ମୂଲ୍ୟ ୭୦୦କୁ ହ୍ରାସ ପାଇବ । ଏହା ବ୍ୟତୀତ ଜାମ୍ମୁ କାଶ୍ମୀରରେ ବିଧାନସଭା ନ ଥିବାରୁ ଚାରିଟି ରାଜ୍ୟସଭା ଆସନ ଖାଲି ରହିଛି । ଏଥି କାରଣରୁ ରାଷ୍ଟ୍ରପତି ନିର୍ବାଚନରେ ଭୋଟ୍‌ ମୂଲ୍ୟ ୨୮୦୦ କମିଯିବ । ଆସନ୍ତା ରାଷ୍ଟ୍ରପତି ନିର୍ବାଚନରେ ଜମ୍ମୁ-କାଶ୍ମୀରର ପ୍ରତିନିଧିତ୍ୱ ଦେଖିବାକୁ ମିଳିବ । କାରଣ ଲୋକସଭାରେ ଏହାର ପାଞ୍ଚଜଣ ସଦସ୍ୟ ଦେଶର ପ୍ରଥମ ନାଗରିକଙ୍କୁ ବାଛିବା ପାଇଁ ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବାକୁ ଯୋଗ୍ୟ ହେବେ । ଜାମ୍ମୁ କାଶ୍ମୀରର ପରିସ୍ଥିତି ସମ୍ପର୍କରେ ରାଜ୍ୟସଭା ସଚିବାଳୟ ଆଇନ ମନ୍ତ୍ରଣାଳୟର ପରାମର୍ଶ ଲୋଡିଛି ।

hiranchal ad1
Leave A Reply

Your email address will not be published.

eighteen − twelve =