କଣ୍ଟେନମେଣ୍ଟ ଅଞ୍ଚଳରେ ଲୋକଙ୍କ ଅସୁବିଧା ଦୂର କରିବାପାଇଁ ଦାବିପତ୍ର ପ୍ରଦାନ

0 180

ଫୁଲବାଣୀ,୬/୮: ଦିନକୁଦିନ କ୍ରମବର୍ଦ୍ଧିଷ୍ଣୁ କରୋନା ପ୍ରକୋପର ନିୟନ୍ତ୍ରଣ ପାଇଁ ସରକାର ଯତପରୋନାସ୍ତି ପଦକ୍ଷେପ ନେଉଛନ୍ତି । ଜିଲ୍ଲା ପ୍ରଶାସନ ମଧ୍ୟ କଠିନ ପରିଶ୍ରମ କରି ବିଭିନ୍ନ ପଦକ୍ଷେପ ନେଉଛନ୍ତି କିନ୍ତୁ ପ୍ରବାସୀ ଓ ଅଜଣା ବ୍ୟକ୍ତିଙ୍କ ଅନଧିକାର ଓ ଅମାନିଆ ଅନୁପ୍ରବେଶ ଯୋଗୁଁ ଆମ ଜିଲ୍ଲାରେ ପରିସ୍ଥିତି ଭିନ୍ନ ରୂପ ଧାରଣ କରିଛି । ଫୁଲବାଣୀ ପୌରପରିଷଦ ସହିତ ଅନ୍ୟ ଅଞ୍ଚଳ ଦୀର୍ଘଦିନ ହେବ କଣ୍ଟେନମେଣ୍ଟରେ ରହିବା ଫଳରେ ଲୋକମାନେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷପତ୍ର ପାଇବାରେ ବିଶେଷ ଅସୁବିଧା ଭୋଗ କରୁଛନ୍ତି । ଲୋକମାନେ ପନିପରିବା ପାଇ ପାରୁନାହାନ୍ତି । ଯୋଗାଣ ଗାଡିର ସମୟ ନିର୍ଘଣ୍ଟ, ରୁଟ ଇତ୍ୟାଦି ବିଷୟରେ ସମସ୍ତଙ୍କୁ ସୁଚନା ଦେବା ମଧ୍ୟ ସମ୍ଭବ ହେଉନାହିଁ । ଯାହାବି ମିଳୁଛି ନିମ୍ନମାନର ଓ ଦର ଅଧିକ ବୋଲି ଅଭିଯୋଗ ହେଉଛି । ଗରିବ ଲୋକମାନେ ପନିପରିବା , ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ, ସକାଳ ଜଳଖିଆ ପତ୍ର ପାଇ ପାରୁନାହାନ୍ତି । କୃଷିଜାତ କାମ ଓ ଆନୁସଙ୍ଗିକ କାମ ପାଇଁ ବର୍ଷା ଋତୁ ଆରମ୍ଭ ହୋଇଯାଇଥିବାରୁ ଚାଷୀମାନେ ଚାଷ କାମ ,ଉଦ୍ୟାନ ଭିିତ୍ତିକ କାମ ପାଇଁ ଜମିକୁ ଯାଇପାରୁ ନାହାନ୍ତି । ଛୋଟ ମୋଟ କାମ କରି ଦୁଇପଇସା ଆଣିଲେ କୁଟୁମ୍ବ ପୋଷୁଥିବା ଲୋକମାନେ ବହୁତ ହଇରାଣ ହେଉଥିବା ଘଟଣା ପ୍ରବଳ ଅସନ୍ତୋଷର ଦାନା ବାନ୍ଧୁଛି । ସମଗ୍ର ପୌରପରିଷଦକୁ କଣ୍ଟେନମେଣ୍ଟ ଅଞ୍ଚଳ ଲାଗୁ ନକରି ଯେଉଁସାହିରୁ ପଜିଟିଭ ବାହାରୁଛି ସୀମିତ ସମୟ ପାଇଁ କଣ୍ଟାକ୍ଟ ଟ୍ରେସିଂ ଶେଷ ହେବା ପର୍ଯ୍ୟନ୍ତ ତାହା କରିବା ପାଇଁ ପଦକ୍ଷେପ ନେବା ଓ ପରବର୍ତ୍ତୀ ସମୟରେ ଆବଶ୍ୟକ ପ୍ରକାରେ ସେହି ଅଞ୍ଚଳ ଲକଡାଉନ/ସଟଡାଉନ ରଖିବା ସହ ସମସ୍ତ ପ୍ରତିଷେଧକ ନିୟମ କାନୁନ କଡାକଡି ପାଳନ କରିବା ପାଇଁ ପଦକ୍ଷେପ ନିଆଯାଉ ବୋଲି ବିଭିନ୍ନ ମହଲରୁ ଅନୁରୋଧ ଓ ମତାମତ ଆସିଛି । କୋଭିଡ ହସ୍ପିଟାଲ ଗୁଡିକର ପରିଚାଳନା କାର୍ଯ୍ୟକୁ ଜିଲ୍ଲାପାଳ ନିଜେ ଅନୁଧ୍ୟାନ କରନ୍ତୁ ବୋଲି ଦାବି ହେଉଛି । ଏଣୁ ଜିଲ୍ଲାର ହିତ ଓ ସୃଷ୍ଟ ପରିସ୍ଥିତି ଦୃଷ୍ଟିରୁ ଉପରୋକ୍ତ ବାସ୍ତବ ସମସ୍ୟା ଗୁଡିକୁ ସହୃଦୟତାର ସହ ହୃଦୟଙ୍ଗମ କରି କଣ୍ଟେନମେଣ୍ଟର ଅବଧି ଯଥାସାଧ୍ୟ ସୀମିତକରି କରୋନା ପ୍ରତିଷେଧକ ନିୟମକାନୁନକୁ କଡାକଡି ପାଳନ ସହ ବିହିତ ପଦକ୍ଷେପ ନେବାକୁ ବିଭିନ୍ନ ମହଲରୁ ମିଳିଥିବା ଦାବି ଓ ପରାମର୍ଶ ସହ, ଜିଲ୍ଲା ମିଳିତ ନାଗରିକ କମିଟି କନ୍ଧମାଳ ପକ୍ଷରୁ ଜିଲ୍ଲାପାଳଙ୍କୁ ଅନୁରୋଧ କରାଯାଇଛି । ଏହାକୁ ଅଗ୍ରାଧିକାର ସହ ପରିସ୍ଥିତିର ଗୁରୁତ୍ୱ ଦୃଷ୍ଟିରୁ ବିଚାର କରିବା ପାଇଁ ଆଶା ପୋଷଣ କରିଛନ୍ତି ଜିଲ୍ଲା ମିଳିତ ନାଗରିକ କମିଟି, କନ୍ଧମାଳର ଆବାହକ ଅଶୋକ ପରିଡା ଓ ସଭାପତି ଡ. ଅରୁପ କୁମାର ଜେନା । ଏହି ଦାବି ପତ୍ର ଜିଲାପାଳଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରମୁଖ ସଚିବ/ସ୍ୱତନ୍ତ୍ର ରିଲିଫ କମିଶନର, ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ, ଓଡିଶା ସରକାରଙ୍କ ଗୋଚରାର୍ଥେ ବିହିତ ପଦକ୍ଷେପ ନିମନ୍ତେ ପଠାଯାଇଛି ।

hiranchal ad1
Leave A Reply

Your email address will not be published.

one × 4 =