ବୌଦ୍ଧ,୧/୧୦ – ପ୍ରସବର ତିନିମାସ ପରେ ମଧ୍ୟ ଜଣେ ନବ ପ୍ରସୂତିଙ୍କ ପ୍ରସବକାଳୀନ ଭତ୍ତା ମିଳିନଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧବ୍ଲକ ବଘିଆପଡା ଗ୍ରାମ ପଂଚାୟତ ସମାପାଜୁ ଗ୍ରାମର ଲିଲି ମଲ୍ଲିକ ଗତ ଜୁନ୍ ମାସ ୧୬ ତାରିଖ ଦିନ ବଘିଆପଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗୋଟିଏ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ । ସରକାରଙ୍କ ଯୋଜନା ଅନୁଯାୟୀ ନବ ପ୍ରସୂତିଙ୍କ ପରିବହନ ଏବଂ ପୁଷ୍ଟିକର ଖାଦ୍ୟ ଓ ଔଷଧ ପାଇଁ ୧୪୦୦ ଓ ୫୦୦୦ ଟଙ୍କାର ସହାୟତା ଯୋଗାଇ ଦିଆଯାଏ ମାତ୍ର ଦୁଃଖର କଥା ପ୍ରସବର ୩ ମାସ ପରେ ମଧ୍ୟ ଲିଲି ମଲ୍ଲିକଙ୍କୁ ଉକ୍ତ ସହାୟତା ଟଂକା ମିଳିପାରି ନାହିଁ । ବଘିଆପଡାଠାରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ବୋଲି ଅଭିଯୋଗ ହୁଏ । ସେହିପରି ମାର୍ଚ୍ଚମାସରୁ ବଘିଆପଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରସବ କରି ସମାପାଜୁ ଗ୍ରାମର ରୀନାବତୀ କହଁର ୫୦୦୦ ଟଂକାର ସହାୟତା ୬ ମାସ ବିତି ଯାଇଥିଲେ ମଧ୍ୟ ଆଜି ଯାଏଁ ପାଇନଥିବା ଅଭିଯୋଗ ହୁଏ । ଖାଲି ସେତିକି ନୁହେଁ ବଘିଆପଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରସବ କରି ଅନେକ ହିତାଧିକାରୀ ସେମାନଙ୍କ ସହାୟତା ରାଶି ବର୍ଷ ବର୍ଷ ଧରି ପାଉନଥିବା ଅଭିଯୋଗ ହୁଏ ।
ସରକାରଂକ ଯୋଜନା ଜିଲ୍ଲାରେ କିଭଳି କାର୍ଯ୍ୟକାରୀ ହେଉଛି ଏ ଘଟଣାରେ ଜନସାଧାରଣଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ପ୍ରସୂତିଙ୍କ ପ୍ରସବ କାଳୀନ ଭତ୍ତା ତୁରନ୍ତ ପ୍ରଦାନ କରିବାକୁ ହିତାଧିକାରୀ ଅନୁରୋଧ କରିଛନ୍ତି ।