ବାଲିଗୁଡ଼ା,୬/୧୦: ଶାଳ ଚଉକାଠ ଚୋରାଚାଲାଣ ବେଳେ ବାଲିଗୁଡ଼ା ବନବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ବାଲିଗୁଡ଼ା ବନଖଣ୍ଡ ଅଧିନସ୍ଥ ବାଲିଗୁଡ଼ା ବନାଞ୍ଚଳର ସୁଡ୍ରା ଅଞ୍ଚଳରେ ଏସିଏଫ ଡ.ରୁଦ୍ର ପ୍ରସାଦ ରଥଙ୍କ ନେତୃତ୍ୱରେ ରାତ୍ରୀକାଳୀନ ପେଟ୍ରୋଲିଂ ଚାଲିଥିଲା । ସେହି ସମୟରେ କାଠ ଚୋରାଚାଲାଣ ହେଉଥିବା ଖବର ପାଇଥିଲେ ପେଟ୍ରୋଲିଂ ଟିମ୍ । ରାତି ପ୍ରାୟ ୩ଟା ସମୟରେ ଶାଳ ଚଉକାଠ ବୋଝେଇ ଗୋଟିଏ ମାକ୍ସ ପିକ୍ଅପ୍ ଭ୍ୟାନ୍ ଦୃତଗତିରେ ଯାଉଥିବା ଦେଖି ପଟ୍ରୋଲିଂ ଟିମ୍ ଗାଡ଼ିକୁ ପିଛା କରିଥିଲେ । ପାଖାପାଖି ୧୫କିଲୋମିଟର ଘଞ୍ଚ ଜଙ୍ଗଲ ଭିତରେ ପିଛା କରିବାପରେ କନ୍ଧମାଳ-କଳାହାଣ୍ଡି ସୀମାନ୍ତ ଲୁବେନଗଡ଼ ଠାରେ ଗାଡ଼ି ଛାଡ଼ି କାଠ ମାଫିଆ ଫେରାର୍ ହୋଇଯାଇଥିବାବେଳେ ଅନ୍ୟ ଜଣେ ସନ୍ଦିଗ୍ଧକୁ ଅଟକ ରଖି ତଦନ୍ତ ଜାରି ରଖିଛି ବନବିଭାଗ । ୧୨୦ ଖଣ୍ଡ ଶାଳ ଚଉକାଠ ସମେତ ମାକ୍ସ ପାକ୍ଅପ୍ ଭ୍ୟାନ୍କୁ ଜବତ କରିଛି ବନ ବିଭାଗ । ଜବତ କାଠର ଆନୁମାନିକ ମୂଲ୍ୟ ଦେଢ଼ଲକ୍ଷ ଟଙ୍କା ହେବ ଏବଂ ଏହିକାଠ ବଲାଙ୍ଗୀର ଜିଲ୍ଲାକୁ ଚୋରାଚାଲାଣ ହେଉଥିଲା ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି । ଅନ୍ୟପଟେ ଅଞ୍ଚଳରେ ଦିନକୁ ଦିନ କାଠ ମାଫିଆଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି । ଏଣୁ ଆଗାମୀ ଦିନରେ ପେଟ୍ରୋଲିଂ ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯିବ ବୋଲି କହିଛନ୍ତି ଇଉୠ ଡ.ରୁଦ୍ରପ୍ରଶାଦ ରଥ । ଏହି ଚଢ଼ାଉରେ ଏସିଏଫ୍ ଡ.ରୁଦ୍ରପ୍ରଶାଦ ରଥ,ଏସିଏଫ୍ ସୌମ୍ୟ ରଞ୍ଜନ ସାହୁ,ରେଞ୍ଜର ସଞ୍ଜୟ ସାହୁ, ଫରେଷ୍ଟର ପ୍ରଭାତ କୁମାର ଦୋରା, ଜ୍ୟୋତିରାଜ ମଲ୍ଲିକ, ଶିବାଜୀ ବେହେରାଙ୍କ ସମେତ ଫରେଷ୍ଟ ଗାର୍ଡ ଓ ସ୍କ୍ୱାର୍ଡ ଟିମ୍ ସାମିଲ୍ ଥିଲେ ।