ଭୁବନେଶ୍ୱର: ଓଡିଶାର ଗଞ୍ଜେଇ ସବୁଠୁ ଭଲ । ଏକଥା ବଲିଉଡର ଅଭିନେତ୍ରୀ ରୀୟା ଚକ୍ରବର୍ତ୍ତୀ କହିଥିଲେ । ସୁଶାନ୍ତ ସିଂ ରାଜପୁତ ମାମଲାରେ ଖୋଲତାଡ କରୁକରୁ ଏନ୍ସିବି ରୀୟାଙ୍କୁ ନିଶା କାରବାର ବେପାରରେ ଗିରଫ କରିବା ପରେ ରାଜ୍ୟ ପୁଲିସ ଓଡିଶାରେ କେଉଁଠାରେ କିପରି ଗଞ୍ଜେଇ ଚାଷ ହେଉଛି ସେ ସଂପର୍କରେ ଅନୁସନ୍ଧାନ ପାଇଁ ଅଧିକ ଧ୍ୟାନ ଦେଇଥିଲେ । ଇସ୍ରୋ ସାଟାଲାଇଟ୍ ସହାୟତାରେ ରାଜ୍ୟ ପୁଲିସ ରାଜ୍ୟରେ କେଉଁଠି ଗଞ୍ଜେଇ ଚାଷ ହେଉଛି ତାହାକୁ ଠାବ କରିବାରେ ସଫଳ ହୋଇଛି । ରାଜ୍ୟପୁଲିସ ମହାନିର୍ଦ୍ଦେଶକ ଅଭୟ ଆଜି ଏ ସଂପର୍କରେ ଏକ ସାମ୍ବାଦିକ ସମ୍ମିଳନୀ କରି ଦେଇଥିବା ତଥ୍ୟ ଚାଞ୍ଚଲ୍ୟକର । ଅଭୟ କହିଛନ୍ତି ଯେ, ଇସ୍ରୋ ସାଟାଲାଇଟ୍ ଗଞ୍ଜେଇ ଚାଷ ଅପେକ୍ଷା ଅଫିମ ଚାଷକୁ ଅଧିକ ଠାବ କରିପାରୁଛି । ତେବେ ଗଞ୍ଜେଇ ଚାଷକୁ କିଭଳି ଅଧିକ ଠାବ କରାଯାଇପାରିବ ଏ ସଂପର୍କରେ ଉଦ୍ୟମ ଜାରି ରହିଛି । ସେ କହିଛନ୍ତି ଚଳିତ ବର୍ଷ ସେପ୍ଟେମ୍ବର ଯାଏଁ ରାଜ୍ୟରୁ ହଜାରେ ହଜାରେ ୫୪ କୁଇଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି । ଗତବର୍ଷର ସୂଚନା ଦେଖିଲେ ବର୍ଷକୁ ହାରାହାରି ୩୧୨ କୁଇଣ୍ଟାଲ ଗଞ୍ଜେଇ ଜବତ କରାଯାଏ । ଗତ ୫ ବର୍ଷରେ ହାରାହାରି ଗଞ୍ଜେଇ ଜବତର ସଂଖ୍ୟା ଦେଖିଲେ ୪୧୪ କୁଇଣ୍ଟାଲ ଗଞ୍ଜେଇ ଜବତ ହେଉଥିବା ସୂଚନା ମିଳେ । କିନ୍ତୁ ଚଳିତ ବର୍ଷ ସେପ୍ଟେମ୍ବର ପର୍ଯ୍ୟନ୍ତ ହଜାରେ ୫୪ କୁଇଣ୍ଟାଲ ଗଞ୍ଜେଇ ମିଳିବା ନିଶ୍ଚିତ ଚାଞ୍ଚଲ୍ୟକର । ତେଣୁ ଓଡିଶାର ବିଭିନ୍ନ ଜିଲ୍ଲାରେ ରୀତିମତ ଗଞ୍ଜେଇ ଚାଷ ହେଉଥିବା ଇସ୍ରୋ ସାଟାଲାଇଟ୍ ସୂଚନାରୁ ସ୍ପଷ୍ଟ ଜଣାପଡୁଛି । ଏହାକୁ ରୋକିବା ପାଇଁ ରାଜ୍ୟ ପୁଲିସ ଆଧୁନିକ ପ୍ରଯୁକ୍ତି ଜ୍ଞାନକୌଶଳର ସାହାଯ୍ୟ ନେବ । ସେ କହିଲେ ଚଳିତ ବର୍ଷ ଏ ପର୍ଯ୍ୟନ୍ତ ମିଳିଥିବା ଜବତ ଗଞ୍ଜେଇ ମଧ୍ୟରୁ ୪୧୩ କୁଇଣ୍ଟାଲ କୋରାପୁଟରୁ, ୨୪୦ କୁଇଣ୍ଟାଲ ମାଲକାନାଗିରିରୁ, ୧୨୬ କୁଇଣ୍ଟାଲ ଗଜପତିରୁ ଗଞ୍ଜେଇ ଜବତ ହୋଇଛି । ଗଞ୍ଜେଇ ଜବତ କାର୍ଯ୍ୟକୁ ଯେଉଁ ଜିଲ୍ଲାର ପୁଲିସ ଅଧିକ୍ଷକମାନେ ତ୍ୱରାନ୍ୱିତ କରିଛନ୍ତି ସେମାନଙ୍କ କାର୍ଯ୍ୟଦକ୍ଷତାର ପ୍ରମାଣସ୍ୱରୂପ ସେମାନଙ୍କୁ ପ୍ରଶଂସାପତ୍ର ପଠାଯାଉଛି ବୋଲି ଡିଜି ଅଭୟ କହିଥିଲେ ।