ସୁଜଳ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

0 85

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱର ଓ ପୁରୀରେ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ମିଶନ ସୁଜଳ ଲୋକାର୍ପିତ କରିଛନ୍ତି । ଏହି ମିଶନ କାର୍ଯ୍ୟକାରୀ କରିବାରେ ଓଡିଶା ଦେଶର ପ୍ରଥମ ରାଜ୍ୟ । ଏହାଦ୍ୱାରା ଲୋକମାନେ ଉନ୍ନତ ଦେଶର ଲୋକମାନଙ୍କ ପରି ସିଧାସଳଖ ଟ୍ୟାପ୍‌ରୁ ପାଣି ଆଣି ପିଇ ପାରିବେ । ମୁଖ୍ୟମନ୍ତ୍ରୀଙ୍କ ୫-ଟି କାର୍ଯ୍ୟକ୍ରମର ଆଧାରରେ ବ୍ୟବସ୍ଥାର ରୂପାନ୍ତର ଲକ୍ଷ୍ୟ ନେଇ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ଏବଂ ୫-ଟି ସରକାରରେ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ହୋଇଛି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଆଜି ଭୁବନେଶ୍ୱର ଓ ପୁରୀରୁ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ମିଶନ ସୁଜଳା ଆରମ୍ଭ କରାଗଲା । ଏହାଦ୍ୱାରା ଏହି ଦୁଇ ସହରର ଏକ ଲକ୍ଷ ଅଶୀ ହଜାରରୁ ଅଧିକ ଲୋକ ଉପକାର ପାଇବେ । ଏହି “ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ମିଶନ’ ରାଜ୍ୟରେ ସବୁ ଅଞ୍ଚଳରେ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି ବୋଲି ସେ କହିଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିକଶିତ ଦେଶ ମାନଙ୍କରେ ଲୋକମାନେ ସିଧା ଟ୍ୟାପରୁ ପାଣି ପିଅନ୍ତି । ପାଣି ଗରମ କରିବା, ଫିଲ୍ଟର କରିବା ବା ଆକୁଆଗାର୍ଡ ଆଦି ମେସିନ୍ ଦରକାର ହୁଏ ନାହିଁ । କାରଣ ସେମାନେ ସିଧା ଟ୍ୟାପରୁ ଭଲ ପିଇବା ପାଣି ପାଆନ୍ତି ।ଭୁବନେଶ୍ୱରର ସାଲିଆ ସାହି ଓ ପୁରୀର ମଶାଣୀଚଣ୍ଡୀରେ ଏହି କାର୍ଯ୍ୟକ୍ରମ ଲୋକାର୍ପିତ ହୋଇଥିଲା । ସାଲିଆ ସାହିରେ ମନ୍ତ୍ରୀ ଅଶୋକ ପଣ୍ଡା ଓ ବିଧାୟକ ସୁଶାନ୍ତ ରାଉତ ଏବଂ ପୁରୀରେ ମନ୍ତ୍ରୀ ଶ୍ରୀ ତୃଷାରକାନ୍ତି ବେହେରା ଓ ବିଧାୟକ ଜୟନ୍ତ ଷଡଙ୍ଗୀ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଲୋକାର୍ପଣ କରିଥିଲେ । ଜଳସାଥି ମାନଙ୍କୁ ଜଳର ମାନ ପରୀକ୍ଷା ଯନ୍ତ୍ର ପ୍ରଦାନ କରାଯାଇଥିଲା ଏବଂ ପାଣି ପାଇପ୍ ମିସ୍ତ୍ରୀ ମାନଙ୍କୁ ପ୍ରଶିକ୍ଷଣ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା ।ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପୁରୀ ହେଉଛି ଏକ ବଡ ପର୍ଯ୍ୟଟନ କେନ୍ଦ୍ର । ପ୍ରତିଦିନ ବହୁତ ପର୍ଯ୍ୟଟକ ଏଠାକୁ ଆସନ୍ତି । ସେମାନେ ପାଣି ପାଇଁ ପ୍ଲାଷ୍ଟିକ ବୋତଲ ବ୍ୟବହାର କରନ୍ତି । ତେଣୁ “ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍‌’ ସୁବିଧା ଦ୍ୱାରା ପୁରୀରୁ ପ୍ଲାଷ୍ଟିକ ପ୍ରଦ୍ୟୁଷଣ କମିଯାଇ ପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ ।
ଭୁବନେଶ୍ୱର ସହିତ ଗୋପାଳପୁର, ଦିଗପହଣ୍ଡି ଓ କାଶୀନଗରରେ ସବୁ ଘରକୁ ଆମେ ପାଇପ ପାଣିର ସୁବିଧା ଦେଇପାରିଛୁ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସମସ୍ତଙ୍କୁ ଭଲ ପିଇବା ପାଣି ଯୋଗାଇ ଦେବା ଆମର ପ୍ରାଥମିକତା । ଦଶ ଲକ୍ଷରୁ ଅଧିକ ଲୋକ ଥିବା ସହର ମାନଙ୍କ ମଧ୍ୟ ରେ ଶତ ପ୍ରତିଶତ ପାଇପ ପାଣି ସବୁ ଘରକୁ ସଂଯୋଗ କ୍ଷେତ୍ରରେ ଭୁବନେଶ୍ୱର ଦେଶର ପ୍ରଥମ ସହର ହୋଇପାରିଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ ।
ମାର୍ଚ୍ଚ ୨୦୨୨ ସୁଦ୍ଧା ରାଜ୍ୟର ସବୁ ସହରାଞ୍ଚଳ ସବୁ ଘରକୁ ପାଇପ ଯୋଗେ ଜଳ ଯୋଗାଇ ଦିଆଯିବ ବୋଲି ଘୋଷଣା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏ କ୍ଷେତ୍ରରେ ଓଡିଶା ଦେଶର ପ୍ରଥମ ରାଜ୍ୟ ହେବ ।
ଏହି ଅବସରରେ ସେ ରାଜ୍ୟର ଆଉ ୧୫ଟି ସହର ପାଇଁ “ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ମିଶନ’ ଘୋଷଣା କରିଥିଲେ । ଏହାଦ୍ୱାରା ୧୫ ଲକ୍ଷରୁ ଅଧିକ ଲୋକ ଉପକାର ପାଇବେ ଏବଂ ଏଥିପାଇଁ ରାଜ୍ୟ ସରକାର ୧୩୦୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସେ କହିଥିଲେ ।
ମିଶନ ଶକ୍ତିର ମା’ ମାନେ ଜଳ ସାଥି ଭାବରେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଯେଭଳି ଦକ୍ଷତାର ସହ ଦାୟିତ୍ୱ ତୁଲାଉଛନ୍ତି, ମୁଖ୍ୟମନ୍ତ୍ରୀ ତାର ଉଚ୍ଚ ପ୍ରଶଂସା କରିଥିଲେ । ସେହିପରି ଡଇଞଉଙ ପକ୍ଷରୁ ପାଣି ପାଇପ ମିସ୍ତ୍ରୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବାରୁ ମଧ୍ୟ ସେ ଖୁସି ବ୍ୟକ୍ତ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଭଦ୍ରକରୁ ଯୋଗ ଦେଇ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଦୃଢ ନେତୃତ୍ୱ ଓ ପ୍ରେରଣା ଯୋଗୁ ଆଜି ଓଡିଶା “ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ମିଶନ’ରେ ଦେଶର ପ୍ରଥମ ରାଜ୍ୟ ହୋଇପାରିଛି । ୫-ଟି କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସବୁ କ୍ଷେତ୍ରରେ ରୂପାନ୍ତରୀକରଣ ପ୍ରକ୍ରିୟା ପାଇଁ ନିଷ୍ଠାର ସହ କାମ କରୁଛି ବୋଲି ସେ କହିଥିଲେ ।
ଏହି କାର୍ଯ୍ୟକ୍ରମରେ ଦିଲ୍ଲୀରୁ ଯୋଗ ଦେଇ କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟର ସଚିବ ଶ୍ରୀ ଦୁର୍ଗା ଶଂକର ମିଶ୍ର ଏହି କାର୍ଯ୍ୟକ୍ରମ ପାଇଁ ଓଡିଶା ସରକାରଙ୍କୁ ଅଭିନନ୍ଦନ ଜଣାଇ କହିଥିଲେ ଯେ ଓଡିଶା ଏମିତି କିଛି ସଫଳତା ପାଇଛି, ଯାହା କି ଦେଶରେ ପ୍ରଥମ । ଏହାଦ୍ୱାରା ଅନେକ କ୍ଷେତ୍ରରେ ପରିବର୍ତ୍ତନର ଝଲକ ଦେଖିବାକୁ ମିଳୁଛି । ବୈଷୟିକ ଜ୍ଞାନର ବ୍ୟବହାର, ଜଳସାଥି ମାନଙ୍କର ନିୟୋଜନ, ଶକ୍ତି ସଂରକ୍ଷଣ, ଜଳବାହିତ ରୋଗର ନିୟନ୍ତ୍ରଣ, ଏହିପରି ଅନେକ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ହୋଇପାରିବ ବୋଲି ସେ କହିଥିଲେ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କହିଥିଲେ ଯେ କାର୍ଯ୍ୟକ୍ରମ ରୂପାୟନ ବୈଠକରେ ଅଧ୍ୟକ୍ଷତା କରିବା ସମୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ “ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍‌’କାର୍ଯ୍ୟକ୍ରମ ସାଲିଆ ସାହିରୁ ଆରମ୍ଭ କରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ଏହାଦ୍ୱାରା ସାଲିଆ ସାହିର ଗରିବ ଲୋକ ଆଧୁନିକ ବୈଷୟିକ ଜ୍ଞାନର ସୁଫଳ ପାଇପାରିବେ ଏବଂ ସବୁ ଘରକୁ ପାଣି ପାଇପ ସଯୋଗ ସହ କଳରୁ ସିଧାସଳଖ ବିଶୁଦ୍ଧ ପାଣି ବ୍ୟବହାର କରିପାରିବେ ବୋଲି ସେ କହିଥିଲେ । ଆଜି ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନ ସାକାର ହୋଇଛି ବୋଲି ପ୍ରକାଶ କରି ଶ୍ରୀ ପାଣ୍ଡିଆନ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ଜଣାଇଥିଲେ ।

hiranchal ad1
Leave A Reply

Your email address will not be published.

13 + seven =