ସମ୍ବଲପୁର : “ଇନଟାକ’ର ଏକ ଦଳ ସେମାନଙ୍କ ସାନି ଅନ୍ୱେଷଣ ଦ୍ୱାରା ସମ୍ବଲପୁର ସହରର ଦୁର୍ଗାପାଲି ସ୍ଥିତ ବନଦୁର୍ଗା ମନ୍ଦିର ନିକଟରେ କିଛି ପ୍ରାଚୀନ ଭଗ୍ନାବଶେଷ ଠାବ କରିଛନ୍ତି । ଏହା ପୂର୍ବରୁ ୨୦୧୮ ରେ ଇନଟାକ ଦଳ ଏଠାରୁ ଏକ ବଡ ନଟରାଜ ପ୍ରତିମୂର୍ତ୍ତି ଉଦ୍ଧାର କରିଥିଲେ । ଆଜି ସକାଳେ ଇନଟାକ ଦଳ ପୁଣି ସେହି ସ୍ଥାନରେ ଅନ୍ୱେଷଣ କାର୍ଯ୍ୟ ଅବ୍ୟାହତ ରଖିଥିବା ସମୟରେ ସେହି ସ୍ଥାନରୁ ବହୁଳ ସଂଖ୍ୟାରେ ମାତ୍ର ଦୁଇ ଇଂଚ ମୋଟେଇର ଇଟା ଓ ଇଟାଖଣ୍ଡ ପ୍ରାପ୍ତ ହୋଇଛି । ଗୋଟିଏ ପୋଖରୀର ଚତୁର୍ପାଶ୍ୱରେ ମାଟି ସ୍ତୁପ ଓ ତହିଁରେ ପ୍ରସ୍ତର ତଥା ଏହି ଧରଣର ବହୁଳ ଇଟା ଠାବ କରାଯାଇଛି । ଏଥିରୁ ସ୍ପଷ୍ଟ ହେଉଛି ଯେ ପୋଖରୀର ଚାରି କୋଣରେ ଚାରୋଟି ମନ୍ଦିର ଥିଲା । ମିଳୁଥିବା ଇଟାର ଆକାରରୁ ମନ୍ଦିର ଗୁଡିକ ସପ୍ତମ/ ଅଷ୍ଟମ ଶତାବ୍ଦୀର ହୋଇଥାଇପାରେ ବୋଲି କୁହାଯାଇଛି । ପୂର୍ବରୁ ପ୍ରାପ୍ତ ନଟରାଜ ପ୍ରତିମୂର୍ତ୍ତିର ସ୍ଥିତିକୁ ଆକଳନ କଲେ କୌଣସି ବହିଃ ଆକ୍ରମଣ ଦ୍ୱାରା ମନ୍ଦିର ଗୁଡିକ ଭଗ୍ନାବଶେଷରେ ପରିଣତ ହୋଇଥିବା ଦୃଢ ଅନୁମାନ କରାଯାଉଛି ।
ଇନଟାକର ସଦସ୍ୟ ଡା. ବିଭୂଦତ୍ତ ପ୍ରମୋଦ କୁମାର ମିଶ୍ର, କୁଳମଣି ପଟେଲଙ୍କ ସହ ଏହି ଦଳର ନେତୃତ୍ୱ ନେଇଥିବା ଐତିହାସିକ ଦୀପକ କୁମାର ପଣ୍ଡା କହିଛନ୍ତି । ସମ୍ବଲପୁର ସହର ମଧ୍ୟରେ ଏପରି ସମ୍ଭାବନା ଯୁକ୍ତ ପ୍ରତ୍ନତାତ୍ତ୍ୱିକ ଅବଶେଷ ପ୍ରାପ୍ତି ହେବା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଅଟେ । କାରଣ ସମ୍ବଲପୁର ସହରରେ ଯାହା କିଛି ଐତିହାସିକ କୀର୍ତ୍ତି ଦୃଶ୍ୟମାନ ହେଉଛି ସେସବୁ ଷୋଡ଼ଶ ଶତାବ୍ଦୀ ଓ ପରବର୍ତ୍ତୀ ସମୟର ଅଟେ । ମାତ୍ର ଅନେକ ପୁରାତନ ରଚନା ସମ୍ବଲପୁରର ପ୍ରାଚୀନ ଅବସ୍ଥିତିକୁ ଦର୍ଶାଉଛି । କିନ୍ତୁ ଐତିହାସିକ ପ୍ରାମାଣିକତା ନିମନ୍ତେ ଯେଉଁ ସବୁ ଉପାଦାନ ଲୋଡା ତନ୍ମଧ୍ୟରେ ନିର୍ମାଣ ଜନିତ କୀର୍ତ୍ତି ବା ଅବଶେଷର ଉପସ୍ଥିତି ଅପରିହାର୍ଯ୍ୟ ଅଟେ । ସାଧାରଣତଃ ପ୍ରାଚୀନ ସଭ୍ୟତା ନଦୀ ତଟରେ ବିକଶିତ ହୋଇଥାଏ । ହୀରାକୁଦ ନଦୀ ବନ୍ଧ ନିର୍ମାଣ ପରେ ମହାନଦୀର ଉଭୟ ପାର୍ଶ୍ୱରେ କିଲୋମିଟର କିଲୋମିଟର ଦୂର ପର୍ଯ୍ୟନ୍ତ ଅଂଚଳ ପାଣିରେ ଚିରଦିନ ପାଇଁ ବୁଡି ଯିବା ଆମର ବହୁ ଐତିହାସିକ ପ୍ରାମାଣିକତା ଜନିତ ଢେର ସମ୍ଭବନାକୁ ଜଳ ସମାଧି ଦେଲା । ଦୀପକ ପଣ୍ଡା ଆହୁରି କହିଛନ୍ତି ଯେ ଇନଟାକର ବହୁବିଧ ଦାୟିତ୍ୱ ଓ କାର୍ଯ୍ୟ ଯୋଜନା ମଧ୍ୟରେ କିନ୍ତୁ ପ୍ରତ୍ନତାତ୍ତ୍ୱିକ ଉତଖନନ ନାହିଁ । ଇନଟାକ ଖନନ କରିପାରିବ ନାହିଁ । ମାତ୍ର ଦୁର୍ଗାପାଲିର ମାଟିସ୍ତୁପର ମହତ୍ୱ କାରଣରୁ ଏହାର ଉତଖନନ ନିହାତି ଆବଶ୍ୟକ । ରାଜ୍ୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ଏହି କାର୍ଯ୍ୟଟି ହାତକୁ ନେଇ ଉତଖନନ କରିବା ଆବଶ୍ୟକ ବୋଲି ସେ କହିଛନ୍ତି ।