ଚାଷୀ ଆମ ଅନ୍ନଦାତା, ନକଲି ସାର କାରବାର କଲେ ହେବ ଦୃଢ଼ କାର୍ଯ୍ୟନୁଷ୍ଠାନ : ଶିବରାଜ ସିଂ ଚୌହାନ

0 53

ଭୁବନେଶ୍ୱର: ପୂର୍ବ ଭାରତର କୃଷି ବିକାଶ ଓ କୃଷକଙ୍କ କଲ୍ୟାଣ ପାଇଁ ଭୁବନେଶ୍ୱରଠାରେ ଆଜି ‘ପୂର୍ବାଞ୍ଚଳ କ୍ଷେତ୍ରୀୟ କୃଷି ସମ୍ମିଳନୀ -୨୦୨୬’ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା, ବିହାର, ଛତିଶଗଡ଼, ଝାରଖଣ୍ଡ ଓ ପଶ୍ଚିମବଙ୍ଗ ଆଦି ୫ଟି ରାଜ୍ୟର କୃଷି ବିକାଶ ପାଇଁ ପ୍ରସ୍ତୁତ ହେବ ରୋଡ ମ୍ୟାପ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପୂର୍ବ ଭାରତରେ କୃଷିର ଭବିଷ୍ୟତ ଓ ଚାଷୀଙ୍କ ସାମାଜିକ-ଆର୍ଥିକ ଉନ୍ନତି ପାଇଁ ଏକ ବ୍ୟାପକ ରୋଡମ୍ୟାପ୍‌ ସଂପର୍କରେ ଆଲୋଚନା କରିବା ସହ ରାଜ୍ୟ ସରକାରଙ୍କ କ୍ରାନ୍ତିକାରୀ ଯୋଜନାଗୁଡ଼ିକ ସମ୍ପର୍କରେ ସୂଚନା ଦେଇଛନ୍ତି।
କୃଷି ସମ୍ମିଳନୀରେ ଯୋଗଦେଇ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହାନ ଓଡ଼ିଶାର ଚାଷୀ ଓ କୃଷି ବିକାଶର ଭୂୟସୀ ପ୍ରଶଂସା କରିଛନ୍ତି।
ଚଳିତ ବର୍ଷ ଧାନ କ୍ରୟ କ୍ଷେତ୍ରରେ ଓଡ଼ିଶା ସରକାର ଏକ ବଡ଼ ରେକର୍ଡ ସୃଷ୍ଟି କରିଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି। କୃଷକମାନଙ୍କ ସମ୍ମାନରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, କୃଷକ ହେଉଛି ଆମର ଅନ୍ନଦାତା ଏବଂ ଯଦି ଏହି ଧରାପୃଷ୍ଠରେ କେହି ଦ୍ୱିତୀୟ ଭଗବାନ ଥାଏ, ତେବେ ସେ ହେଉଛି ଜଣେ କୃଷକ। ପୂର୍ବ ଭାରତର ଉର୍ବର ଭୂମି, ପ୍ରଚୁର ଜଳସମ୍ପଦ ଏବଂ ଅନୁକୂଳ ଜଳବାୟୁ ଆଗାମୀ ଦିନରେ ଏହି ଅଞ୍ଚଳର ଚାଷୀଙ୍କ ବିକାଶ ପାଇଁ ନିଶ୍ଚିତ ରୂପେ ଏକ ଶକ୍ତିଶାଳୀ ଇନ୍ଧନ ସାଜିବ ବୋଲି ଶ୍ରୀ ଚୌହାନ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

hiring


ବର୍ତ୍ତମାନର ବିଶ୍ୱସ୍ତରୀୟ ସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ରମନ୍ତ୍ରୀ ପ୍ରାକୃତିକ ଚାଷ ବା ‘ନେଚୁରାଲ୍ ଫାର୍ମିଂ’ ଉପରେ ସବୁଠାରୁ ଅଧିକ ଗୁରୁତ୍ୱ ଦେବାକୁ ଆହ୍ୱାନ କରିଛନ୍ତି। ସେ ସମ୍ମିଳନୀରେ ଉପସ୍ଥିତ ସମସ୍ତ ପ୍ରତିନିଧି ଓ ଚାଷୀଙ୍କୁ ଅନୁରୋଧ କରି କହିଛନ୍ତି ଯେ, ପ୍ରତ୍ୟେକ କୃଷକ ନିଜ ଚାଷ ଜମିର ଅତିକମରେ ପାଞ୍ଚ ଭାଗରୁ ଭାଗେ (୨୦ ପ୍ରତିଶତ) ଜମିରେ ନିଶ୍ଚିତ ଭାବେ ପ୍ରାକୃତିକ ଚାଷ କରିବା ଆବଶ୍ୟକ। ଏହାଦ୍ୱାରା ରାସାୟନିକ ସାରର ଆବଶ୍ୟକତା ଧୀରେ ଧୀରେ ହ୍ରାସ ପାଇବ ଏବଂ ମାଟିର ଉର୍ବରତା ବଜାୟ ରହିବ। ଏଥିସହ ନକଲି ସାର ଓ କୀଟନାଶକ କାରବାର କରୁଥିବା ଅସାଧୁ ବ୍ୟକ୍ତିଙ୍କ ବିରୋଧରେ କେନ୍ଦ୍ର ସରକାର ଅତ୍ୟନ୍ତ କଠୋର ଆଭିମୁଖ୍ୟ ଗ୍ରହଣ କରିବେ ଏବଂ ଆଗାମୀ ଦିନରେ କୃଷକଙ୍କ ସୁରକ୍ଷା ପାଇଁ ଏକ ନୂଆ ‘ପେଷ୍ଟିସାଇଡ୍ ଆକ୍ଟ’ ଅଣାଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ନିଜ ଅଭିଭାଷଣରେ ମାଟିର ସୁରକ୍ଷା ଉପରେ ସବୁଠାରୁ ଅଧିକ ଗୁରୁତ୍ୱ ଦେଇ କହିଛନ୍ତି, ଯେ ଆମକୁ ପ୍ରାକୃତିକ କୃଷିକୁ ଆପଣାଇବାକୁ ହେବ। ଅଧିକରୁ ଅଧିକ ରାସାୟନିକ ସାର ଏବଂ କୀଟନାଶକର ଉପଯୋଗ ଦ୍ୱାରା ଆମ ମାଟି ଧୀରେ ଧୀରେ ବିଷାକ୍ତ ହେବାରେ ଲାଗିଛି।
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ ପ୍ରକାଶ କରିଛନ୍ତି ଯେ, ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମହାପ୍ରସାଦ ପ୍ରସ୍ତୁତିରେ ବର୍ତ୍ତମାନ ଓଡ଼ିଶାର ଜୈବିକ ଚାଉଳ ବ୍ୟବହାର କରାଯାଉଛି। ଏହା ଓଡ଼ିଶାବାସୀଙ୍କ ପାଇଁ ବଡ଼ ଗୌରବର ବିଷୟ ଏବଂ ଆଗାମୀ ଦିନରେ କେମିତି ପୂର୍ବ ପ୍ରାନ୍ତରେ ଅଧିକରୁ ଅଧିକ ଜୈବିକ ଚାଷ ହୋଇପାରିବ, ସେଥିପାଇଁ ବ୍ୟାପକ ଗବେଷଣା କରିବାକୁ ସେ କୃଷି ବୈଜ୍ଞାନିକମାନଙ୍କୁ ଆହ୍ୱାନ ଦେଇଛନ୍ତି।
ଏହାସହ ବିଲୁପ୍ତ ହୋଇଯାଉଥିବା ସ୍ଥାନୀୟ କିସମର ପାରମ୍ପରିକ ଖାଦ୍ୟ ଶସ୍ୟଗୁଡ଼ିକର ପୁନରୁଦ୍ଧାର ପାଇଁ ବ୍ଲକ ସ୍ତରରେ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପ୍ରୟାସ କରାଯାଉଥିବା ସଂପର୍କରେ ସେ ସୂଚନା ଦେଇଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକୁ ଦୋହରାଇ ସେ କେମିକାଲ୍ ସାରର ବ୍ୟବହାର କମାଇବାକୁ ଚାଷୀ ଭାଇ ଓ ଭଉଣୀମାନଙ୍କୁ ଅନୁରୋଧ କରିଛନ୍ତି।
ଓଡ଼ିଶା ସରକାର ଚାଷୀଙ୍କୁ ଆର୍ଥିକ ମୁଖ୍ୟଧାରାକୁ ଆଣିବା ପାଇଁ ନେଇଥିବା ଐତିହାସିକ ପଦକ୍ଷେପ ବାବଦରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ‘ସମୃଦ୍ଧ କୃଷକ ଯୋଜନା’ରେ ଚାଷୀଙ୍କୁ ବଡ଼ ଆଶ୍ୱାସନା ଦେଇ ପ୍ରତି କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ଦରରେ ଧାନ କିଣାଯାଉଛି, ଯାହାଦ୍ୱାରା ଗତ ଖରିଫ୍ ଋତୁରେ ପ୍ରାୟ ୧୯ ଲକ୍ଷ ଚାଷୀ ସିଧାସଳଖ ଉପକୃତ ହୋଇଛନ୍ତି। ଏହା ବ୍ୟତୀତ ‘ସିଏମ କିଷାନ’ ଯୋଜନା ମାଧ୍ୟମରେ ୫୧ ଲକ୍ଷରୁ ଅଧିକ ଚାଷୀଙ୍କୁ ବାର୍ଷିକ ୪,୦୦୦ ଟଙ୍କା ଦିଆଯାଉଛି, ଯାହା କେନ୍ଦ୍ର ସରକାରଙ୍କ ପିଏମ କିଷାନ ସହିତ ମିଶି ଚାଷୀଙ୍କ ହାତରେ ବାର୍ଷିକ ୧୦,୦୦୦ ଟଙ୍କାର ସହାୟତା ରାଶି ପହଞ୍ଚାଉଛି। ଚାଷୀଙ୍କ ପିଲାମାନଙ୍କ ଉଚ୍ଚଶିକ୍ଷା ପାଇଁ ‘କୃଷି ବିଦ୍ୟାନିଧି ଯୋଜନା’ ଏବଂ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚାଷୀଙ୍କ ଅଂଶର ସମ୍ପୂର୍ଣ୍ଣ ପ୍ରିମିୟମ ରାଜ୍ୟ ସରକାର ନିଜେ ବହନ କରୁଥିବା ସେ ପ୍ରକାଶ କରିଛନ୍ତି।


ରାଜ୍ୟରେ କୃଷି ଭିତ୍ତିଭୂମି ଓ ବଜାର ସଂଯୋଗୀକରଣକୁ ମଜବୁତ କରିବା ପାଇଁ ସରକାର ବ୍ୟାପକ ପଦକ୍ଷେପ ନେଇଛନ୍ତି। ରାଜ୍ୟର ସମସ୍ତ ୫୮ଟି ସବ୍-ଡିଭିଜନରେ ଶୀତଳ ଭଣ୍ଡାର ସ୍ଥାପନ ପାଇଁ ଆର୍ଥିକ ସହାୟତା ଯୋଜନା ଆରମ୍ଭ କରାଯାଇଛି ଏବଂ ‘ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା’ରେ କୃଷି କ୍ଷେତ୍ରରେ ନିବେଶକୁ ପ୍ରୋତ୍ସାହିତ କରିବା ପାଇଁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ସବସିଡି ପ୍ରଦାନ କରାଯାଉଛି। ଓଡ଼ିଶାରେ ୧୮୦୦ରୁ ଅଧିକ କୃଷକ ଉତ୍ପାଦକ ସଂଗଠନ (ଏଫପିଓ) ସଫଳତାର ସହ କାର୍ଯ୍ୟ କରି ଗତ ଦୁଇ ବର୍ଷରେ ୧୨୬ କୋଟି ଟଙ୍କାର କାରବାର କରିଛନ୍ତି।
ଏହାସହ କୋରାପୁଟ, କଳାହାଣ୍ଡି ଭଳି ୬ଟି ଜିଲ୍ଲାରେ ଏକ ଲକ୍ଷ ଏକର ଜମିରେ କଫି ବଗିଚାର ବିକାଶ କରାଯାଉଛି । ବିଶ୍ୱ ବଜାରରେ ଓଡ଼ିଶାର କୋରାପୁଟ କଫିର ଏକ ସ୍ୱତନ୍ତ୍ର ପରିଚୟ ରହିଛି ବୋଲି ମତ ଦେଇ ଏହାର ବ୍ରାଣ୍ଡିଂ ଆହୁରି ଭଲ ଭାବରେ କରାଯାଇ ଏହାର ଚାହିଦା ଅଧିକ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।
ଦେଶର ଅନ୍ୟ ଅଞ୍ଚଳ ତୁଳନାରେ ପୂର୍ବ ଭାରତରେ କୃଷି ଉତ୍ପାଦକତା କମ୍ ଥିବାରୁ ଏହି କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ଅନେକ ସୁଯୋଗ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ସମ୍ମିଳନୀ ପୂର୍ବ ଭାରତର ୫ଟି ରାଜ୍ୟକୁ ପରସ୍ପରର ଶ୍ରେଷ୍ଠ ପ୍ରଣାଳୀ ଓ ଅନୁଭୂତିରୁ ଶିଖିବାରେ ଏକ ବଡ଼ ସୁଯୋଗ ଦେବ।
ଭୁବନେଶ୍ୱର କୃଷି ସମ୍ମିଳନୀରୁ ବାହାରିବାକୁ ଥିବା ନିଷ୍କର୍ଷ ପୂର୍ବ ଭାରତର ସମସ୍ତ ରାଜ୍ୟକୁ କୃଷି କ୍ଷେତ୍ରରେ ସମ୍ପୂର୍ଣ୍ଣ ଆତ୍ମନିର୍ଭରଶୀଳ କରିବ ଏବଂ ଏହି ରୋଡମ୍ୟାପ୍ ପ୍ରଧାନମନ୍ତ୍ରୀଙ୍କ ‘ପୂର୍ବୋଦୟ’ ମିଶନକୁ ସଫଳ କରିବାରେ ଏକ ଐତିହାସିକ ମାଇଲଖୁଣ୍ଟ ସାଜିବ ବୋଲି ମୁଖ୍ୟମନ୍ତ୍ରୀ ଦୃଢ଼ ଆଶା ପ୍ରକଟ କରିଛନ୍ତି।
ଏହି ସମ୍ମିଳନୀରେ ଉପ-ମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂଦେଓ, ବିହାରର କୃଷିମନ୍ତ୍ରୀ ଶ୍ରୀ ବିଜୟ କୁମାର ସିହ୍ନା ଏବଂ ଛତିଶଗଡ଼ର କୃଷିମନ୍ତ୍ରୀ ଶ୍ରୀ ରାମ ବିଚାର ନେତାମ ପ୍ରମୁଖ ଉପସ୍ଥିତ ଥିଲେ। ଏମାନଙ୍କ ସହିତ କେନ୍ଦ୍ରୀୟ କୃଷି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରାମ ନାଥ ଠାକୁର, କେନ୍ଦ୍ରୀୟ କୃଷି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଭାଗୀରଥ ଚୌଧୁରୀ, ପଶ୍ଚିମବଙ୍ଗ ର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅଶୋକ କୀର୍ତ୍ତନିଆ କେନ୍ଦ୍ରୀୟ କୃଷି ଓ କୃଷକ କଲ୍ୟାଣ ବିଭାଗର ସଚିବ ଶ୍ରୀ ଅତିଶ ଚନ୍ଦ୍ର ଏବଂ କେନ୍ଦ୍ରୀୟ କୃଷି ଗବେଷଣା ଓ ଶିକ୍ଷା ବିଭାଗର ସଚିବ ଡ. ମଙ୍ଗିଲାଲ୍ ଜାଟ୍ ମଧ୍ୟ ମଞ୍ଚାସୀନ ଥିଲେ।

hiranchal ad1
Leave A Reply

Your email address will not be published.

16 − 8 =