ବୌଦ୍ଧ,୧/୨ – ଆଜି ସନ୍ଧ୍ୟାରେ ଜିଲ୍ଲା ସଂଗ୍ରହାଳୟ ପରିସରରେ ଓରମାସ୍ ତରଫରୁ କ୍ଷୁଦ୍ର ପ୍ରଦର୍ଶନୀ ୨୦୨୧ ଉଦଘାଟିତ ହୋଇଯାଇଛି । ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଫିତାକାଟି ଏହି ପ୍ରଦର୍ଶନୀକୁ ଉଦ୍ଘାଟନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଉପ-ଜିଲ୍ଲାପାଳ ଅଶ୍ୱିନୀ କୁମାର ମେହେର, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ବବିତାରାଣୀ ଦଳବେହେରା, ଡେପୁଟି କଲେକ୍ଟର ଅବିନାଶ ପାଣ୍ଡିଆ, ଜିଲ୍ଲା ସଂସ୍କୃତି ଅଧିକାରୀ ଶିଶିର ସାହୁ, ବୌଦ୍ଧ ସିଡିପିଓ ମିନତୀରାଣୀ ଦେଓଙ୍କ ସମେତ ବିଭିନ୍ନ ଅଧିକାରୀମାନେ ଉପସ୍ଥିତ ଥିଲେ । ଓରମାସ୍ ତରଫରୁ ପ୍ରଦର୍ଶିତ ହୋଇଥିବା ୮ଗୋଟି ଷ୍ଟଲ୍କୁ ଜିଲ୍ଲାପାଳ ଶ୍ରୀ ମିଶ୍ର ବୁଲି ଦେଖିଥିଲେ । ଷ୍ଟଲ ଗୁଡିକରେ ବିଭିନ୍ନ ପ୍ରକାର ଡାଲି, ହଳଦୀ, ମସଲା ଦ୍ରବ୍ୟ, ବଡି, ଆଚାର, ପାମ୍ପଡ, ସମ୍ବଲପୁରୀ ହସ୍ତତନ୍ତ ସାମଗ୍ରୀ, ବାଉଁଶ ତିଆରି ବିଭିନ୍ନ ସାମଗ୍ରୀ, ଧୂପକାଠି, ପ୍ଲାଷ୍ଟିକ ଫୁଲ ଓ ଫୁଲଦାନୀ, ବେତରେ ତିଆରି ବିଭିନ୍ନ ପ୍ରକାର ଆସବାବପତ୍ର ପ୍ରଦର୍ଶିତ ହେଉଛି । ଏହି ପ୍ରଦର୍ଶନୀ ଆଜିଠାରୁ ଆସନ୍ତା ୭ତାରିଖ ପର୍ଯ୍ୟନ୍ତ ଚାଲୁରହିବ ବୋଲି ସୂଚନା ଦିଆଯାଇଛି । ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।