ଦାରିଙ୍ଗବାଡ଼ି,୨୭/୪: ଦାରିଙ୍ଗବାଡ଼ି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ହାଟପଦା ସାହି ଓ ରୁକାନବାଡ଼ି ସାହି ବ୍ଲକ ହେଡ଼କ୍ୱାଟର ଠାରୁ ମାତ୍ର ଅଧା କିଲୋମିଟର ବାଟ ହୋଇଥିବା ବେଳେ ଗ୍ରାମବାସୀ କିନ୍ତୁ ପାନୀୟ ଜଳ ସମସ୍ୟାରେ ଛଟପଟ ହେଉଛନ୍ତି । ହାଟପଦା ସାହିରେ ୩୦ ପରିବାର ରହୁଥିବା ବେଳେ ରୁକାନବାଡ଼ି ସାହିରେ ୭୦ ପରିବାର ବାସ କରୁଛନ୍ତି । ଦୁଇ ଗ୍ରାମର ଲୋକ ସଂଖ୍ୟା ୪୦୦ ରୁ ଉର୍ଦ୍ଧ ହେବ । ଦୁଇଟି ସାହି କୁ ବସୁଧା ଯୋଜନାରେ ଲୋକଙ୍କ ପାଇଁ ପାଇପ ଲାଇନ ଘର କୁ ଘର ଯୋଗାଇ ଦିଆଯାଇଛି ସତ ହେଲେ ଜଳ ଯୋଗାଣ କରାଯାଇନାହି । ଏକ ମାସରୁ ଉର୍ଦ୍ଧ ହେବ ଜଳ ଯୋଗାଣ ଠପ ହୋଇ ରହିଛି । ଅନ୍ୟ ପଟେ ରୁକାନବାଡ଼ି ସାହିରେ ୭୦ ପରିବାରକୁ ମାତ୍ର ଗୋଟିଏ ନଳକୂପ ରହିଥିବା ବେଳେ ଖରାଦିନ ପାଇଁ ଛୁଆଁ ସବୁ ସୁଖୀଯାଇଛି । ଯଦ୍ୱାରା ଲୋକ ଗାଧେଇବା,ସଫାକରିବା ଭଳି ଅନ୍ୟାନ୍ୟ କାମରେ ଏହି ନଳକୂପ ପାଣି ଉପରେ ହିଁ ଭରସା କରିଥାନ୍ତି । ଅନ୍ୟପଟେ ଏହି ନଳକୂପ ପାଣି ୪ ରୁ ୫ ଘଣ୍ଟା ରଖିଦେଲେ ପାଣି ଗୋଳିଆ ଦେଖା ଯିବା ସହ ତେଲିଆ ଭଳି ଦେଖା ଯାଉଚି । ଏଭଳି ସ୍ଥଳେ ଉକ୍ତ ପାଣି ପିଇବା ଯୋଗ୍ୟ ନହୋଇଥିଲେ ବି ପାନୀୟ ଜଳ ସମସ୍ୟା ପାଇଁ ଏହି ପାଣି ଲୋକେ ବାଧ୍ୟ ହୋଇ ପିଉଥିବା ଜନଜିନି ପ୍ରଧାନ,ରହିନୀ ପ୍ରଧାନ,ରାଣୀମତି ପ୍ରଧାନ,ସୁଶୀଳା ପ୍ରଧାନ,ସୌଦାମିନୀ ନାୟକ,ରିତାରାଣୀ ପ୍ରଧାନ ପ୍ରମୁଖ ଅଭିଯୋଗ କରିଛନ୍ତି । ହାଟପଦା ସାହିର ପାନୀୟ ଜଳ ସମସ୍ୟା ମଧ୍ୟ ଠିକ ଏଭଳି । ଏହି ଦୁଇଟି ଗ୍ରାମର ପାନୀୟ ଜଳ ସମସ୍ୟା ନେଇ ଗ୍ରାମର ମହିଳା ମାନେ ଦାରିଙ୍ଗବାଡ଼ି ସରପଂଚଙ୍କ ଠାରୁ ଆରଂଭ କରି ବ୍ଲକରେ ବିଡ଼ିଓଙ୍କ ପର୍ଯ୍ୟନ୍ତ ବାରମ୍ବାର ଅଭିଯୋଗ କରି ସମସ୍ୟାର ସମାଧାନ ନିମନ୍ତେ ଗୁହାରି କରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଏହାର ସମାଧାନ ହୋଇନଥିବା ସୁନିତା ଦିଗାଲ,କୌଶଲ୍ୟା ସାହୁ,ରାନୁ ପ୍ରଧାନ,ସୁଷମା ସିଂ,ବାସନ୍ତୀ ନାୟକ,ଝୁନିତା ପ୍ରଧାନ ପ୍ରମୂଖ ଅଭିଯୋଗ କରିଛନ୍ତି । ଯଦି ସମସ୍ୟାର ସମାଧାନ ନହୁଏ ତାହାହେଲେ ବ୍ଲକ କାର୍ଯ୍ୟଳୟରେ ଧାରଣ ଦେବୁ ବୋଲି ମହିଳା ମାନେ ପ୍ରଶାସନକୁ ଚେତାବନୀ ଦେଇଛନ୍ତି । ଦାରିଙ୍ଗବାଡ଼ି ବିଡ଼ିଓ ଅଭିମନ୍ୟୁ ବେହେରାଙ୍କୁ ପଚାରିବାରୁ ସେ କହିଲେ ପାନୀୟ ଜଳ ଯୋଗାଣ କାର୍ଯ୍ୟ କାମ ଚାଲିଚି,କମ ଦିନ ମଧ୍ୟରେ କାମ ସରିବ । ଏଣୁ ଲୋକଙ୍କୁ ଟ୍ୟାଙ୍କର ମାଧ୍ୟମରେ ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି ମତପ୍ରକାଶ କରିଥିଲେ ।