ପାଟଣାଗଡ,୧୫/୫- ବଲାଙ୍ଗିର ଜିଲ୍ଲା ପାଟଣାଗଡ ଓ ବେଲପଡା ଅଞ୍ଚଳରେ କୋରେନା ମହାମାରୀକୁ ନିୟନ୍ତ୍ରଣ କରିବାପାଇଁ ସରକାରଙ୍କ ତରଫରୁ କିଛିଦିନ ହେବ ସପ୍ତାହନ୍ତ ସଟଡାଉନ ସହ ଲକଡାଉନ ମଧ୍ୟ ଘୋଷଣା କରାଯାଇଛି । କୋଭିଡ-୧୯ ନିୟମ ପାଳନ ସହ କେତେକ ଅତ୍ୟାବଶ୍ୟକ ସାମଗ୍ରୀ ମିଳୁଥିବା କିଛି ଦୋକାନ କିଛି ସମୟ ଖୋଲା ରହୁଥିବାବେଳେ କେତେକ ଦୋକାନ ସମ୍ପୂର୍ଣ୍ଣ ବନ୍ଦ ରହିଛି । କୋଭିଡ କଟକଣା ଯୋଗୁଁ ହୋଟେଲ , ଜଳଖିଆ ଦୋକାନ ବନ୍ଦ ଥିବାରୁ ଡାକ୍ତରଖାନା ରେ ଭର୍ତ୍ତି ହୋଇଥିବା ରୋଗୀ ଓ ରୋଗୀ ସମ୍ପର୍କୀୟମାନେ ଖାଇବାପିଇବାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଏହାଛଡା ସପ୍ତାହନ୍ତ ସଟଡାଉନ ଯୋଗୁଁ ସହରର ସବୁ ଦୋକାନ ଶନିବାର ଓ ରବିବାର ଦୁଇ ଦିନ ତାଲା ପଡୁଛି । ଡାକ୍ତରଖାନା ଠାରୁ ପଡୋଶୀ ଗାଁ ମାନଙ୍କର ରୋଗୀ ମାନଙ୍କୁ ଖାଦ୍ୟ ଆଣିଦେବାରେ କିଛି ମାତ୍ରାରେ ସୁବିଧା ହେଉଥିବାବେଳେ ଦୂରଦୁରାନ୍ତ ରୋଗୀ ମାନଙ୍କ ପାଇଁ ଘୋର ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ।
ସପ୍ତାହନ୍ତ ସଟଡାଉନକୁ ଦୃଷ୍ଟିରେ ରଖି ଓ ଡାକ୍ତରଖାନାରେ ଭର୍ତ୍ତିର୍ି ହୋଇଥିବା ରୋଗୀ ଓ ତାଙ୍କ ସମ୍ପର୍କୀୟ ମାନଙ୍କ ଖାଇବା ସମସ୍ୟାର ସୁବ୍ୟବସ୍ଥା କରିବା ପାଇଁ ବଲାଙ୍ଗୀର ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ସେବା ଚେରିଟେବୁଲ ଟ୍ରଷ୍ଟ ତରଫରୁ ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଳୟ ଓ ବେଲପଡା ଡାକ୍ତରଖାନାରେ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଛି । ଆଜିର ବଣ୍ଟନ କାର୍ଯ୍ୟକ୍ରମରେ ପାଟଣାଗଡ଼ ଡ଼ାକ୍ତରଖାନାରେ ଟ୍ରଷ୍ଟ ସଭାପତି ସୁନୀଲ କୁମାର ସିଂ , ଉପସଭାପତି ଗିରିରାଜ ଭୋଇ ,ମରୁଆଁ ସରପଞ୍ଚ ଶ୍ରୀମତୀ ସନ୍ତୋଷିନୀ ବିଶି, କୋଷାଧ୍ୟକ୍ଷ ପ୍ରକାଶ ସିଂ, ମନବୋଧ ବରିହା, ସିଲୁ ସାହୁ, ରିଙ୍କୁ ନାଗ, ସଂଗ୍ରାମ ବାହୁକ ପ୍ରମୁଖ ବଣ୍ଟନ କରିଥିବାବେଳେ ସେହିପରି ବେଲପଡା ଡାକ୍ତରଖାନାରେ ଟ୍ରଷ୍ଟ ସଦସ୍ୟ ବନମାଳୀ ନାଏକ, ସିପୁନ ଖମାରୀ, ଅଜିତ ସାହୁ, ଜିତୁ ନାଏକ, ହରିଶ ବୁଡେକ, ଜନାର୍ଦ୍ଦନ ସିଂ, ରାକେଶ ବାହୁକ, ଚୈତନ୍ୟ ପୁଟେଲ ପ୍ରମୁଖ ସାମିଲ ହୋଇଛନ୍ତି । ଏହି ରନ୍ଧା ଖାଦ୍ୟ ପ୍ରତ୍ୟେକ ଶନିବାର ଓ ରବିବାର ଦୁଇଦିନ ଲକଡାଉନ ଥିବା ପର୍ଯ୍ୟନ୍ତ ବଣ୍ଟନ କରାଯିବ ବୋଲି ଟ୍ରଷ୍ଟ ଉପସଭାପତି ଗିରିରାଜ ଭୋଇ ସୂଚନା ଦେଇଛନ୍ତି ।