ପାଟଣାଗଡ଼,୧୬/୫- ଆଜି ଭୋର ସମୟରେ ପାଟଣାଗଡ଼ର ବରିଷ୍ଠ ସାମ୍ବାଦିକ ତଥା ପାଟଣାଗଡ଼ ଉପଖଣ୍ଡ ସାମ୍ବାଦିକ ସଂଘ ସଭାପତି କୈଳାସ ଚନ୍ଦ୍ର ସାହୁ ( ୭୫) ଙ୍କ ପରଲୋକ ହୋଇଯାଇଛି ।ସେ କିଛି ଦିନ ତଳେ କରୋନାରେ ପୀଡିତ ହେବା ପରେ ଚିକିତ୍ସିତ ହୋଇ ଘରକୁ ଫେରି ଆସିଥିଲେ । କିନ୍ତୁ ବିଧିର ବିଧାନ ଆଗରେ ସବୁକିଛି ତୁଚ୍ଛ ହୋଇଯାଇଛି । ଆଜି ସକାଳ ୫ ଘଣ୍ଟା ସମୟରେ ତାଙ୍କ ଦେହାନ୍ତ ଘଟିଥିବା ଖବର ମିଳିଛି । ସ୍ୱର୍ଗତ ସାହୁ ପାଟଣାଗଡ ଉପଖଣ୍ଡ ସାମ୍ବାଦିକ ସଂଘ ସଭାପତି ଭାବରେ ସୁଚାରୁରୂପେ କାର୍ଯ୍ୟ ସଂପାଦନ କରିଥିଲେ । ସେ ଜଣେ ଆମାୟିକ , ପରୋପକାରୀ ,ଶାନ୍ତଶିଷ୍ଟ, ମେଳାପୀ ବରିଷ୍ଠ ସାମ୍ବାଦିକ ଭାବରେ ପାଟଣାଗଡ଼ ଅଞ୍ଚଳରେ ବେଶ ପରିଚିତ ଥିଲେ । ତାଙ୍କର ଅକାଳ ବିୟୋଗରେ ପାଟଣାଗଡ଼ ଅଞ୍ଚଳରେ ଶୋକରଛାୟା ଖେଳିଯାଇଛି । ତାଙ୍କର ଅକାଳ ବିୟୋଗରେ ବଲାଙ୍ଗୀର ଜିଲ୍ଲା ସାମ୍ବାଦିକ ସଂଘ, ପାଟଣାଗଡ ଉପଖଣ୍ଡ ସାମ୍ବାଦିକ ସଂଘ , ପାଟଣାଗଡ଼ ଉପଖଣ୍ଡ ଯୁବ ସାମ୍ବାଦିକ ସଂଘ , ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶୋକପ୍ରକାଶ କରିବା ସହ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।