ଦାରିଙ୍ଗବାଡ଼ି,୧୭/୫: ଦାରିଙ୍ଗବାଡ଼ି ଥାନା ମୁଣ୍ଡୁଳାବାଲି ଗ୍ରାମରେ ପିଲା ଚୋର ସନ୍ଦେହରେ ଜଣଙ୍କୁ କମିଟି ଘରେ ଅଟକ ରଖିଲେ ଗ୍ରାମବାସୀ । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ମୁଣ୍ଡୁଲାବାଲି ଗ୍ରାମରେ ଘଟିଛି ଏଭଳି ଘଟଣା । ଗତକାଲି ରାତିରେ ଗାଁ କମିଟି ଘରେ ସନ୍ଦିଗ୍ଧକୁ ଅଟକ ରଖି ଆଜି ସକାଳୁ ପୋଲିସର ଜିମା ଦେଇଛନ୍ତି ଗ୍ରାମବାସୀ । ସନ୍ଦିଗ୍ଧ ଜଣକ ପର୍ତ୍ତମାହା ପଞ୍ଚାୟତର କଟାବାଡ଼ି ଗ୍ରାମର ମୀନକେତନ ପ୍ରଧାନ ବୋଲି ଜଣାପଡ଼ିଛି । ସୂଚନା ପ୍ରକାରେ ଗତକାଲି ସନ୍ଧ୍ୟା ସମୟରେ ମୀନକେତନ ମୁଣ୍ଡୁଲାବାଲି ଗ୍ରାମରେ ବୁଲୁଥିବା ସମୟରେ କିଛି ଗ୍ରାମବାସୀ ତୁମେ କିଏ କାହିଁକି ଗାଁ ଭିତରେ କୁଆଡେ ବୁଲୁଛୁ ବୋଲି ତାକୁ ପଚାରିବାରୁ ସେ ଦୌଡ଼ିବାକୁ ଲାଗିଲା । ଏହାପରେ ଗ୍ରାମବାସୀ ତାକୁ ପିଛା କରି କାବୁ କରିବାରେ ସକ୍ଷମ ହୋଇଥିଲେ ଏବଂ ଗାଁ କମିଟି ଘରେ ୁ ରଖିଥିଲେ । ଘଟଣା ସମ୍ପର୍କରେ ଦାରିଙ୍ଗବାଡ଼ି ପୋଲିସକୁ ଖବର ଦେଇଥିଲେ । ଆଜି ସକାଳୁ ଦାରିଙ୍ଗବାଡ଼ି ଥାନା ଅଧିକାରୀ କୌଶିକ ମାଝୀଙ୍କ ତତ୍ତ୍ୱାବଧାନରେ ସବ ଇନ୍ସପେକ୍ଟର ସୌମ୍ୟରଂଜନ ଜେନା ପୋଲିସ ଫୋର୍ସ ସହିତ ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ଯୁବକଙ୍କୁ ଉଦ୍ଧାର କରି ଥାନାକୁ ନେଇ ଅଧିକ ପଚରାଉଚରା କରୁଥିବା ସୂଚନା ମିଳିଛି । ମିଳିଥିବା ସୂଚନା ମୁତାବକ ମୀନକେତନଙ୍କ ନାମରେ ଦାରିଙ୍ଗ ବାଡ଼ି ଥାନାରେ ଏହିଭଳି ଏକ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ୍ ତାକୁ ଗିରଫକରି କୋର୍ଟ ଚାଲାଣ କରିଥିଲା । ଏବେ କିଛିଦିନ ପୂର୍ବରୁ ସେ ଜାମିନରେ ଆସିଥିବା ଥାନା ସୂତ୍ରରୁ ସୂଚନା ମିଳିଥିବା ବେଳେ ତାକୁ ନିଜ ଗ୍ରାମ କଟା ବାଡ଼ି ଭିତରକୁ ପ୍ରବେଶ କରାଇ ଦେଉନଥିବା ଜଣାପଡ଼ିଛି ।