ହାଇଦ୍ରାବାଦ: କୋଭିଡ-୧୯ ର ଚଳିତ ଦ୍ୱିତୀୟ ଲହର ସଂକ୍ରମଣ ବେଳେ ପୂର୍ବ ଲହର ତୁଳନାରେ ପରିବାରମାନଙ୍କରେ ହିଁ ଏକାଧିକ ସଂକ୍ରମିତ ବାହାରୁଥିବା ଜଣାଯାଇଛି । ତେବେ ଏହାର କାରଣ ଖୋଜିବା ପାଇଁ ୟୁକେ ସରକାରଙ୍କ ଜନସ୍ୱାସ୍ଥ୍ୟ ବିଭାଗ ଚଳାଇଥିବା ସର୍ବେକ୍ଷଣରୁ ସମସ୍ତଙ୍କୁ ଚକିତ କଲା ଭଳି ନିର୍ଯାସ ମିଳିଛି । ଏହି ସର୍ବେକ୍ଷଣରେ ଇଂଲଣ୍ଡରେ ପ୍ରଥମେ ଆବିର୍ଭୂତ ଆଲଫା ପ୍ରଜାତି କରୋନା ଭୂତାଣୁ (ବି.୧.୧.୭)ର ସଂକ୍ରମଣ ସହ ଭାରତରେ ପ୍ରଥମ ଠାବ ହୋଇଥିବା ଡେଲଟା ପ୍ରଜାତିର ରୂପାନ୍ତରିତ କରୋନା ଭୂତାଣୁ (ବି.୧.୬୧୭.୨) ର ସଂକ୍ରମଣକୁ ତୁଳନା କରାଯାଇଥିଲା । ଏଥିରୁ ଡେଲଟା ପ୍ରଜାତି ହିଁ ପରିବାର ଭିତରେ ଦ୍ରୁତ ବେଗରେ ସଂକ୍ରମିତ ହେଉଥିବା ସ୍ପଷ୍ଟ ହୋଇଛି । ଆଲଫା ପ୍ରଜାତି ଅପେକ୍ଷା ଏହା ୬୪ ପ୍ରତିଶତ ଅଧିକ ସଂକ୍ରମଣ କରୁଥିବା ୟୁକେର ଗବେଷକମାନେ କହିଛନ୍ତି । ତେବେ ଟିକାକରଣ ପ୍ରଭାବ ଯୋଗୁଁ ଜଣେ ପୀଡ଼ିତ ସାଂଘାତିକ ହେବାରୁ ବର୍ତ୍ତିଯାଇପାରୁଥିବା ସେମାନେ କହିଛନ୍ତି ।