ସମ୍ବଲପୁର,୨୧/୬- ସ୍ଥାନୀୟ ସାକ୍ଷୀପଡାରେ ଏକ ନିରୀହ ବୁଲାକୁକୁରକୁ ଜଣେ କୌଣସି ବ୍ୟକ୍ତିଗତ କାରଣରୁ ନିର୍ଦ୍ଦୟତାର ସହିତ ପିଟିପିଟି ଅଧମରା କରି ଛାଡ଼ିଦେଲା । ଏହି ଘଟଣା ପରେ ସେଠାରେ ତୀବ୍ର ଉତ୍ତେଜନା ଦେଖାଦେଇଛି । ଉକ୍ତ ନିରୀହ ଜୀବପ୍ରତି ଦୟା ଦେଖାଇ କିଛି ସ୍ଥାନୀୟ ସହୃଦୟ ବ୍ୟକ୍ତି ତାହାକୁ ଏଠାକାର ପଶୁ ଚିକିତ୍ସାଳୟକୁ ନେଇ ଚିକିତ୍ସା କରାଇବା ପରେ ମଧ୍ୟ କୁକୁରଟି ବଞ୍ଚି ପାରିଲା ନାହିଁ । ଏକ ନିରୀହ କୁକୁର ପ୍ରତି ଏପରି ନିଷ୍ଠୁରତା ବିରୁଦ୍ଧରେ ସେଠାରେ ଜନମତ ତେଜି ଉଠିଲା ଓ ମାମଲା ପୁଲିସ ଥାନା ପର୍ଯ୍ୟନ୍ତ ଯାଇ ପହଞ୍ଚିଥିଲା । ଜଣେ ସହୃଦୟ ବ୍ୟକ୍ତି ଏବିଷୟରେ ସମ୍ବଲପୁର ପୁଲିସ ଅଧିକ୍ଷକଙ୍କ ଠାରେ ଅଭିଯୋଗ କଲେ ଓ ତାଙ୍କ ନିର୍ଦ୍ଦେଶକ୍ରମେ ସ୍ଥାନୀୟ ଧନୁପାଲି ଥାନାରେ, କେଶ ନମ୍ବର ୨୨୭, ଏକ ମାମଲା ରୁଜୁ କରାଯାଇଛି । ପୁଲିସ ଉପସ୍ଥିତିରେ ଉକ୍ତ ମୃତ କୁକୁର ଦେହର ପୋଷ୍ଟମର୍ଟମ ମଧ୍ୟ କରାଯାଇଛି । ଅପରପକ୍ଷରେ ଏହି ମାମଲାରେ ଅଭିଯୁକ୍ତକୁ ଚିହ୍ନଟ କରାଯାଇଛି କିନ୍ତୁ ଏହି ଖବର ଲେଖାଯିବା ପର୍ଯ୍ୟନ୍ତ ତାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ କରାଯାଇନାହିଁ । ଏହି ନେଇ ଶ୍ରୀମତୀ ମେନକା ଗାନ୍ଧୀଙ୍କୁ ଲିଖିତ ରୁପେ ସୂଚନା ଦିଆଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ କିଛି ଦିନ ପୂର୍ବେ ସ୍ଥାନୀୟ ବୁର୍ଲା ଅଞ୍ଚଳରେ ଏକା ସାଙ୍ଗରେ ପାଞ୍ଚଟି କୁକୁରଙ୍କୁ ବିଷ ଦେଇ ମାରିଦେବା ଓ ଏହାକୁ ନେଇ ମଧ୍ୟ ଥାନାରେ ଅଭିଯୋଗ ହୋଇଥିଲା ।