ତୃତୀୟ ଲହର ସଂପର୍କରେ ବିଶେଷଜ୍ଞଙ୍କ ଭିନ୍ନ ମତ ରହୁଛି, ପ୍ରସ୍ତୁତିରେ ସାମାନ୍ୟତମ ଅବହେଳା ନକରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
ଭୁବନେଶ୍ୱର, ୨୪/୬- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ରାଜ୍ୟର ୮ଟି ଜିଲ୍ଲାରେ ଲିକ୍ୟୁଇଡ ମେଡିକାଲ ଅକ୍ସିଜେନ ଓ ପିଏସଏ ଭିତ୍ତିପ୍ରସ୍ତର ରଖିଛନ୍ତି । ଏହି ଜିଲ୍ଲାଗୁଡିକ ହେଲା – ବରଗଡ, ଗଞ୍ଜାମ, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡା, କେନ୍ଦୁଝର, ରାୟଗଡା ଓ ମାଲକାନଗିରି । ଏହାସହିତ ବ୍ରହ୍ମପୁର ସିଟି ହସ୍ପିଟାଲରେ ୧୨ ଶଯ୍ୟା ବିଶିଷ୍ଟ ନବଜାତ ଶିଶୁ ଚିକିତ୍ସା କେନ୍ଦ୍ର, ଭଞ୍ଜନଗରରେ ଡାୟାଲିସିସ୍ ୟୁନିଟ, କୁକୁଡାଖଣ୍ଡି ବ୍ଲକ୍ରେ ନୂତନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଦିଗପହଣ୍ଡି ବ୍ଲକ୍ରେ ନୂତନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଓ ଅନ୍ୟ କୋଭିଡ ଯୋଦ୍ଧା ମାନଙ୍କୁ ଧନ୍ୟବାଦ ଜଣାଇ କହିଥିଲେ ଯେ ଦ୍ୱିତୀୟ ଲହର ସ୍ଥିତିରେ ଉନ୍ନତି ଆସିଥିଲେ ମଧ୍ୟ କେତେକ ଉପକୂଳବର୍ତ୍ତୀ ଜିଲ୍ଲାର ପରିସ୍ଥିତିରେ ସ୍ଥିରତା ରହୁନାହିଁ । ସେହିପରି ତୃତୀୟ ଲହର ନେଇ ବିଶେଷଜ୍ଞମାନେ ଭିନ୍ନ ଭିନ୍ନ ମତ ରଖୁଛନ୍ତି । ତା ସହିତ କେତେକ ରାଜ୍ୟରେ ଡେଲ୍ଟା ପ୍ଲସ୍ ଭ୍ୟାରିଆଣ୍ଟ ମଧ୍ୟ ଦେଖା ଦେଲାଣି । ତେଣୁ କୌଣସି ପରିସ୍ଥିତିରେ ଆମର ପ୍ରସ୍ତୁତିରେ ସାମାନ୍ୟତମ ଅବହେଳା କରାଯାଇପାରିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଦୃଢ ମତପ୍ରକାଶ କରିଛନ୍ତି । ପ୍ରସ୍ତୁତି, ସତର୍କତା ଓ ସହଯୋଗ ଆମର ମୂଳମନ୍ତ୍ର ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସରକାରଙ୍କ ପ୍ରସ୍ତୁତି, ଜନସାଧାରଣଙ୍କ ସତର୍କତା ଓ ସହଯୋଗ ଜରିଆରେ ହିଁ ଆମେ ଏ ଲଢେଇ ଜିତିପାରିବା । କୋଭିଡ ନିୟମ ପାଳନ ସହିତ ଟୀକାକରଣ କ୍ଷେତ୍ରରେ ମଧ୍ୟ ଜନସାଧାରଣଙ୍କ ସହଯୋଗ କାମନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନ ସୁଦ୍ଧା ୧ କୋଟିରୁ ଅଧିକ ଡୋଜ୍ ଟୀକା ଦିଆଯାଇସାରିଲାଣି । ଜୀବନ ସହିତ ଜୀବିକା ଉପରେ ସେ ସବୁବେଳେ ଗୁରୁତ୍ୱ ଦେଇଆସିଛନ୍ତି ବୋଲି ପ୍ରକାଶ କରି ରାଜ୍ୟ ସରକାର ନିକଟରେ ଗରିବ ଲୋକ ଓ ଚାଷୀ ମାନଙ୍କ ପାଇଁ ୧୬୯୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି ବୋଲି ସେ କହିଥିଲେ ।ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପୂର୍ବରୁ ୧୫ଟି ଜିଲ୍ଲାରେ ଏଲଏମଓ ଓ ପିଏସଏ ପ୍ଲାଣ୍ଟ ପାଇଁ କାମ ଆରମ୍ଭ ହୋଇଥିବା ବେଳେ, ଆଜି ଆଉ ୮ଟି ଜିଲ୍ଲାରେ ଏହିସବୁ ଅକ୍ସିଜେନ ପ୍ଲାଣ୍ଟ ପାଇଁ ଭିତ୍ତିପ୍ରସ୍ତର ରଖାଗଲା । ଲୋକଙ୍କୁ ଉତ୍ତମ ସେବା ଯୋଗାଇ ଦେବାରେ ରାଜ୍ୟ ସରକାରଙ୍କ ଏହି ଉଦ୍ୟମରେ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ । ବାଚସ୍ପତି ଶ୍ରୀ ସୂର୍ଯ୍ୟନାରାୟଣ ପାତ୍ର ବ୍ରହ୍ମପୁର ଠାରେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ ଯେ ଆଜି ଗଞ୍ଜାମ ପାଇଁ ଏକ ସୌଭାଗ୍ୟର ଦିନ । ଗଞ୍ଜାମ ଜିଲ୍ଲାରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ଉନ୍ନତି ପାଇଁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ସେ ଆଲୋକପାତ କରିଥିଲେ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣମନ୍ତ୍ରୀ ଶ୍ରୀ ନବ ଦାସ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହ, ବିଜ୍ଞାନ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ଅଶୋକ ପଣ୍ଡା, ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀ ପ୍ରେମାନନ୍ଦ ନାୟକ, ଅନୁସୂଚିତ ଜନଜାତି, ଜାତି ଉନ୍ନୟନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା, କନ୍ଧମାଳ ସାଂସଦ ଶ୍ରୀ ଅଚ୍ୟୁତ ସାମନ୍ତ, ନବରଂଗପୁର ସାଂସଦ ଶ୍ରୀ ରମେଶଚନ୍ଦ୍ର ମାଝୀ ଓ କେନ୍ଦ୍ରାପଡା ବିଧାୟକ ଶ୍ରୀ ଶଶୀଭୂଷଣ ବେହେରା ରାଜ୍ୟରେ କୋଭିଡ ଯୁଦ୍ଧରେ ଓଡିଶାର ଉତ୍ତମ ପ୍ରଦର୍ଶନ ଓ ସ୍ୱାସ୍ଥ୍ୟ ଭିତ୍ତିଭୂମିରେ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ ଦକ୍ଷ ନେତୃତ୍ୱର ଉଚ୍ଚପ୍ରଶଂସା କରିଥିଲେ ।
ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲାର ସାଂସଦ ଓ ବିଧାୟକମାନେ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପି.କେ. ମହାପାତ୍ର ସ୍ୱାଗତ ଭାଷଣ ଦେଇଥିଲେ । ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶକ ଶ୍ରୀମତୀ ଯାମିନୀ ଷଡଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ । ମୁଖ୍ୟଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ଶ୍ରୀ ପି.କେ. ଜେନା, ଶିଳ୍ପ ବିଭାଗ ପ୍ରମୁଖ ସଚିବ ଶ୍ରୀ ହେମନ୍ତ ଶର୍ମା ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।