ହୀରାକୁଦ ଜଳଭଣ୍ଡାର: ୭ଦିନରେ ଜଳସ୍ତର ୩ଫୁଟ ତଳକୁ ଖସିଲା

0 116

ସମ୍ବଲପୁର,୧୭/୭- ବିଶ୍ୱ ପ୍ରସିଦ୍ଧ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବିଗତ ୭ ଦିନରେ ୩ଫୁଟରୁ ଅଧିକ ତଳକୁ ଖସିବାପରେ ଆଜି ସବୁ ଗେଟ୍‌ ବନ୍ଦକରି ଜଳ ନିଷ୍କାସନ ଉପରେ ଲଗାମ କଷାଯାଇଛି । ଏକୂଳରୁ ସେକୂଳକୁ ଆଖି ପାଉନଥିବା ଏହି ଜଳଭଣ୍ଡାର ପ୍ରାୟ ୭୪୪ ବର୍ଗ କିଲୋମିଟର ପର୍ଯ୍ୟନ୍ତ ଏକ କ୍ଷୁଦ୍ରସାଗର ପରି ବିସ୍ତୀର୍ଣ୍ଣ ରହିଛି । ବର୍ତ୍ତମାନ ପଡୋଶୀ ରାଜ୍ୟ ଛତିଶଗଡରେ ବର୍ଷାର ପରିମାଣ ହଠାତ୍‌ ହ୍ରାସ ପାଇଥିବାରୁ ଏହି ଜଳଭଣ୍ଡାରର ଉପରମୁଣ୍ଡରୁ ଆସୁଥିବା ବନ୍ୟାଜଳ ମଧ୍ୟ କମିଯାଇଛି । ହୀରାକୁଦ ଜଳଭଣ୍ଡାର ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ଆଜି ସକାଳ ୯ଟା ସମୟରେ ଏହାର ଜଳସ୍ତର ୬୦୬.୬୨ ଫୁଟ ରେକର୍ଡ କରାଯାଇଥିଲା ଓ ଠିକ ସାତଦିନ ପୂର୍ବେ ୧୧ ଜୁଲାଇ ଦିନ ଏହି ଜଳସ୍ତର ୬୦୯.୫୪ ଫୁଟ ରହିଥିଲା । ସେତେବେଳେ ଉପରମୁଣ୍ଡରୁ ପ୍ରଚୁର ପରିମାଣରେ ବନ୍ୟାଜଳ ଜଳଭଣ୍ଡାରକୁ ପ୍ରବେଶ କରୁଥିବାରୁ ଏହାକୁ ନିୟନ୍ତ୍ରଣରେ ରଖିବାପାଇଁ ଏବର୍ଷ ପ୍ରଥମକରି ଦୁଇଟି ଗେଟ ଖୋଲି ନିଷ୍କାସନ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ଆଜି ମଧ୍ୟାହ୍ନ ସୁଦ୍ଧା ସ୍ଲୁଇସ ଗେଟ୍‌ ଜରିଆରେ ନିଷ୍କାସନ ପ୍ରକ୍ରିୟା ବନ୍ଦ କରିବା ପାଇଁ ସବୁ ଗେଟ୍‌ ବନ୍ଦ କରାଗଲା । ଆଜି ସକାଳ ୯ଟା ସମୟରେ ଏହି ଜଳଭଣ୍ଡାରକୁ ପ୍ରବିଷ୍ଟ ଜଳରାଶିର ପରିମାଣ ୯୨୫୫ କ୍ୟୁସେକ ଓ ସେତେବେଳେ ଗୋଟିଏ ଗେଟ୍‌ ଖୋଲା ଥିବାରୁ ୩୩,୦୭୨ କ୍ୟୁସେକ ଜଳରାଶି ନିଷ୍କାସିତ ହେଉଥିଲା । ହୀରାକୁଦର ତଳେ ମହାନଦୀର ଜଳସ୍ତର ପ୍ରାୟ ଖସିବା ବିଷୟରେ ସୂଚନା ମିଳିଛି । ସେତେବେଳେ ବେଲଗାଁ ଓ ଖଇରମାଲ ଠାରେ ନଦୀର ଜଳସ୍ତର ଖସି ଆସୁଥିଲା ତଥା ପଥରଲା,ବରମୂଳ ଓ ମୁଣ୍ଡୁଲୀ ଠାରେ ଜଳସ୍ତର ପ୍ରାୟ ସ୍ଥିର ରହିଥିଲା ।

hiranchal ad1
Leave A Reply

Your email address will not be published.

8 + 20 =