ପୁରୀ,୧୭/୭- ଜନ୍ମବେଦୀ ଗୁଣ୍ଡିଚା ମନ୍ଦିରରେ ସରି ସରି ଆସୁଛି ମହାପ୍ରଭୁଙ୍କ ଲୀଳାଖେଳା । ବାହୁଡାଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ପ୍ରଥା ଓ ପରମ୍ପରା ଅନୁଯାୟୀ ହେରାପଞ୍ଚମୀ ପରଦିନ ଅର୍ଥାତ ଆଜି ତିନି ରଥର ଦକ୍ଷିଣମୋଡ କରାଯାଇଛି । ସେପଟେ ଚଳିତବର୍ଷ ଗୁଣ୍ଡିଚା ମନ୍ଦିରରେ ହେବନାହିଁ ନବମୀ ସଂଧ୍ୟା ଦର୍ଶନ । କେବଳ ନୀତିକାନ୍ତି କରାଯିବ । ଆସନ୍ତା ମଙ୍ଗଳବାର ବାହୁଡାଯାତ୍ରା ।ଏଥିପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ନବଦିନାତ୍ମକ ଘୋଷଯାତ୍ରାରେ ଆସିଥିବା ମହାପ୍ରଭୁଙ୍କ ଗୁଣ୍ଡିଚା ମନ୍ଦିରରେ ଆଜି ସମସ୍ତ ନୀତିକାନ୍ତି ସରି ସକାଳ ଧୂପ ସରିବା ପରେ ଘଣ୍ଟଘଣ୍ଟା,କାହାଳୀ, ଛତ୍ରି ସହ ପଟୁଆରରେ ତିନି ବାଡ଼ରୁ ତିନି ଜଣ ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳ ଧରି ତିନିରଥ ନିକଟକୁ ଆସିବା ପରେ ଆରମ୍ଭ ହୋଇଥିଲା ରଥଟଣା । ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ଦକ୍ଷିଣମୋଡ କରାଯାଇଥିଲା । ଏହା ପୂର୍ବରୁ ଭୋଇ ସେବକଙ୍କ ଦ୍ୱାରା ରଥର ବ୍ରେକ ଓ ଦଉଡି ସଂଯୋଗ କରାଯାଇଥିଲା । ରାସ୍ତାର ଦୁଇ ପାଶ୍ୱର୍ରେ ଦକ୍ଷିଣମୋଡ ପାଇଁ ଅସ୍ଥାୟୀ ବାଲି ବସ୍ତା ବିଛାଯାଇଥିଲା । ବିଜେ କାହାଳୀ ବାଜିବା ପରେ ଆରକ୍ଷୀ ବାହିନୀ ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ,ପରେ ବଳଭଦ୍ରଙ୍କ ରଥ ଓ ତାପରେ ନନ୍ଦିଘୋଷ ରଥ ଦକ୍ଷିଣମୋଡ କରିଥିଲେ ।ଦର୍ପଦଳନ ପରେ ତାଳଧ୍ୱଜ ଓ ଶେଷରେ ନନ୍ଦିଘୋଷ ରଥର ଦକ୍ଷିଣ ମୋଡ କରାଯାଇଥିଲା । ଗତବର୍ଷ କେବଳ ସେବାୟତ ମାନେ ଦକ୍ଷିଣମୋଡ କରିଥିବା ବେଳେ ଚଳିତବର୍ଷ ଆରକ୍ଷୀ ବାହିନୀ ମହାପ୍ରଭୁଙ୍କ ତିନିରଥକୁ ଦକ୍ଷିଣମୋଡ କରିଛନ୍ତି । ଏହା ବାହୁଡା ଯାତ୍ରାର ଅୟମାରମ୍ଭ । ସେପଟେ ବାହୁଡା ଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସେପଟେ ବାହୁଡାଯାତ୍ରା ପାଇଁ ୧୯ତାରିଖ ରାତିରୁ ୨୨ ତାରିଖ ସକାଳ ପର୍ଯ୍ୟନ୍ତ କର୍ଫ୍ୟୁ ଓ ୧୪୪ଧାରା ଜାରି କରାଯିବ । ସିଆରପିସିର ଧାରା ୧୪୪ ଅନୁଯାୟୀ କେବଳ ଜରୁରୀକାଳୀନ ସେବାକୁ ବାଦ୍ ଦେଲେ ଆଉ କାହାରିକୁ ଛଡ଼ାଯିବ ନାହିଁ । ବଡ଼ଦାଣ୍ଡରେ କୌଣସି ଗାଡି ଗଡିବ ନାହିଁ । ବଡଦାଣ୍ଡରେ ଥିବା ସମସ୍ତ କୋଠା ଯାଞ୍ଚ ହେବ ସହ ସଂଯୋଗ କରୁଥିବା ପ୍ରତ୍ୟେକ ରାସ୍ତା ସିଲ ହେବ । ଅନ୍ୟପଟେ ଶ୍ରୀଗୁଣ୍ଡିଚା ଯାତ୍ରାରେ କର୍ଫ୍ୟୁ ଉଲଂଘନ ଘଟଣାରେ ଜିଲ୍ଲାପାଳ ପ୍ରତିକ୍ରିୟା ରଖିଛନ୍ତି । କୋଭିଡ୍ କଟକଣା ଉଲଙ୍ଘନ କରି ବଡଦାଣ୍ଡରେ ରଥରୂଢ ବିଗ୍ରହଙ୍କ ଦର୍ଶନ କରିବା ଅଭିଯୋଗରେ ୧୪ ଜଣଙ୍କୁ ଚିହ୍ନଟ କରାଯାଇ ତାଲିକା ପ୍ରସ୍ତୁତ କରାଯାଇଛି । ଅନ୍ୟପଟେ ବାହୁଡା ଯାତ୍ରାରେ ରହିବ ଅଧିକ କଟକଣାକୁ ଆହୁରି କଡାକଡି କରାଯିବା ସହ କର୍ଫ୍ୟୁ ଉଲଂଘନ ଘଟଣାର ପୁନରାବୃତ୍ତି ନହେବାକୁ ନିଆଯାଉଛି କଡା ପଦକ୍ଷେପ । ବଡଦାଣ୍ଡର ଦୁଇପାର୍ଶ୍ୱରେ ଥିବା ବିଭିନ୍ନ ହୋଟେଲ, ଲଜିଂ ଓ ଧର୍ମଶାଳାକୁ ଆଗୁଆ ସିଲ୍ କରି ବାହୁଡା ଯାତ୍ରା କରିବା ଉପରେ ଆଜି ଅର୍ଡର ବାହାର କରିବା ପାଇଁ ନିଆଯାଇଛି ପଦକ୍ଷେପ । ତେବେ ବାହୁଡା଼ ଯାତ୍ରା ପାଇଁ ସେବାୟତ ଓ କର୍ମଚାରୀ ମାନଙ୍କର ଆରଟିପିସିଆର୍ ଟେଷ୍ଟ ଚାଲିଥିବା ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି । ଗୁଣ୍ଡିଚା ମନ୍ଦିର ନାକଚଣା ଦୁଆରେ ଦଣ୍ଡାୟମାନ ଏବେ ରଥତ୍ରୟ । ସେପଟେ ଆସନ୍ତା ମଙ୍ଗଳବାର ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବାହୁଡାଯାତ୍ରା । ସୋମବାର ମହାପ୍ରଭୁଙ୍କ ସଂଧ୍ୟା ଦର୍ଶନ ବିନାଭକ୍ତରେ ଅନୁଷ୍ଠିତ ହେବାସହ ମଙ୍ଗଳବାର ବାହୁଡାଯାତ୍ରା, ବୁଧବାର ମହାପ୍ରଭୁଙ୍କ ସୁନାବେଶ, ଗୁରୁବାର ଅଧରପଣା ଓ ଶୁକ୍ରବାର ନୀଳାଦ୍ରିବିଜେରେ ନୀଳକନ୍ଦରକୁ ବାହୁଡିବେ ନୀଳାଦ୍ରୀନାଥ ।