ସମ୍ବଲପୁର, ୨୨/୭- ଆଗାମୀ ଅଗଷ୍ଟ ମାସ ଆରମ୍ଭରୁ ପ୍ରଚଳିତ କୋଭିଡ କଟକଣା ପାଇଁ ସମ୍ଭାବ୍ୟ କୋହଳ ପରିପ୍ରେକ୍ଷୀରେ ମୃତ ପ୍ରାୟ ହୋଟେଲ ଉଦ୍ୟୋଗ ପାଇଁ ପଶ୍ଚିମ ଓଡ଼ିଶା ହୋଟେଲ ଓ ରେଷ୍ଟୁରାଣ୍ଟ ସଂଘ ପକ୍ଷରୁ କିଛି ସ୍ୱତନ୍ତ୍ର ପ୍ୟାକେଜ ଦାବି କରାଯାଇଛି । ସ୍ଥାନୀୟ ହୋଟେଲ୍ ଗ୍ରାଣ୍ଡ ଶିବା ଠାରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହା ଜଣାଯାଇଛି । ସଂଘ ସମ୍ପାଦକ ଯଶବୀର ସିଂହ ହୁରା ଏବିଷୟରେ ସାମ୍ବାଦିକ ମାନଙ୍କୁ ସମ୍ବୋଧିତ କରି କହିଲେ ବୈଶ୍ୱିକ ମହାମାରୀ କରୋନା ଯୋଗୁଁ ଏଠାକାର ହୋଟେଲ ବ୍ୟବସାୟ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି ଓ ଆଗାମୀ ଦିନରେ ସ୍ଥିତି ସୁଧୁରିବା ଆଶାରେ ସେମାନେ ଜଗି ବସିଛନ୍ତି । ସେ ପୁଣି କହିଲେ ଭଲ ବ୍ୟବସାୟ ଆଶାରେ ସେମାନେ ହୋଟେଲ ପାଇଁ ବାରଣ ଲାଇସେନ୍ସ ନେଇଛନ୍ତି, କିନ୍ତୁ ବର୍ତ୍ତମାନ ସେଗୁଡିକ ସରକାରୀ ଆଦେଶ ବଳରେ ବନ୍ଦ ରଖାଯାଇଛି, ତଥାପି ସେମାନଙ୍କ ଠାରୁ ପ୍ରତିମାସ ଅବକାରୀ ଶୁଳ୍କ ଅସୁଲ କରାଯାଉଛି । ସେହିପରି ବ୍ୟବସାୟ ବନ୍ଦ ସତ୍ୱେ ନ୍ୟୁନତମ ବିଦ୍ୟୁତ ଶୁଳ୍କ ଦେବା ପାଇଁ ସେମାନେ ବାଧ୍ୟ ହେଉଛନ୍ତି । ବ୍ୟବସାୟ ବନ୍ଦ ସତ୍ୱେ ସେମାନଙ୍କ ଠାରୁ ପ୍ରଦୂଷଣ ନିୟନ୍ତ୍ରଣ ଓ ଅଗ୍ନି ନିୟନ୍ତ୍ରଣ ଲାଇସେନ୍ସ ନବିକରଣ କରିବାକୁ ସେମାନେ ବାଧ୍ୟ । ଏହା ବ୍ୟତୀତ ନଗରପାଳିକାର ବିଭିନ୍ନ ଦେୟ ଓ ଜିଏସଟି ସେମାନଙ୍କ ଠାରୁ ବଳପୂର୍ବକ ଅସୁଲ କରାଯାଉଛି । ଏହି ପରିପ୍ରେକ୍ଷୀରେ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଛି ଯେ ହୋଟେଲ ଉଦ୍ୟୋଗକୁ ଜୀବିତ ରଖିବା ପାଇଁ ମୋରାଟୋରିୟମ ଓ ସଫ୍ଟଲୋନର ସୁବିଧା ଦିଆଯାଉ । ପୂର୍ବ ଓ ପଶ୍ଚିମ ଓଡିଶାର ସ୍ଥିତି ଭିନ୍ନ ଭିନ୍ନ ଥିବାରୁ ସେମାନେ ଆଞ୍ଚଳିକ ସ୍ତରରେ ଏପରି ଦାବି ଉଠାଇବାକୁ ବାଧ୍ୟ ବୋଲି ସ୍ଥିତି ସ୍ପଷ୍ଟ କରାଯାଇଛି ।