ସମ୍ବଲପୁର,୨୬/୭- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ପ୍ରଶଂସିତ ହେବାପରେ ସମ୍ବଲପୁର ଜିଲ୍ଲା ଯୁଜୁମୁରା ବ୍ଲକ ଝାଙ୍କରପାଲି ପଞ୍ଚାୟତର ବାବୁପାଲି ଗ୍ରାମର ଇସାକ୍ ମୁଣ୍ଡା ଆଜି ଜଣେ ଚର୍ଚ୍ଚିତ ବ୍ୟକ୍ତିତ୍ୱ । ଜଣେ ଦିନ ମଜୁରିଆ ଭାବରେ କାମକରି ନିଜର ପରିବାର ପୋଷଣ କରୁଥିଲେ । ଗତବର୍ଷ ମାର୍ଚ୍ଚ ମାସରେ ବିଶ୍ୱ ମହାମାରୀ କରୋନା ଯୋଗୁଁ ହୋଇଥିବା ଲକଡାଉନର କୁପ୍ରଭାବରୁ ସେ ବି ବର୍ତ୍ତି ନଥିଲେ । କାମଧନ୍ଦା ଓ ରୋଜଗାର ପନ୍ଥା ବନ୍ଦ ହେଇଥିଲା ସତ କିନ୍ତୁ ପରିସ୍ଥିତି ସାମ୍ନାରେ ସେ ଅନ୍ୟମାନଙ୍କ ଭଳି ହାରି ନଥିଲେ । କଥାରେ ଅଛି ଅଭାବ ହିଁ ମଣିଷକୁ ଉଦ୍ଭାବନର ମାର୍ଗ ଦେଖାଇଥାଏ ଓ ଇସାକ୍ମୁଣ୍ଡା ହେଉଛନ୍ତି ତାହାର ଜ୍ୱଳନ୍ତ ଉଦାହରଣ । ନିଜର ଛୋଟିଆ ମୋବାଇଲ ଓ ପ୍ରଯୁକ୍ତି ବିଦ୍ୟାର ସଦୁପଯୋଗ କରି ଜଣେ ସଫଳ ‘ୟୁଟ୍ୟୁବର’ ଭାବରେ ସେ କେବଳ ଯେ ଲକ୍ଷଲକ୍ଷ ଟଙ୍କା ଉପାର୍ଜନ କରୁଛନ୍ତି ତାହାନୁହେଁ ସାରା ବିଶ୍ୱରେ ସେ ଆଜି ଜଣେ ଚର୍ଚ୍ଚିତ ଚେହେରା ହୋଇସାରିଲେଣି । ବିଭିନ୍ନ ଖବର କାଗଜ ଓ ବୈଦ୍ୟୁତିକ ଗଣମାଧ୍ୟମରେ ଶିରୋନାମା ସାଜିଥିବା ଇସାକ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ “ମନ୍ କି ବାତ୍’ ରେ ସ୍ଥାନ ପାଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ମୁହଁରୁ ଇସାକ୍ ମୁଣ୍ଡାଙ୍କ ପ୍ରଶଂସା ଶୁଣିଲାପରେ ଭାଜପା ପକ୍ଷରୁ ଗତକାଲି ରେଙ୍ଗାଲି ବିଧାୟକ ନାଉରି ନାଏକ ଓ ରେଢ଼ାଖୋଲ ବିଧାୟକ ପ୍ରାର୍ଥୀ ଦେବେନ୍ଦ୍ର ମହାପାତ୍ର ଇସାକ୍ ମୁଣ୍ଡାଙ୍କ ଘରେ ପହଞ୍ଚିି ତାଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଫୋନ ଯୋଗେ ଶ୍ରୀ ମୁଣ୍ଡାଙ୍କ ସହ କଥା ହୋଇ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ଆଗାମୀ ଦିନରେ ତାଙ୍କୁ ଯେକୌଣସି ପ୍ରକାରେ ସାହାଯ୍ୟ ସହଯୋଗର ଆବଶ୍ୟକତା ରହିବ ସେଥିପାଇଁ ସବୁବେଳେ ଆମେ ପ୍ରସ୍ତୁତ ଅଛୁ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଧନୁପାଲି ମଣ୍ଡଳ ସଭାପତି ପ୍ରକାଶ ସାହୁଙ୍କ ସମେତ ଅନେକ ଗ୍ରାମବାସୀ ମଧ୍ୟ ଉପସ୍ଥିତ ଥିଲେ ।