ଶ୍ରୀମନ୍ଦିରରେ ରକ୍ଷାବନ୍ଧନ ଓ ବଳଭଦ୍ର ଜନ୍ମ ଉତ୍ସବ

0 73

ପୁରୀ : ଆଜି ପବିତ୍ର ରକ୍ଷା ବନ୍ଧନ ଉତ୍ସବ ଓ ବଳଭଦ୍ର ଜନ୍ମ ଉତ୍ସବ । ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି । ଆଜିର ଦିନରେ ଭଉଣୀ ସୁଭଦ୍ରା ଦୁଇଭାଇ ବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କୁ ରାକ୍ଷୀ ପିନ୍ଧାଇଥିଲେ । ପାଟରା ବିଶୋୟୀଙ୍କ ଦ୍ୱାର ନିର୍ମିତ ସ୍ୱତନ୍ତ୍ର ରାକ୍ଷୀ ଓ ଗୁଆମାଳ ମହାପ୍ରଭୁଙ୍କୁ ସିଂହାରୀ ସେବକମାନେ ଆଜି ଲାଗି କରାଇଥିଲେ । ସେହିପରି ଆଜି ଶ୍ରୀମନ୍ଦିରରେ ମଧ୍ୟ ବଳଭଦ୍ରଙ୍କ ଜନ୍ମନୀତି ଅନୁଷ୍ଠିତ ହୋଇଛି । ଶ୍ରୀମନ୍ଦିରରେ ଦ୍ୱିପହର ଭୋଗ ଉଠିବା ପରେ ମଙ୍ଗଳାର୍ପଣ କରାଯାଇ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହେବାସହ ଚକ୍ରରାଜ ସୁଦର୍ଶନଙ୍କୁ ବିମାନରେ ମାର୍କଣ୍ଡ ପୁଷ୍କରଣୀକୁ ନିଆଯାଇଥିଲା । ସେଠାରେ ମାଟିର ବଳଭଦ୍ର ପ୍ରତିମା ନିର୍ମାଣ କରାଯାଇଥିଲା । ପୂଜାପଣ୍ଡା ସେବକ ଜୀବନ୍ୟାସ ଦେବାପରେ ଜାତକର୍ମ ଅନୁଷ୍ଠିତ ହୋଇଥିଲା । ପରେ ପଂଚୋପଚାର, ଶୀତଳ ମଣୋହୀ ଓ ବନ୍ଦାପନା କରାଯାଇ ବଳଭଦ୍ରଙ୍କ ମାଟି ପ୍ରତିମାକୁ ମାର୍କଣ୍ଡ ପୁଷ୍କରଣୀରେ ବିସର୍ଜନ କରାଯାଇଥିଲା । ଏହାପରେ ବିମାନବଡୁ ସେବକମାନେ ସୁଦର୍ଶନଙ୍କୁ ବିମାନରେ ବସାଇ ଚାରି ଆଶ୍ରମ ଭ୍ରମଣ କରିବା ପରେ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ ।ବଳଭଦ୍ରଙ୍କ ଜନ୍ମଉତ୍ସବ ଅବସରରେ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଗହ୍ମାମଣ୍ଡା ଭୋଗ ଲାଗି କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

eighteen + ten =