ଗଞ୍ଜାମ/ବ୍ରହ୍ମପୁର: ବଡବଜାର ଥାନା ଅନ୍ତର୍ଗତ ଆସିକା ରୋଡରୁ ସ୍କୁଟି ଡିକିରୁ ୪ଲକ୍ଷ ଟଙ୍କା ଲୁଟ ଘଟଣାର ଅଭିଯୁକ୍ତକୁ ପୋଲିସ ଗିରଫ କରିଛି । ଅଭିଯୁକ୍ତ ନିକଟରୁ ଚୋରି ଟଙ୍କାର ୩ଲକ୍ଷ ୭୦ହଜାର ଜବତ ସହ ଏକ ହିରୋ ହୋଣ୍ଡା ମୋଟର ସାଇକେଲ ଓଆର୦୭ଆର୍ ୮୪୬୫କୁ ମଧ୍ୟ ଜବତ କରାଯାଇଛି । ଅଭିଯୁକ୍ତ ଜଣକ ହେଲେ ଗୋଳନ୍ଥରା ଥାନା ଅନ୍ତର୍ଗତ ସୁନାପୁର ଗ୍ରାମ ତଥା ବର୍ତ୍ତମାନ ବ୍ରହ୍ମପୁର ବ୍ରଜନଗର ୩ସାରଣୀର ବାସିନ୍ଦା ଦୀନବନ୍ଧୁ ରାଓ ବୋଲି ଆଜି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
ଉଲ୍ଲେଖଯୋଗ୍ୟ ଯେ, ଗତ ୨୦ ତାରିଖ ଦିନ ଧାନମେରା ସାହିର ଅବସରପ୍ରାପ୍ତ ବିଏସଏନଏଲ କର୍ମଚାରୀ ବାବୁରାଓ ଘଡେଇ ବ୍ରହ୍ମପୁର ଷ୍ଟେଟବ୍ୟାଙ୍କ ମୁଖ୍ୟ ଶାଖା ରୁ ୪ଲକ୍ଷ ଟଙ୍କା ଉଠାଇବା ପରେ ନିଜ ଗାଡି ଡିକି ରେ ରଖି ନିଜ ଶାଳକଙ୍କ ସହ ଗିରି ମାର୍କେଟ ଛକଠାରେ ଏକ ମଦ ଦୋକାନକୁ ଯାଇଥିଲେ । କିଛି ସମୟ ପରେ ଉଭୟେ ଦୋକାନ ରୁ ଫେରିବା ପରେ ଗାଡି ଡିକି ଭିତରେ ଥିବା ଟଙ୍କାକୁ କେହି ଲୁଟ କରିଥିବା ନେଇ ସେମାନେ ଜାଣିବାକୁ ପାଇଥିଲେ ।
ଏ ନେଇ ବାବୁ ରାଓ ବଡବଜାର ଥାନାରେ ଅଭିଯୋଗ କରିବା ପରେ ବଡବଜାର ଥାନା ମାମଲା ୧୭୩/୨୦୨୧ ରୁଜୁ ହୋଇ ପୋଲିସ ତଦନ୍ତ ଆରମ୍ଭ କରିଥିଲା ।ସେଠାରେ ଲାଗିଥିଲା ସିସିଟିଭି ଫୁଟେଜ ଯାଞ୍ଚ ପରେ ପୋଲିସ ଅଭିଯୁକ୍ତକୁ ଧରିବାରେ ସକ୍ଷମ ହୋଇଛି । ଆଜି ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଥିବା ବେଳେ ଉଦ୍ଧାର ହୋଇଥିବା ଟଙ୍କା ଅଭିଯୋଗକାରୀଙ୍କୁ ଫେରସ୍ତ ଦିଆଯାଇଛି ।