ସମ୍ବଲପୁର: ସମଗ୍ର ରାଜ୍ୟରେ ପ୍ରଥମ ଓ ଦେଶରେ ଅଷ୍ଟମ କେନ୍ଦ୍ର ରୂପେ ପରିଚିତ ସମ୍ବଲପୁର ଦୂରଦର୍ଶନ କେନ୍ଦ୍ର ଏଠାରୁ ଅନ୍ୟତ୍ର ଉଠାଇ ନେଇ ଯିବାକୁ ଚାଲିଥିବା ଷଡ଼ଯନ୍ତ୍ର ବିରୁଦ୍ଧରେ ଆଜି ଲୋକ କଳାକାରମାନେ ଆନ୍ଦୋଳନର ଡାକରା ଦେଇଛନ୍ତି । ପଶ୍ଚିମ ଓଡ଼ିଶା ଲୋକ କଳାକାର ମହାସଂଘ ଦ୍ୱାରା ଆହୂତ ଏହି ଆନ୍ଦୋଳନରେ ସାଂସଦ ସୁରେଶ ପୂଜାରୀ, ପଦ୍ମଶ୍ରୀ ଲୋକକବିରତ୍ନ ହଲଧର ନାଗ, ପଦ୍ମଶ୍ରୀ କବି ମିତ୍ରଭାନୁ ଗଉନ୍ତିଆ, ପଦ୍ମଶ୍ରୀ ଗାୟକ ଜିତେନ୍ଦ୍ରିୟ ହରିପାଳ ସହିତ ଶତାଧିକ ଲୋକ କଳାକାର ସାମିଲ ହୋଇଥିଲେ । ଏ ବିଷୟରେ ପ୍ରାପ୍ତ ସୂଚନା ଅନୁସାରେ ଏହି କେନ୍ଦ୍ରର କାର୍ଯ୍ୟକ୍ରମ ଉତ୍ପାଦନ କ୍ଷମତା ସଂକୁଚିତ ହୋଇ ବର୍ତ୍ତମାନ ଜନଶୂନ୍ୟ ହୋଇଯାଇଛି, ଯେଉଁ ଠାରେ କି ଏକଦା ୧୮ ଜଣ କର୍ମଚାରୀ କାର୍ଯ୍ୟରତ ଥିଲେ ।
ଏଠାକାର ଶେଷ କର୍ମଚାରୀ ରୂପେ ଏକମାତ୍ର କ୍ୟାମେରାମ୍ୟାନକୁ କିଛି ଦିନ ପୂର୍ବେ ଅହମଦାବାଦ ସ୍ଥାନାନ୍ତରିତ କରି ଦିଆଯାଇଛି, ଯାହାଫଳରେ ଏହାର ଭବିଷ୍ୟତ ଅନ୍ଧକାର ଦିଶୁଛି । ଆନ୍ଦୋଳନକାରୀଙ୍କ ଦାବି ଅନୁସାରେ କାର୍ଯ୍ୟକ୍ରମ ଉତ୍ପାଦନ ପାଇଁ ଭିତ୍ତିଭୂମି ସଂପନ୍ନ ଏହି ଦୂରଦର୍ଶନ କେନ୍ଦ୍ରକୁ ଏକ ପୂର୍ଣ୍ଣାଙ୍ଗ କେନ୍ଦ୍ର କରାଯାଉ । ଆଞ୍ଚଳିକ ଭାଷା ସାଟେଲାଇଟ ସେବା ଜରିଆରେ ଏହାକୁ ୨୪ ଘଣ୍ଟିଆ ଓ ସପ୍ତାହ ସାରା କାର୍ଯ୍ୟକ୍ଷମ କରାଯାଉ । ପଶ୍ଚିମ ଓଡ଼ିଶାର ସଂସ୍କୃତି, ପରମ୍ପରା, କୃଷି ଓ ଐତିହ୍ୟକୁ ନେଇ ସମ୍ବଲପୁରୀ ଭାଷାରେ ଏଠାରେ ଅଧିକରୁ ଅଧିକ କାର୍ଯ୍ୟକ୍ରମ ଉତ୍ପାଦନ କରାଯାଉ ତଥା ଏଥିପାଇଁ ଏଠାରେ ଖାଲି ପଡିଥିବା ସମସ୍ତ ପଦ ପଦବୀରେ ନିଯୁକ୍ତି ଦିଆଯାଉ ।