ପୁରୀ:କେବଳ ଗାଁ କି ସହର ନୁହେଁ, ପାହାଡ଼ ପର୍ବତ ଶିଖର ଠାରୁ ସମୁଦ୍ର ପର୍ଯ୍ୟନ୍ତ କୁଢ଼ କୁଢ଼ ବର୍ଜ୍ୟବସ୍ତୁ। ଏହି କାରଣରୁ ଏବେ ସମଗ୍ର ଭାରତବର୍ଷର ଜଳବାୟୁ ଓ ପରିବେଶ ପ୍ରଦୂଷିତ। ଏହି ଦିଗରେ ସଚେତନତା ସୃଷ୍ଟି ପାଇଁ ତମ୍ବାଖୁ ମୁକ୍ତ ଓଡ଼ିଶା ପାଇଁ ୨୦୧୪ମସିହାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଓଡ଼ିଶା ଓ ଭାରତବର୍ଷକୁ ମୋଟର-ସାଇକେଲରେ ବୁଲି ସଚେତନତା ସୃଷ୍ଟି କରୁଥିବା ମିଶନ ଓଡ଼ିଶାର ସମ୍ପାଦକ ତଥା ଇଣ୍ଡିଆ ବୁକ ରେକର୍ଡ, ୱାର୍ଲଡ଼ ରେକର୍ଡ ଇଣ୍ଡିଆ ଓ ମିରାକିଲ ୱାର୍ଲଡ଼ ରେକର୍ଡ ହାସଲ କରିଥିବା ମଧୁସୂଦନ ମିଶ୍ର ଓ ବିଶିଷ୍ଟ ପର୍ବତ ଆରୋହି ତଥା ବିଶିଷ୍ଟ ସାଇକେଲ ଚଢ଼ାଳି ମିତ୍ରଭାନୁ ନାୟକ, ଆଜି ସକାଳ ସାଢ଼େ ୮ଟା ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ନେଇ ଆରମ୍ଭ କରିଛନ୍ତି ପୁରୀରୁ ଲେହ-ଲଦାଖ୍ ଅଭିମୁଖେ ଦୁଃସାହସିକ ମୋଟର-ସାଇକେଲ ଯାତ୍ରା। ବୁଲେଟ ମୋଟର-ସାଇକେଲରେ ଏହି ଦୁଇ ଜଣ ଓଡ଼ିଶା, ଝାଡ଼ଖଣ୍ଡ, ଛତଟିଶଗଡ଼, ମଧ୍ୟ ପ୍ରଦେଶ, ରାଜସ୍ଥାନ, ବିହାର, ଉତ୍ତର ପ୍ରଦେଶ, ନୂଆଦିଲ୍ଲୀ, ହରିୟାଣା, ପଞ୍ଜାବ, ହିମାଚଳ ପ୍ରଦେଶ, ଜମ୍ମୁ ଓ କାଶ୍ମୀର ଭଳି ପ୍ରଦେଶରେ ତଥା ଭାରତବର୍ଷର ସୁଉଚ୍ଚ ଲେହ, ଲଦାଖ୍, କାରଗିଲ ଓ ଡ୍ରାସ୍ ସେକ୍ଟରରେ ସଚେତନତା ସୃଷ୍ଟି କରିବା ସହ ୨୦ଦିନରେ ୬ହଜାର କିଲୋମିଟର ଯାତ୍ରା କରି ଆସନ୍ତା ସେପ୍ଟେମ୍ବର ୧୫ତାରିଖ ଦିନ ପୁରୀ ଫେରିବେ। ଏହି ସମୟରେ ସେମାରେ ହଜାରିବାଗ୍, ବାରାଣସୀ, ମଥୁରା, ହରିଦ୍ୱାର, ଝାନସୀ ଓ ଅଯୋଧ୍ୟା ଭଳି ଐତିହାସିକ ସ୍ଥାନମାନଙ୍କରେ ସଚେତନତା ସୃଷ୍ଟି କରିବା ସହ ନମାମୀ ଗଙ୍ଗେ ସ୍ୱଚ୍ଛତା କାର୍ଯ୍ୟକ୍ରମରେ ଯୋଗ ଦେବେ। କେବଳ ବର୍ଜ୍ୟବସ୍ତୁ ସୁପରିଚାଳନା କି ପରିବେଶ ସୁରକ୍ଷା କାର୍ଯ୍ୟକ୍ରମ ନୁହେଁ, ତମ୍ବାକୁ ମୁକ୍ତ ଭାରତ ଓ ଦେଶାତ୍ମବୋଧ ଚେତନା ସୃଷ୍ଟି କରିବା ଏହି ଯାତ୍ରାର ମୁଖ୍ୟ ଲକ୍ଷ୍ୟ ହେବ ବୋଲି କହିଛନ୍ତି ମିଶନ ଓଡ଼ିଶାର ସମ୍ପାଦକ ମଧୁସୂଦନ ମିଶ୍ର। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଏବେ ଭାରତରେ ପ୍ରାୟ ୬୨କୋଟି ଟନ୍ ବର୍ଜ୍ୟବସ୍ତୁ ଯାହା ୨୦୩୦ମସିହା ବେଳକୁ ପ୍ରାୟ ୧୬୫କୋଟି ଟନ୍ ସ୍ପର୍ଶ କରିବ। ଭାରତବର୍ଷରେ ଏକ ସୁସ୍ଥ ପରିବେଶ ଓ ଏକ ନିର୍ମଳ ଜଳବାୟୁ ପାଇଁ ଏହି ଦୁଃସାହସିକ ଯାତ୍ରା ବୋଲି କହିଛନ୍ତି ବିଶିଷ୍ଟ ପରିବେଶବିତ୍ ମିତ୍ରଭାନୁ ନାୟକ।