ସମ୍ବଲପୁର, ୨୭/୮- ଏଠାରେ ପ୍ରତିଷ୍ଠିତ ରାଜ୍ୟର ପ୍ରଥମ ଓ ଦେଶର ଅଷ୍ଟମ ଦୂରଦର୍ଶନ କେନ୍ଦ୍ର ଉଠାଇ ନେବାପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ବିରୁଦ୍ଧରେ ଆଜି ବିଜୁ ଛାତ୍ର ଜନତା ଦଳ ରଣହୁଙ୍କାର ଦେଇଛି । ଏବିଷୟରେ ତାଙ୍କର ସଭାପତି ଡ଼: ସିଦ୍ଧାନ୍ତ ମହାନ୍ତି ଙ୍କ କହିବା ଅନୁସାରେ ଦଳୀୟ ରାଜନୀତିର ଈର୍ଷାରେ ଅଯଥା ସମ୍ବଲପୁର ଦୂରଦର୍ଶନ କେନ୍ଦ୍ର ବଳି ପଡିଯାଉଛି । କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁରଙ୍କ ଉଦ୍ଦେଶ୍ୟରେ ଲିଖିତ ଏକ ଦାବିପତ୍ର ଆଜି ସମ୍ବଲପୁର ଜିଲ୍ଲାପାଳଙ୍କ ଜରିଆରେ ପଠାଯାଇଛି । ଏଥିରେ କୁହାଯାଇଛି ଯେ ଏଠାରେ ସମ୍ବଲପୁର ଦୂରଦର୍ଶନ କେନ୍ଦ୍ର ସ୍ଥାପନ ପରଠାରୁ ସମ୍ବଲପୁରୀ କଳା, ସଂସ୍କୃତିକୁ ଭଲ ପୃଷ୍ଠପୋଷକତା ମିଳୁଥିଲା, ବର୍ତ୍ତମାନ ଏହି କେନ୍ଦ୍ର ବନ୍ଦ ହୋଇଗଲେ ଆଉ ସେଗୁଡିକୁ ପ୍ରୋତ୍ସାହନ ମିଳିପାରିବ ନାହିଁ । ଏହି ପରିପ୍ରେକ୍ଷୀରେ ଏହାକୁ ଏକ ସ୍ୱୟଂ ସମ୍ପୂର୍ଣ୍ଣ ଦୂରଦର୍ଶନ କେନ୍ଦ୍ର ଭାବରେ ପୁନର୍ନିର୍ମାଣ କରିବା ସହ ଏହାକୁ କାର୍ଯ୍ୟକ୍ଷମ କରାଯାଉ ବୋଲି ଦାବି କରାଯାଇଛି ।