ସାଂସଦ ବସନ୍ତ ପଣ୍ଡାଙ୍କ ନେତୃତ୍ୱରେ ୧୦ ଜଣିଆ ଟିମ୍‌ଙ୍କ ରାୟଗଡ ଜିଲ୍ଳା ଗସ୍ତ

0 83

ରାୟଗଡ/୬/୯/୨୧: ଚଳିତ ବର୍ଷ ରାଜ୍ୟରେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଅନେକ ଜିଲ୍ଳାରେ ଏବେ ମରୁଡି ପରିସ୍ଥିତି ଦେଖାଦେଇଛି । ଜଳସ୍ରୋତଗୁଡିକର ସଦ୍‌ବିନିଯୋଗ କ୍ଷେତ୍ରରେ ଯୋଜନା କରାଯାଇ ନ ଥିବାରୁ ଏବେ ଚାଷ ଜମିଗୁଡିକରେ ଫସଲ ପାଇଁ ତଳି ରୂଆ ହୋଇ ପାରୁ ନଥିବା ବେଳେ ଚାଷୀକୂଳଙ୍କ ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ରାଜ୍ୟ ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି ବୋଲି ଦିନକିଆ ରାୟଗଡ ଜିଲ୍ଳା ଗସ୍ତରେ ଆସି ଭାରତୀୟ ଜନତା ପାର୍ଟିର କଳାହାଣ୍ଡି ସାଂସଦ ତଥା ପୂର୍ବତନ ରାଜ୍ୟ ସଭାପତି ବସନ୍ତ ପଣ୍ଡା ଅଭିଯୋଗ କରିଛନ୍ତି । ବିଜେପି ରାଜ୍ୟ ସଭାପତି ସମୀର ଦାସଙ୍କ ଆଗ୍ରହ କ୍ରମେ ବିଜେପି କୃଷକ ମୋର୍ଚ୍ଚାର ୪ଟି ଟିମ୍‌ ବିଭିନ୍ନ ଜିଲ୍ଳାର ମରୁଡି ପରିସ୍ଥିତି ଅନୁଧ୍ୟାନ ସହ ଚାଷୀଙ୍କ ସହ ଆଲୋଚନା କରି ବାସ୍ତବ ତଥ୍ୟ ସଭାପତିଙ୍କୁ ପ୍ରଦାନ କରିବେ । ଉକ୍ତ ତଥ୍ୟକୁ ଆଧାର କରି ଆଗାମୀ ଦିନରେ ଆନ୍ଦୋଳନ କିପରି ଭାବେ ହୋଇପାରିବ ଏବଂ ରାଜ୍ୟ ସରକାରଙ୍କ ଦୃଷ୍ଟି ଆର୍କଷଣ କରି ଚାଷୀକୂଳଙ୍କୁ ସାହାର୍ଯ୍ୟ ପାଇଁ କଣ ସୁବିଧା ସୁଯୋଗ କରାଯାଇ ପାରିବ ସେଥିନିମନ୍ତେ ରାଜ୍ୟ କମିଟି ପ୍ରୟାସ କରିବେ ବୋଲି ଶ୍ରୀ ପଣ୍ଡା ପ୍ରକାଶ କରିଥିଲେ । ଏଥିସହ ଗଜପତି,ରାୟଗଡ,କୋରାପୁଟ,ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଳା ଦାୟିତ୍ୱ ଶ୍ରୀ ପଣ୍ଡାଙ୍କୁ ଦିଆଯାଇଥିବାରୁ ପ୍ରଥମ ଦିନରେ ତାଙ୍କ ନେତୃତ୍ୱରେ ରାଜ୍ୟ କୃଷକ ମୋର୍ଚ୍ଚାର ୧୦ଜଣିଆ ଟିମ୍‌ ଗଜପତି ଓ ରାୟଗଡ ଜିଲ୍ଲା ଗସ୍ତ କରିଛନ୍ତି । ଉଭୟ ୨ଟି ଜିଲ୍ଳାରେ ସ୍ୱାଭାବିକ ଠାରୁ ସ୍ୱଳ୍ପ ବୃଷ୍ଟିପାତ ହୋଇଥିବାରୁ ଭୟଙ୍କର ମରୁଡି ପରିସ୍ଥିତ ଦେଖିବାକୁ ମିଳିଛି ବୋଲି ଅଭିଯୋଗ କରିଥିଲେ । ଦୀର୍ଘ ୫୦ଦିନ ଧରି ବର୍ଷା ଅଭାବରୁ ଚାଷକାମ ସଂପୂର୍ଣ୍ଣ ଭାବେ ବ୍ୟାଘାତପ୍ରାପ୍ତ ହୋଇଛି । ୍‌ତଳି ରୂଆ ହୋଇପାରିନାହିଁ,ଚାଷଜମି ଫାଟି ଆଁ କରିଛି ଓ ଧାନ ସହ ତଳି ନଷ୍ଟ ହେବାକୁ ବସିଲାଣି ଓ ଅନ୍ୟାନ୍ୟ ସମସ୍ୟା ଭିତରେ ଚାଷୀକୂଳ ଆତଚିତ୍କାର କରୁଛନ୍ତି ବୋଲି କହିଥିଲେ । ରାଜ୍ୟରେ ଜଳସ୍‌ରୋତର ସୁବିଧା ରହିଥିବାରୁ ଏହାର ସ୍ଥାୟୀ ସମାଧାନ କରାଯାଇ ପାରିବ କିନ୍ତୁ ରାଜ୍ୟ ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ସ୍ଥାଣୁ ଓ ଅପାରଗ ହୋଇ ବସି ରହିଛନ୍ତି ଫଳରେ ରାଜ୍ୟର ୩୦ଟି ଜିଲ୍ଳା ମରୁଡିଗ୍ରସ୍ତ ହୋଇଥିବାରୁ ରାୟଗଡ ସମେତ ଗଜପତି, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଜିଲ୍ଳାକୁ ସଂପୂର୍ଣ୍ଣ ଭାବେ ମରୁଡିଗ୍ରସ୍ତ ଜିଲ୍ଳା ଘୋଷଣା ପାଇଁ ଦାବି କରିଥିଲେ । ତତ୍‌ସଙ୍ଗେ ସଙ୍ଗେ କୃଷକ ଋଣ ଛାଡ କରିବା,ନୂତନ ଋଣ ଯୋଗାଇବା,ଚାଷୀ ପରିବାରର ପିଲାମାନଙ୍କ ସ୍କୁଲ ଓ କଲେଜ ଫି୍‌ ଛାଡ କରିବା ସହ ଆଗାମୀ ରବି ଫସଲକୁ ସଫଳ କରିବା ଦିଗରେ ଯୁଦ୍ଧକାଳୀନ ଭିତିରେ ରାଜ୍ୟ ସରକାର ସୁବିଧା ଓ ସହଯୋଗ ପାଇଁ ଚେଷ୍ଠା କରିବା ସହିତ ଜଳସ୍‌ରୋତ ପରିଚାଳନା ସଠିକ୍‌ ଭାବେ କାର୍ଯ୍ୟକାରୀ କରି ସ୍ଥାୟୀ ସମାଧାନର ବାଟ ଫିଟାନ୍ତୁ ଏବଂ ବାରମ୍ବାର ଫମ୍ପା ଭାଷଣରେ ଯୋଜନା ଘୋଷଣା କରିବା ଛାଡି ଚାଷୀର ଜମିକୁ ପାଣି ଯୋଗାଇବାର ସୁବିଧା କରନ୍ତୁ ଯାହାକି ବିଜେପି ଦଳର ଦାବି ରହିଛି ବୋଲି ଶ୍ରୀ ପଣ୍ଡା ପ୍ରକାଶ କରିଥିଲେ । ସାଂସଦ ଶ୍ରୀ ପଣ୍ଡାଙ୍କ ଏହି ଗସ୍ତ ସମୟରେ ରାଜ୍ୟ କୃଷକ ମୋର୍ଚ୍ଚାର ସାଧାରଣ ସଂପାଦକ କାମକ୍ଷା ପ୍ରଧାନ,ସଂପାଦକ ଭଗବାନ ପଣ୍ଡା,ସତ୍ୟବାଦୀ ଚଇନି,ରାଜ୍ୟ ସଂଯୋଜକ ଲିଙ୍ଗରାଜ ବାରିକ,ପ୍ରାଚୁର୍ଯ୍ୟ ହୋତା,କିଶୋର ସୁତାର,ପ୍ରଦୀପ ସାହୁ,ଶ୍ରୀନିବାସ ପାତ୍ରଙ୍କ ସହ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତୁଷାରକାନ୍ତ ଚକ୍ରବର୍ତିୀ ଓ ବିଶ୍ୱଜିତ୍‌ ବଡଜେନା ପ୍ରମୁଖ ଉପସ୍ଥିତ ରହିଥିଲେ । ରାୟଗଡ ଜିଲ୍ଳା ଭାରତୀୟ ଜନତା ପାର୍ଟି ତରଫରୁ ସାଂସଦ ଶ୍ରୀ ପଣ୍ଡାଙ୍କ ସମେତ ୧୦ଜଣିଆ ଟିମକୁ ସ୍ଥାନୀୟ ସାର୍କିଟ ହାଉସ ଠାରେ ଭବ୍ୟ ସ୍ୱାଗତ କରାଯାଇଥିଲା । ରାଷ୍ଟ୍ରିୟ ଜନଜାତି ମୋର୍ଚ୍ଚା ଉପାଧ୍ୟକ୍ଷ କାଳୀରାମ ମାଝି,ରାୟଗଡ ବିଧାୟକ ପ୍ରାର୍ଥୀ ବସନ୍ତ ଉଲାକା,ନଗର ସଭାପତି ଶ୍ୟାମ କୁମାର ଦାଶ,ବିଦ୍ୟାଭୂଷଣ ପଣ୍ଡା,ନୀଳାଦ୍ରି ପାତ୍ର,ଦେବାଶିଷ ପଣ୍ଡା,ଜିଲ୍ଲା କୃଷକ ମୋର୍ଚ୍ଚା ସାଧାରଣ ସଂପାଦକ ଉମାଶଙ୍କର ପାଢୀଙ୍କ ସମେତ ଅନ୍ୟ ପଦାଧିକାରୀ ଓ କାର୍ଯ୍ୟକର୍ତାମାନେ ଉପସ୍ଥିତ ରହିଥିଲେ । ରାୟଗଡ ଜିଲ୍ଳା ଗସ୍ତ ପରେ ସାଂସଦ ଶ୍ରୀ ପଣ୍ଡା କୋରାପୁଟ ଜିଲ୍ଳା ଅଭିମୁଖେ ଯିବାର କାର୍ଯ୍ୟକ୍ରମ ରହିଥିବା ଜିଲ୍ଳା ବିଜେପି ପକ୍ଷରୁ ସୂଚନା ପ୍ରଦାନ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

sixteen − 12 =