ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ୨୦୨୧ ବର୍ଷ ପାଇଁ ନ୍ୟାଶନାଲ୍ ଇନଷ୍ଟିଚ୍ୟୁଟ୍ ରାଙ୍କିଙ୍ଗସ୍ ଫ୍ରେମୱର୍କ (ଏନ୍ଆଇଆର୍ଏଫ୍) ଜାରି କରିଛନ୍ତି । ଏଥିରେ ଆଇଆଇଟି ମାଡ୍ରାସ ଭାରତର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ବିବେଚିତ ହୋଇଛି । କ୍ରମାଗତ ତୃତୀୟ ବର୍ଷ ପାଇଁ ଆଇଆଇଟି ମାଡ୍ରାସ ଶୀର୍ଷ ସ୍ଥାନ ଅଧିକାର କରିଛି । ଆଇଆଇଟିମାଡ୍ରାସ ଭାରତରେ ଓଭରଅଲ୍ ଓ ଇଞ୍ଜିନିୟରିଂରେ ଏକ ନମ୍ବର ସ୍ଥାନ ହାସଲ କରିଛି । ସେହିପରି ଓଭରଅଲରେ ଆଇଆଇଏସ, ବେଙ୍ଗାଲୁରୁ ଦ୍ୱିତୀୟ ସ୍ଥାନ ହାସଲ କରିଥିବା ବେଳେ ଆଇଆଇଟି ବମ୍ବେ ତୃତୀୟ ସ୍ଥାନ ହାସଲ କରିଛି ।
ଅନ୍ୟପକ୍ଷରେ ଇଞ୍ଜିନିୟରିଂ କଲେଜର ଶ୍ରେଷ୍ଠ ୧୦ ତାଲିକାରେ ୮ଟି ଆଇଆଇଟି ଓ ଦୁଇଟି ଏନ୍ଆଇଟି ସଂସ୍ଥା ରହିଛନ୍ତି । ସେହିପରି ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ମିରାଣ୍ଡା ହାଉସ୍ ସର୍ବଶ୍ରେଷ୍ଠ କଲେଜ, ମହିଳା ଏଲଏସଆର୍ କଲେଜ୍ ଦ୍ୱିତୀୟ ସ୍ଥାନରେ ଏବଂ ଲୋୟଲା କଲେଜ୍ ତୃତୀୟ ସ୍ଥାନରେ ରହିଛି । ଅନ୍ୟପକ୍ଷରେ ଆଇଆଇଏମ୍ ଅହମ୍ମଦବାଦ ମ୍ୟାନେଜମେଣ୍ଟ ପାଇଁ ସର୍ବଶ୍ରେଷ୍ଠ କଲେଜ ବିବେଚିତ ହୋଇଛି ।
ବିଶ୍ୱବିଦ୍ୟାଳୟ ତାଲିକାରେ ଆଇଆଇଏସ, ବେଙ୍ଗାଲୁରୁ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ଜବାହାରଲାଲ ନେହରୁ ବିଶ୍ୱ ବିଦ୍ୟାଳୟ ଦ୍ୱିତୀୟ ସ୍ଥାନରେ ରହିଛି । ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ତୃତୀୟ ସ୍ଥାନରେ ଥିବା ବେଳେ କୋଲକାତା ବିଶ୍ୱବିଦ୍ୟାଳୟ ଚତୁର୍ଥ, କୋଏମ୍ବାଟୁରର ଅମୃତ ବିଶ୍ୱ ବିଦ୍ୟାପୀଠମ୍ ପଞ୍ଚମ, ଜାମିଆ ମିଲିଆ ଇସ୍ଲାମିଆ ଷଷ୍ଠ, ମଣିପାଲ ଆକାଡେମୀ ଅଫ୍ ହାୟର ଏଜୁକେସନ୍ ସପ୍ତମ, କୋଲକାତାର ଯାଦବପୁର ବିଶ୍ୱବିଦ୍ୟାଳୟ ଅଷ୍ଟମ, ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟ ନବମ ଓ ଆଲିଗଡ ମୁସ୍ଲିମ୍ ବିଶ୍ୱବିଦ୍ୟାଳୟ ଦଶମ ସ୍ଥାନରେ ରହିଛି ।
ମ୍ୟାନ୍ଜେମଣ୍ଟରେ ଆଇଆଇଏମ୍ ଅହମଦାବାଦ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ଆଇଆଇଏମ୍ ବେଙ୍ଗାଲୁରୁ ଦ୍ୱିତୀୟ, ଆଇଆଇଏମ୍ କୋଲକାତା ତୃତୀୟ, ଆଇଆଇଏମ୍ କୋଝିକୋଡେ ଚତୁର୍ଥ ଓ ଆଇଆଇଏମ୍ ଦିଲ୍ଲୀ ପଞ୍ଚମ ସ୍ଥାନ ହାସଲ କରିଛି ।
ଇଞ୍ଜିନିୟରିଂ କଲେଜ ଗୁଡିକ ମଧ୍ୟରେ ଆଇଆଇଟି ମାଡ୍ରାସ ପ୍ରଥମ ସ୍ଥାନରେ ଥିବା ବେଳେ ଆଇଆଇଟି ଦିଲ୍ଲୀ ଦ୍ୱିତୀୟ, ଆଇଆଇଟି ବମ୍ବେ ତୃତୀୟ, ଆଇଆଇଟି କାନପୁର ଚତୁର୍ଥ, ଆଇଆଇଟି ଖଡଗପୁର ପଞ୍ଚିମ, ଆଇଆଇଟି ରୁର୍କୀ ଷଷ୍ଠ, ଆଇଆଇଟି ଗୌହାଟୀ ସପ୍ତମ, ଆଇଆଇଟି ହାଇଦ୍ରାବାଦ ଅଷ୍ଟମ, ଆଇଆଇଟି ତିରୁଚିରାପଲ୍ଲୀ ନବମ ଓ ଆଇଆଇଟି ସୁରଥକଲ ଦଶମ ସ୍ଥାନରେ ରହିଛି ।