ବିଶ୍ୱକପ ପରେ ଦିନିକିଆ ଏବଂ ଟି-୨୦ ର ଅଧିନାୟକତ୍ୱ ଛାଡିବେ ବିରାଟ, ଏହି ବଡ କାରଣ ପାଇଁ ନେଇଛନ୍ତି ନିଷ୍ପତ୍ତି : ରିପୋର୍ଟ
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟକୁ ନେଇ ବଡ ଖବର ସାମ୍ନାକୁ ଆସିଛି । ଖବର ଅନୁଯାୟୀ ଭାରତର ସଫଳ ଅଧିନାୟକ ବିରାଟ କୋହଲି ଆଗାମୀ ଟି-୨୦ ବିଶ୍ୱକପ ପରେ ଦିନିକିଆ ଓ ଟି-୨୦ ଅଧିନାୟକତ୍ୱ ପଦରୁ ଅବ୍ୟାହତ ନେବେ । ଏହି ନିଷ୍ପତ୍ତି ଖୋଦ୍ ବିରାଟ କୋହଲି ନେଇଛନ୍ତି ବୋଲି ଏକ ରିପୋର୍ଟରେ କୁହାଯାଇଛି । ରିପୋର୍ଟରେ କୁହାଯାଇଛି ବିରାଟ କୋହଲି ତାଙ୍କ ବ୍ୟାଟିଂ ଉପରେ ଧ୍ୟାନ ଦେବା ପାଇଁ ଏହି ବଡ ପଦକ୍ଷେପ ନେବେ । ୩୨ ବର୍ଷୀୟ କୋହଲି ଟିମ୍ ଇଣ୍ଡିଆର ସଫଳ ଅଧିନାୟକମାନଙ୍କ ମଧ୍ୟରୁ ଅନ୍ୟତମ । ଅଷ୍ଟ୍ରେଲିଆ ଗସ୍ତ ପରେ ବିରାଟ କୋହଲି, ରୋହିତ ଶର୍ମା ଦଳ ପରିଚାଳନା ନେଇ ଦୀର୍ଘ ସମୟ ଧରି ଆଲୋଚନା କରିଛନ୍ତି । ୟୁଏଇ ଏବଂ ଓମାନରେ ୧୭ ଅକ୍ଟୋବରରୁ ୧୪ ନଭେମ୍ବର ମଧ୍ୟରେ ଟି -20 ବିଶ୍ୱକପ ମ୍ୟାଚ୍ ଅନୁଷ୍ଠିତ ହେବ ।
ବିରାଟ କୋହଲି ପିତା ହେବା ପରେ ବ୍ୟାଟିଂ ଉପରେ ଫୋକସ କରି ଏହି ପଦକ୍ଷେପ ନେଇପାରନ୍ତି । ସୂତ୍ରରୁ ପ୍ରକାଶ, ‘ବିରାଟ ଏ ନେଇ ନିଜେ ଘୋଷଣା କରିବେ । ସେ ବିଶ୍ୱାସ କରନ୍ତି ଯେ ତାଙ୍କ ବ୍ୟାଟିଂ ଉପରେ ଧ୍ୟାନ ଦେବା ଏବଂ ଦୁନିଆର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ହେବା ତାଙ୍କ ପାଇଁ ଅତି ଜରୁରୀ । ରୋହିତ ଶର୍ମା ତାଙ୍କ ଅଧିନାୟକତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସକୁ ୫ ଥର ଆଇପିଏଲ ଟାଇଟଲ ଦେଇଛନ୍ତି । ଅନ୍ୟପକ୍ଷରେ କୋହଲି ଏପର୍ଯ୍ୟନ୍ତ ଅଧିନାୟକ ଭାବରେ ଆଇସିସି ଟ୍ରଫି ଜିତି ନାହାଁନ୍ତି ।
ଏହା ବ୍ୟତୀତ ସେ ଆଇପିଏଲ୍ ଟାଇଟଲ୍ ମଧ୍ୟ ଜିତିପାରିନଥିଲେ । ଆସନ୍ତା ମାସରୁ ଅନୁଷ୍ଠିତ ହେବାକୁ ଥିବା ଟି -20 ବିଶ୍ୱକପ ପାଇଁ ପୂର୍ବତନ ଅଧିନାୟକ ଏମଏସ ଧୋନିଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି । ତାଙ୍କୁ ଦଳର ପରାମର୍ଶଦାତା କରାଯାଇଛି । କୋହଲିଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ୨୦୧୭ ଚାମ୍ପିଅନ୍ସ ଟ୍ରଫି, ୨୦୧୯ ODI ବିଶ୍ୱକପ ଏବଂ ୨୦୨୧ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଖେଳିଛି । କିନ୍ତୁ ଗୋଟିଏ ହେଲେ ଟାଇଟଲ୍ ଜିତିନାହିଁ । ଏଭଳି ପରିସ୍ଥିତିରେ ଧୋନି ତାଙ୍କୁ ସାହାଯ୍ୟ କରିବା ପାଇଁ ଦଳରେ ଯୋଗ ଦେଇଛନ୍ତି ।