ମନରେଗା ଯୋଜନାରେ ଶ୍ରମିକଙ୍କ ମଜୁରୀ ଟଙ୍କା ଆତ୍ମସାତ ଘଟଣା : ଟଙ୍କା ଦେବାକୁ କୋର୍ଟ ପେପରରେ ଚୁକ୍ତି କଲେ ନାଏବ ସରପଞ୍ଚ
ଦାରିଙ୍ଗବାଡି: ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତ ଅନ୍ତର୍ଗତ ସଲାବାଡି ଗ୍ରାମର କିଛି ଲୋକ ମନରେଗା ଯୋଜନାରେ କାମ କରିଥିବା ବେଳେ ୯ ମାସରୁ ଉଦ୍ଧ୍ୱର୍ ଦିନ ହେବ ମଜୁରୀ ଟଙ୍କା ମିଳିନଥିବା ନେଇ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ଶ୍ରମିକଙ୍କ ମଜୁରୀ ଟଙ୍କାକୁ ଆତ୍ମସାତ କରିଥିବା ସିମନବାଡି ପଞ୍ଚାୟତର ନାଏବ ସରପଞ୍ଚ ମୋହନ ପ୍ରଧାନ ଶ୍ରମିକ ମାନଙ୍କୁ ମଜୁରୀ ଟଙ୍କା ଦେବାକୁ ରାଜି ହୋଇଥିଲେ । ଦାରିଙ୍ଗବାଡି ବ୍ଲକର ଏପିଓ ତ୍ରିନାଥ ନାୟକଙ୍କ ଉପସ୍ଥିତ କ୍ରମେ ମୋହନ ପ୍ରଧାନ ଗୋଟିଏ ମାସ ମଧ୍ୟରେ ଶ୍ରମିକମାନଙ୍କ ମଜୁରୀ ଟଙ୍କା ଫେରେଇବା ନେଇ ଏକ ଚୁକ୍ତି କରିଥିଲେ । ସୂଚନା ମୁତାବକ, ଦାରାବଣ୍ଡା ଠାରୁ ଆଡିନପାଙ୍ଗା ପର୍ଯ୍ୟନ୍ତ ମନରେଗା ଯୋଜନାରେ ରାସ୍ତା କାମ ହୋଇଥିଲା । ଏହି କାମରେ ଗ୍ରାମର ବହୁ ପୁରୁଷ ଓ ମହିଳା ଲୋକ କାମ କରିଥିବା ବେଳେ କିଛି କିଛି ମଜୁରୀ ଟଙ୍କା ମିଳିଥିବା ବେଳେ ଆଉ କିଛି ମଜୁରୀ ଟଙ୍କା ରହିଯାଇଥିଲା । ରାସ୍ତା କାମର ବିଲ ହୋଇଥିଲେ ସୁଦ୍ଧା ମୋହନ ପ୍ରଧାନ ମଜୁରୀ ଟଙ୍କାକୁ ଆତ୍ମସାତ କରି ଶ୍ରମିକଙ୍କୁ ୯ ମାସରୁ ଉର୍ଦ୍ଧ ଦିନ ହେବ ମଜୁରୀ ଟଙ୍କା ଦେଇନଥିଲା । ଏହାପରେ ଶ୍ରମିକ ମାନେ ବ୍ଲକ ଓ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ । ତେବେ ନାଏବ ସରପଞ୍ଚ କିଭଳି ଗାଁ ସାଥି ଭାବେ କାମ କରୁଛନ୍ତି ତାହାର ତଦନ୍ତ କେବେ ହେବ ଆଉ କାର୍ଯ୍ୟାନୁଷ୍ଠାନ ହେବ ତାହାକୁ ଅପେକ୍ଷା କରିଛନ୍ତି ଗ୍ରାମବାସୀ ।