ଅବ୍ୟବସ୍ଥାରେ ଚାଲିଛି ଟୀକାକରଣ, ସକାଳୁ ଲାଗୁଛି ଲମ୍ବା ଲାଇନ

0 162

ଦାରିଙ୍ଗବାଡି,୧୭/୯: ଟୀକା ନେବାପାଇଁ ନାହିଁନଥିବା ଭିଡ଼ । ଏଭଳି ଚିତ୍ର ଆସିଛି ଦାରିଙ୍ଗବାଡି ବ୍ଲକ ସିମନବାଡ଼ି ପଞ୍ଚାୟତ ଟୀକାକରଣ କେନ୍ଦ୍ରରୁ । ଟୀକାକରଣ କେନ୍ଦ୍ର ଆଗରେ ମହିଳା ଓ ପୁରୁଷ ବୃଦ୍ଧ ବୃଦ୍ଧା ମାନେ ଧାଡ଼ିବାନ୍ଧି ଠିଆ ହୋଇଛନ୍ତି ଓ ଠେଲାପେଲା ହୋଇ କିଏ କିଭଳି ପ୍ରଥମେ ଟୀକା ପାଇବେ ସମସ୍ତେ ଲାଗି ପଡ଼ିଛନ୍ତି । ତେବେ ଟୀକା ନେବାକୁ ଆସୁଥିବା ଲୋକଙ୍କ ମୁହଁରେ ମାକ୍ସ ନାହିଁ କି ସାମାଜିକ ଦୂରତା ମଧ୍ୟ ନାହିଁ । ଖୋଲାଖୋଲି ଭାବରେ କରୋନା ନିୟମର ଉଲଘଂନ କରୁଛନ୍ତି ଲୋକମାନେ । ଏଭଳି ଭାବରେ ଟୀକା ନେବାକୁ ଆସି କରୋନା ସଂକ୍ରମିତ ହେବେ ନାହିଁ ବୋଲି କହିହେବ ନାହିଁ । ଏଭଳି ଅବ୍ୟବସ୍ଥାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ କୌଣସି ପ୍ରତିକାର ନ ଥିବା ସମସ୍ତଙ୍କୁ ତାଜୁବ କରିଛି । କରୋନା ମହାମାରୀ ପାଇଁ ସାରା ଦେଶରେ ଟୀକାକରଣ ଜୋରଦାର କରାଯାଉଛି ଏବଂ ଟୀକା ନେବା ପାଇଁ ସରକାରଙ୍କ ପକ୍ଷରୁ ଲୋକମାନଙ୍କୁ ମଧ୍ୟ ସଚେତନ କରାଯାଉଛି କିନ୍ତୁ କାଳେ ଟୀକା ଅଭାବ ହୋଇଯିବ ବୋଲି ଭାବି ଟୀକାକରଣ କେନ୍ଦ୍ର ଆଗରେ ଏଭଳି ଭିଡ଼ ହେଉଥିବା ଜନସାଧାରଣରେ ଆଲୋଚନା ହେଉଛି । ଅନ୍ୟପକ୍ଷରେ ଟୀକାକରଣ ସମ୍ପୂର୍ଣ୍ଣ ଅବ୍ୟବସ୍ଥାରେ ଚାଲୁଥିବା ଦେଖିବାକୁ ମିଳିଛି । ଟୀକା ପାଇବାପାଇଁ ମହିଳା ଓ ପୁରୁଷମାନେ ସକାଳ ୬ଟାରୁ ଲମ୍ବା ଲାଇନରେ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଭିଡ ଜମାଉଥିବା ବେଳେ କର୍ମଚାରୀମାନେ ଦିନ ୧୦ଟାରେ ଆସୁଛନ୍ତି । ଦିନତମାମ ପ୍ରଚଣ୍ଡ ଖରାରେ ପଞ୍ଚାୟତ ସମ୍ମୁଖରେ ଦୂର ଦୁରାନ୍ତରୁ ଟୀକା ନେବାପାଇଁ ଆସି ମହିଳାମାନେ ଛୋଟ ଛୋଟ ପିଲାମାନଙ୍କୁ ଧରି ଛିଡ଼ା ହୋଇ ରହୁଛନ୍ତି । ଲୋକମାନଙ୍କ ପାଇଁ ଟେଣ୍ଟ ର ବ୍ୟବସ୍ଥା କରାଯାଇନାହିଁ ,ପିଇବା ପାଣି ବ୍ୟବସ୍ଥା ମଧ୍ୟ ନଥିବା ଦେଖିବାକୁ ମିଳିଛି । ଅନ୍ୟ ପକ୍ଷରେ ଦିନସାରା ଟୀକା ନେବା ପାଇଁ ଅପେକ୍ଷା କରିଥିବା ବେଳେ ସନ୍ଧ୍ୟା ହୋଇଗଲେ ଟୀକାକରଣ ବନ୍ଦ କରାଯାଉଥିବା ଯୋଗୁଁ ଦୂର ଦୁରାନ୍ତରୁ ଆସିଥିବା ଅନେକ ମହିଳା ଶେଷରେ ନିରାଶହୋଇ ଟୀକାନପାଇ ଫେରି ଯାଉଥିବା ଦେଖିବାକୁ ମିଳିଛି । ତେଣୁ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ଏଥିପ୍ରତି ଦୃଷ୍ଟିଦେଇ ଆବଶ୍ୟକ ପଦକ୍ଷେପ ନେବା ପାଇଁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

one × four =