ମଧ୍ୟରାତ୍ରରେ ସ୍ଥଳଭାଗ ଛୁଇଁବ ‘ଗୁଲାବ’

0 78

ଭୁବନେଶ୍ବର: ବଙ୍ଗୋପ ସାଗରରେ ଉପକୂଳ ଆଡ଼କୁ ମାଡ଼ି ଆସୁଛି ବାତ୍ୟା ‘ଗୁଲାବ’ । ଆଜି ମଧ୍ୟରାତ୍ରରେ ଗୋପାଳପୁର ଓ ଆନ୍ଧ୍ର ପ୍ରଦେଶର କଳିଙ୍ଗପଟ୍ଟନମ୍‌ ମଧ୍ୟରେ ଏହା ସ୍ଥଳଭାଗ ଛୁଇଁପାରେ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଏନେଇ ଦକ୍ଷିଣ ଓଡ଼ିଶା ଜିଲ୍ଲାଗୁଡ଼ିକରେ ଅତ୍ୟନ୍ତ ପ୍ରବଳ ବର୍ଷାର ଆଶଙ୍କା ରହିଛି । ବାତ୍ୟା ଲ୍ୟାଣ୍ଡଫଲ କରିବା ସମୟରେ ସମୁଦ୍ର ଅଶାନ୍ତ ରହିବା ସହ ଗଞ୍ଜାମ, ଶ୍ରୀକାକୁଲମ ଓ ବିଜୟନଗରମ ଜିଲ୍ଲାର ଉପକୂଳରେ ଅଧମିଟର ପର୍ୟ୍ୟନ୍ତ ଜୁଆର ଉଠିପାରେ । ତେଣୁ ଆଜିଠାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଛି । ଏଥିପାଇଁ ଭୂସ୍ଖଳନ ଓ ଫ୍ଲାସ ଫ୍ଲଡ୍ ଆଶଙ୍କାରେ ୫ ଶହ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି।ତେବେ ଗଞ୍ଜାମର ଗୋପାଳପୁରଠାରୁ ୨୭୦ କିମି ଦୂରରେ ଏହି ବାତ୍ୟା କେନ୍ଦ୍ରୀଭୂତ ହେବ । ଏବେ ଆନ୍ଧ୍ରର କଳିଙ୍ଗପଟ୍ଟନମଠାରୁ ୩୩୦ କିମି ଦୂରରେ ଅଛି ବାତ୍ୟା । ୬ ଘଣ୍ଟା ଧରି ୧୦ କିମି ବେଗରେ ଗତି କରୁଛି ବାତ୍ୟା ଗୁଲାବ । ଏନେଇ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ଉପକୂଳ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ବାତ୍ୟା ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ୭୫ରୁ ୯୫ କିମି ରହିବା ନେଇ ଆଶଙ୍କା କରାଯାଉଛି ଏବଂ ଏହାର ପ୍ରଭାବରେ ୭ ଜିଲ୍ଲା ଯଥା-ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି ।ଦୁଇ ଦିନ ଧରି ଏହି ବର୍ଷା ଜାରି ରହିବ । ଏଥିପାଇଁ ୭ ଜିଲ୍ଲାରେ ୪୨ଟି ଓଡ୍ରାଫ ଓ ୨୪ଟି  NDRF  ଟିମ ମୁତୟନ କରାଯାଇଛି । ଏପଟେ ଋଷିକୂଲ୍ୟା ଓ ନାଗାବଳୀ ନଦୀରେ ବନ୍ୟା ଆସିବା ଆଶଙ୍କା କରାଯାଉଛି । ଏହାସହ ଗଜପତି, ରାୟଗଡ଼ା ଜିଲ୍ଲାରେ ଭୂସ୍ଖଳନ ପାଇଁ ସତର୍କ ସୂଚନା ଜାରି କରାଯାଇଛି ।

hiranchal ad1
Leave A Reply

Your email address will not be published.

three × 1 =