ପୁରୀ : ପୁରୀର ବଳଙ୍ଗା ଥାନାରେ ବିସ୍ଫୋରଣ ମାମଲାର ତଦନ୍ତ ଆରମ୍ଭ ହୋଇଛି । ନିଜେ ପୁରୀ ଏସପି କେ ବିଶାଳ ସିଂ ଏହାର ତଦନ୍ତ କରୁଛନ୍ତି । କ’ଣ ପାଇଁ ଓ କିଭଳି ପରିସ୍ଥିତିର ଏହି ବିସ୍ଫୋରଣ ଘଟିଲା ତାହାର ତଦନ୍ତ ଆରମ୍ଭ ହୋଇଛି । ଇତି ମଧ୍ୟରେ ଡଗ ସ୍କ୍ୱାଡ ଓ ବମ ସ୍କ୍ୱାଡ ଥାନାରେ ପହଂଚି ଅନୁସନ୍ଧାନ କରିଛନ୍ତି । ତେବେ ବିସ୍ଫୋରଣ ସ୍ଥଳରେ କିଛି ବାଣ ପଡିଥିବା ନଜରକୁ ଆସିଛି । ଥାନାର ମାଲଖାନା ଭିତରେ କିଛି ଜବତ ହୋଇ ରହିଥିବା ବାଣ ଯୋଗୁ ଏହା ବିସ୍ଫୋରଣ ହୋଇଥାଏ ପାରେ ବୋଲି ସନ୍ଦେହ କରାଯାଉଛି । ତେବେ ଅନୁସନ୍ଧାନ ପରେ ସବୁ କିଛି କହିବା ଠିକ ହେବ ବୋଲି ପୁରୀ ଏସପି ଗଣମାଧ୍ୟମକୁ କହିଛନ୍ତି । ଗତକାଲି ବିଳମ୍ବିତ ରାତିରେ ବଙ୍ଗଳା ଥାନାରେ ଅଚାନକ ଏକ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ଏତେ ଶକ୍ତି ଶାଳୀ ଥିଲା ଯେ ଥାନା ଗୃହ ଛାତ, କାନ୍ଥ ଭୁଶୁଡି ପଡିଥିଲା । ଥାନା ଭିତରେ ଥିବା ସମସ୍ତ ଆସବାପତ୍ର ସବୁ ନଷ୍ଟ ଭ୍ରଷ୍ଟ ହୋଇ ଯାଇଚି । ସୌଭାଗ୍ୟବଶତଃ କୌଣସି ପୋଲିସ କର୍ମଚାରୀ ଏଥିରେ ଆହତ ହୋଇନାହାନ୍ତି । ତେବେ ଥାନା ଭିତରେ ଏହି ଭୟଙ୍କର ବିସ୍ଫୋରଣ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି ।