ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି ପିପିଲି ଉପନିର୍ବାଚନର ମତଦାନ

0 72

ପୁରୀ,୧/୧୦- କୋଭିଡ କଟକଣା ସତ୍ୱେ ୭୮.୨୪% ମତଦାନ ହୋଇଥିବା ବେଳେ ପ୍ରାର୍ଥିଙ୍କ ଭାଗ୍ୟ ସିଲ୍‌ ହୋଇଛି ଏବେ ଇଭିଏମରେ । ପୁରୀ ପେଣ୍ଠକଟାସ୍ଥିତ ୱେର ହାଉସରେ ତ୍ରିସ୍ତରୀୟ କଡା ସୁରକ୍ଷା ବଳୟ ମଧ୍ୟରେ ଭୋଟ ବାକ୍ସକୁ ୨୪ ଘଣ୍ଟିଆ ନିରାପତ୍ତା ବ୍ୟବସ୍ଥା ମଧ୍ୟରେ ରଖାଯାଇଛି । ଆସନ୍ତା ୩ ତାରିଖ ଭୋଟ ଗଣତି ଥିବାରୁ ଭୋଟ ଗଣତି ପାଇଁ ପ୍ରସ୍ତୁତିରେ ଲାଗିଛନ୍ତି ପ୍ରଶାସନିକ ଅଧିକାରୀ । ଗତକାଲି ଭୋଟ ଦାନ ପରେ ଇଭିଏମ୍‌ ମେସିନ୍‌ ଗୁଡିକରେ ସିଲ୍‌ ହୋଇଛି ପ୍ରାର୍ଥିଙ୍କ ଭାଗ୍ୟ । ସମ୍ପୂର୍ଣ୍ଣ ଶୃଙ୍ଖଳା ଓ କୋଭିଡ କଟକଣା ମଧ୍ୟରେ ଚଳିତ ଉପନିର୍ବାଚନରେ ସର୍ବାଧିକ ୭୮.୨୪ ପ୍ରତିଶତ ମତଦାନ ହୋଇଛି । ଗତକାଲି ଅନେକ ଗୁଡିଏ ଇଭିଏମ୍‌ରେ ତ୍ରୁଟିଯୋଗୁଁ ଭୋଟଦାନ କେନ୍ଦ୍ରରେ ରାତି ସାଢେ ୯ଟା ପର୍ଯ୍ୟନ୍ତ ମତଦାନ ଚାଲିଥିଲା । ସମୁଦାୟ ୩୪୮ ବୁଥ ର ଇଭିଏମ୍‌ ମେସିନ୍‌ ଗୁଡିକ ପୋଲିଂ ପାର୍ଟି ମାନେ ପୁରୀ ପେଣ୍ଠକଟା ସ୍ଥିତ ୱେର ହାଉସ ଷ୍ଟ୍ରଙ୍ଗରୁମକୁ ଆଣିଥିଲେ । ଭୋର ୪ ଟା ପର୍ଯ୍ୟନ୍ତ ପୋଲିଂ ଅଧିକାରୀ ଓ ପ୍ରାର୍ଥିଙ୍କ ଏଜେଣ୍ଟ ମାନଙ୍କ ଉପସ୍ଥିତିରେ ଇଭିଏମକୁ ଷ୍ଟ୍ରଙ୍ଗରୁମରେ ରଖି ସିଲ୍‌ କରାଯାଇଥିଲା । ୨୪ ଘଣ୍ଟିଆ କଡା ସୁରକ୍ଷା ବଳୟ ମଧ୍ୟରେ ଏବେ ଇଭିଏମ୍‌ ଗୁଡିକୁ ଷ୍ଟ୍ରଙ୍ଗ ରୁମରେ ରଖାଯାଇଛି । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବିଏସଏଫ ଜବାନ୍‌, ଓଏସଏପି ଜବାନ୍‌ ଓ ରାଜ୍ୟ ପୋଲିସର ସଶସ୍ତ୍ର ସୁରକ୍ଷାକର୍ମୀ ଓ ମାଜିଷ୍ଟ୍ରେଟ ମୁତୟନ ରହିଛନ୍ତି । କଡା ସୁରକ୍ଷା ବଳୟ ମଧ୍ୟରେ ଥିବା ଷ୍ଟ୍ରଙ୍ଗରୁମ୍‌ ପରିସରକୁ ସମସ୍ତଙ୍କ ପ୍ରବେଶ ଉପରେ କଡା କଟକଣା ଲଗାଯାଇଛି । ଆସନ୍ତା ୩ ତାରିଖ ସକାଳ ୮ ଟାରେ ଆରମ୍ଭ ହେବାକୁ ଥିବା ଭୋଟ ଗଣତି ପାଇଁ ଏବେ ପ୍ରସ୍ତୁତି ଚାଲିଛି । ପିପିଲି ଉପନିର୍ବାଚନ ମତଦାନ ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ହୋଇଥିବା ବେଳେ ଏବେ ସମସ୍ତଙ୍କ ନଜର ରହିଛି ୩ ତାରିଖ ସକାଳ ୮ ଟାରେ ଆରମ୍ଭ ହେଉଥିବା ଭୋଟ ଗଣତି ଉପରେ ।

hiranchal ad1
Leave A Reply

Your email address will not be published.

14 − 8 =