ସତ ବଖାଣିଛି ମମିତା ହତ୍ୟାକାରୀ ଗୋବିନ୍ଦ

0 197

ବଲାଙ୍ଗିର: ମମିତା ମେହେର ହତ୍ୟା ଘଟଣାରେ ଉଠୁଛି ପଡୁଛି ସାରା ଓଡିଶା । ରିମାଣ୍ଡରେ ଆସି ନିଜ ପାପ କାହାଣୀର ସତ ବଖାଣିଛନ୍ତି ଗୋବିନ୍ଦ ସାହୁ । ଗତକାଲି ବଂଗୋମୁଣ୍ଡା କୋର୍ଟରେ ହାଜର ହେବା ପରେ ୫ ଦିନିଆ ରିମାଣ୍ଡରେ ଆସି ଏପରି ଚାଞ୍ଚଲ୍ୟକର ତଥ୍ୟ ବଖାଣିଛି ଗୋବିନ୍ଦ । ଅନୈତିକ ପ୍ରେମ ସମ୍ପର୍କକୁ ବାହାରେ ପ୍ରଘଟ କରିଦେବାର ଧମକ କାଳ ହେଲା । ଶେଷରେ ଲୋକଲଜ୍ଜା ଭୟରେ ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲେ ସନ୍‌ସାଇନ୍‌ ସ୍କୁଲ ଅଧ୍ୟକ୍ଷ ଗୋବିନ୍ଦ ସାହୁ । ହେଲେ ମମିତାଙ୍କୁ ହତ୍ୟା କରିବାଠୁ ଆରମ୍ଭ କରି ଶବ ପୋଡିବା ଓ ପୋତିବା ପର୍ଯ୍ୟନ୍ତ ଏ ନେଇ କାହାକୁ ଅବଗତ କରାଇ ନ ଥିଲେ ଗୋବିନ୍ଦ । ନିଜ ସାଥୀମାନଙ୍କ ଦ୍ୱାରା କାମ କରାଉଥିଲା, ହେଲେ ସେମାନଙ୍କୁ କାରନାମା ଜଣାଉ ନ ଥିଲେ ।
ଗୋବିନ୍ଦକୁ କୋର୍ଟରୁ ଏସ.ପି ଅଫିସକୁ ଅଣାଯାଇ ରାତି ତମାମ ମାରାଥନ ଜେରା କରାଯାଇଥିଲା । ଖୋଦ ଉତ୍ତରାଂଚଳ ଡି.ଆଇ.ଜି ଦୀପକ କୁମାର ସେଠାରେ ଡେରା ପକାଇ ଥିବାବେଳେ ତାଙ୍କ ପ୍ରଶ୍ନବାଣରେ ଗୋଟିଏ ପରେ ଗୋଟିଏ ସତର ଖୁଲାସା କରୁଛି ଗୋବିନ୍ଦ ।
ଗୋବିନ୍ଦଙ୍କ କହିବାନୁଯାୟୀ, ମମିତା ତାଙ୍କ ଗୁମର ଜାଣିଥିଲେ । ଏଣୁ ଏହା ବାହାରେ ପ୍ରଘଟ ହେଲେ ଲୋକଲଜ୍ଜା ଭୟରେ ମୁଣ୍ଡ ଟେକିପାରିବେନି ବୋଲି ତାଙ୍କୁ ଚିନ୍ତା ଘାରିଥିଲା । ତେଣୁ ଏହାକୁ ବାହାରେ କାହାକୁ ନ କହିବାକୁ ମମିତାଙ୍କୁ ନେହୁରା ବି ହୋଇଥିଲେ । ହେଲେ ସେ ଏହାକୁ ଏଡାଇ ଯାଇଥିଲେ । ଏହାପରେ ମମିତାଙ୍କୁ ରାସ୍ତାରୁ ହଟାଇବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ ଗୋବିନ୍ଦ ।
ଶେଷ ଥର ପାଇଁ ମମିତା ସେପ୍ଟେମ୍ବର ୨୧ରେ ହଷ୍ଟେଲକୁ ଆସିଥିଲେ । ସେହିଦିନ ହିଁ ତାଙ୍କୁ ହତ୍ୟା କରିବାର ଯୋଜନା କରିଥିଲେ ଗୋବିନ୍ଦ । କିନ୍ତୁ ମମିତା ସାଙ୍ଗମାନଙ୍କ ସହ ଥିବାରୁ ଉଦ୍ଦେଶ୍ୟ ସଫଳ ହୋଇପାରି ନ ଥିଲା । ପୁଣି ଥରେ ଘରୁ ଡକାଇ ହତ୍ୟା କରିବାର ଯୋଜନା କରିଥିଲେ ଗୋବିନ୍ଦ କିନ୍ତୁ ଏଥିରେ ମଧ୍ୟ ସେ ସଫଳ ହୋଇପାରି ନ ଥିଲା ।
ଏହାପରେ ଅକ୍ଟୋବର ୭ ତାରିଖରେ ମିଟିଂ ଅଛି କହି ୬ ତାରିଖରେ ମମିତାଙ୍କୁ ଫୋନ୍‌ କରି ଡାକିଥିଲା । ମାତ୍ର ଏହା ପୁଣିଥରେ ୮ ତାରିଖକୁ ଘୁଞ୍ଚାଇ ଦିଆଗଲା ବୋଲି କହିଥିଲେ । ଏହାପରେ ୮ ତାରିଖରେ ମମିତା ପହଞ୍ଚିବା ପରେ ଭବାନୀପାଟଣାରେ ସପିଂ କରାଇଥିଲା ଗୋବିନ୍ଦ । ଏହାପରେ ମାଣିକେଶ୍ୱରୀ ପୀଠରେ ଗୁମର ନ ଫିଟାଇବାକୁ ଶପଥ ନେବାକୁ କହିଥିଲା । ମାତ୍ର ମମିତା ଏହାକୁ ପ୍ରତ୍ୟାଖାନ କରିଦେବାରୁ କ୍ରୋଧିତ ହୋଇପଡିଲା ଗୋବିନ୍ଦ ।
ବାଟରେ ଉଭୟଙ୍କ ମଧ୍ୟରେ ବଚସା ହେବାରୁ କୁରସୁର ନିକଟରେ ମୁଖ୍ୟ ରାସ୍ତା କଡରେ ଗାଡି ରଖିଥିଲେ । ଏହାପରେ ଦିନ ପ୍ରାୟ ୧୧ଟାରେ ମମିତାଙ୍କ ତଣ୍ଟି ଚିପି ତାଙ୍କୁ ହତ୍ୟା କରିଥିଲେ । ହତ୍ୟା ପରେ ଗାଡ଼ିରେ ମୃତଦେହକୁ ଘରକୁ ନେଇ ଯାଇଥିଲା ଗୋବିନ୍ଦ । ଘରେ ଖାଇପିଇ ରହିଥିଲା ।
। ଏହା ପୂର୍ବରୁ ଅକ୍ଟୋବର ୬ ତାରିଖରେ ମହାଲିଙ୍ଗ ଷ୍ଟାଡିୟମରେ ଗାତ ବି ଖୋଳିଦେଇଥିଲା । ଏହାପରେ ଜେସିବି ଡ୍ରାଇଭର ରାଧେଙ୍କୁ ଫୋନ୍‌ କରି ଷ୍ଟାଡିୟମର ପଛ ଗେଟ୍‌ ଖୋଲା ରଖିବାକୁ କହିଥିଲେ । ଏହାପରେ କାର୍‌ ନେଇ ଭିତରେ ପଶିଥିଲା । ଏପରିକି ସବୁ କିଛି ଠିକଠାକ୍‌ ଥିବାର ଅଭିନୟ କରି ଖାଇପିଇ ରହିଥିଲା । ଉକ୍ତ ଗାତରେ କିଛି ଟାୟାର ପକାଇବାକୁ ରାଧେକୁ କହିଥିବା ବେଳେ କାଠଗଣ୍ଡି ରଖିବାକୁ ମୁନସୀକୁ କହିଥିଲେ । ଏହାବାଦ ନିଜେ କାର୍ଡବୋର୍ଡ ରଖିଥିଲେ । ଏନେଇ ରାଧେ ଓ ମୁନସୀ ପଚାରିବାରୁ ଷ୍ଟାଡିୟମର ଆବର୍ଜନା ଜିନିଷ ସେଠାରେ ପୋଡାଯିବ ବୋଲି କହିଥିଲେ । ଏହାପରେ ରାତିରେ ନିଜେ ମୃତଦେହ ପୋଡିବା ଓ ପୋତିବା କାମ କରିଥିଲେ । ହେଲେ ଏ ସମ୍ପର୍କରେ କେହି ସୁରାଗ ପାଇପାରି ନ ଥିବା ପୁଲିସ୍‌ ସମ୍ମୁଖରେ କହିଛନ୍ତି ଗୋବିନ୍ଦ ।
ମମିତାଙ୍କୁ ହତ୍ୟାଠୁ ଆରମ୍ଭ କରି ପୋତିବା ପର୍ଯ୍ୟନ୍ତ କୌଣସି ଅସ୍ତ୍ରର ବ୍ୟବହାର କରାଯାଇ ନାହିଁ । ତଣ୍ଟି ଚିପି ହିଁ ଗୋବିନ୍ଦ ନେଇଛି ମମିତାଙ୍କ ଜୀବନ । ସବୁ କାମ ନିଜେ କରିଥିବା ଗୋବିନ୍ଦ କହୁଥିବା ବେଳେ ଏହାକୁ କିନ୍ତୁ ସହଜେ ବିଶ୍ୱାସ କରିପାରୁନି ପୁଲିସ୍‌ । ହେଲେ ଅନ୍ୟ କାହା ସମ୍ମୁଖରେ ସତ କହିଲେ, ଭବିଷ୍ୟତରେ ସେ ଏହାକୁ ବାହାରେ ପ୍ରଘଟ କରିଦେବାର ଆଶଙ୍କା ଥିବା ତଥା ବ୍ଲାକମେଲ୍‌ କରିବା ଆଶଙ୍କା ଥିବା କହିଥିଲା ଗୋବିନ୍ଦ । ତେଣୁ ନିଜ ସହଯୋଗୀଙ୍କୁ କାମ ଦେଉଥିଲା, କିନ୍ତୁ ସେମାନଙ୍କୁ କାରନାମା ଜଣାଉ ନ ଥିବା ବୋଲି କହିଛି ଗୋବିନ୍ଦ ।

hiranchal ad1
Leave A Reply

Your email address will not be published.

2 × one =